Site icon ଆଜିକାଲି

ପାକିସ୍ତାନ ହାତରୁ ଯିବ କରାଚି ବନ୍ଦର; ଋଣ ବଦଳରେ ୫୦ ବର୍ଷ ପାଇଁ ଲିଜ୍‌ରେ ନେବ ୟୁଏଇ

ଇସ୍‌ଲାମାବାଦ : ଦେବାଳିଆ ହୋଇଗଲାଣି ପଡୋଶୀ ପାକିସ୍ତାନ । ଦେଶରେ ଆର୍ଥିକ ସ୍ଥିତି ଉତ୍କଟ । ଶେଷ ହୋଇଗଲାଣି ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର । ଋଣ ପରିଶୋଧ କରିବାକୁ ଅର୍ଥ ନାହିଁ । ଖିଲାପକାରୀ ଟ୍ୟାଗ୍‌ରୁ ବଞ୍ଚିବା ପାଇଁ ବିଶ୍ୱର ବିଭିନ୍ନ ରାଷ୍ଟ୍ର ଗୁଡ଼ିକ ଆଗରେ ଏହା ହାତ ପତାଉଛି ପାକ୍ । ପାକିସ୍ତାନର ଆର୍ଥିକ ସ୍ଥିତିକୁ ଦୃଷ୍ଟିରେ ରଖି ରାଷ୍ଟ୍ରଗୁଡ଼ିକ ଋଣ ଦେବା ପାଇଁ ପଛଘୁଞ୍ଚା ଦେଉଛନ୍ତି କିମ୍ବା କଡ଼ା ସର୍ତ୍ତ ରଖୁଛନ୍ତି। ଏବେ ଋଣ ପାଇଁ ଶେହବାଜ୍ ସରିଫ୍ ସରକାର ଆର୍ଥିକ ରାଜଧାନୀ କରାଚି ବନ୍ଦରକୁ ଲିଜ୍‌ରେ ଦେବାକୁ ବାଧ୍ୟ ହୋଇଛନ୍ତି ।

ରିପୋର୍ଟ ମୁତାବକ, କରାଚି ବନ୍ଦରକୁ ୫୦ ବର୍ଷ ପାଇଁ ସଂଯୁକ୍ତ ଆରବ ଏମିରେଟ୍‌ସ ନେବ । ପୂର୍ବରୁ ୟୁଏଇ ସ୍ପଷ୍ଟ କରିଥିଲା, ଲଗାତର ଆର୍ଥିକ ସହାୟତା ମାଗୁଥିବା ପାକିସ୍ତାନକୁ ସେତେବେଳେ ଋଣ ଦିଆଯିବ ଯେତେବେଳେ ପାକ୍‌ ସରକାର କରାଚି ବନ୍ଦରକୁ ୫୦ ବର୍ଷ ଲାଗି ୟୁଏଇକୁ ଦେବେ ।

ଏସବୁ ମଧ୍ୟରେ ପାକିସ୍ତାନ ଆଇଏମ୍‌ଏଫ୍‌ରୁ ଋଣ ହାସଲ କରିବା ପାଇଁ ଅନ୍ତିମ ପ୍ରଚେଷ୍ଟା ଭାବେ ଆମେରିକାର ରାଷ୍ଟ୍ରଦୂତଙ୍କ ଦ୍ୱାରସ୍ଥ ହୋଇଥିଲା । ପାକ୍‌ ଗଣମାଧ୍ୟମ ତଥ୍ୟ ଅନୁସାରେ, ଶେହବାଜ ସରକାରଙ୍କ ଏ ପ୍ରଚେଷ୍ଠା ବି ବିଫଳ ହୋଇଛି । ଆମେରିକା ସ୍ପଷ୍ଟ କରିଦେଇଛି ଯେ, ସେ ପାକିସ୍ତାନକୁ କୌଣସି ପ୍ରକାର ସହାୟତା କରିବ ନାହିଁ । ଖାଲି ସେତିକି ନୁହେଁ, ଆମେରକା ରାଷ୍ଟ୍ରଦୂତ ଡୋନାଲ୍ଡ ବ୍ଲୋମ୍‌ ଏବେ ଆଇଏମ୍‌ଏଫ୍‌ ଋଣ ନ ମିଳିବା ସ୍ଥିତିରେ ପାକ୍‌ର ପ୍ଲାନ୍‌-ବି କ’ଣ ହେବ ତାହା ମଧ୍ୟ ପ୍ରଶ୍ନ କରିଛନ୍ତି ।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍‌ ଏବେ ନିଜେ ଆଇଏମ୍‌ଏଫ୍‌ ମୁଖ୍ୟଙ୍କଠାରୁ ଋଣ ଭିକ୍ଷା ମାଗିବା ପାଇଁ ପ୍ୟାରିସ ପହଞ୍ଚିଛନ୍ତି । ଏହା ମଧ୍ୟରେ ପାକ୍‌ ସରକାର ଏହାର ସମ୍ପତ୍ତିଗୁଡିକୁ ଉପସାଗରୀୟ ରାଷ୍ଟ୍ରଗୁଡିକୁ ବିକ୍ରି କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ଏହାର ଆରମ୍ଭ କରାଚି ବନ୍ଦରରୁ ହେବ, ଯାହାକୁ ୟୁଏଇକୁ ୫୦ ବର୍ଷ ପର୍ଯ୍ୟନ୍ତ ଲିଜ୍‌ରେ ଦେବା ପାଇଁ କାର୍ଯ୍ୟ ଚାଲିଛି ।

ଜୁନ୍‌ ୨୨ରେ ୟୁଏଇଭିତ୍ତିକ ଆବୁଧାବି ପୋର୍ଟସ ଗ୍ରୁପ୍‌ ପାକିସ୍ତାନର ରାଷ୍ଟ୍ରାୟତ୍ତ କରାଚି ପୋର୍ଟ ଟ୍ରଷ୍ଟ(କେପିଟି) ସହ ଏକ ରିହାତି ରାଜିନାମା ସ୍ୱାକ୍ଷର କରିଛି । ଏହା ଅନ୍ତର୍ଗତ ୫୦ ବର୍ଷ ପାଇଁ ଏହା କରାଚି ବନ୍ଦରର ୪ଟି ବର୍ଥକୁ ଲିଜ୍‌ରେ ନେବ । ଆବୁଧାବି ପୋର୍ଟ କମ୍ପାନି ପାକିସ୍ତାନକୁ ପ୍ରାରମ୍ଭରେ ୫ କୋଟି ଡଲାର ଦେବ ଏବଂ ପରେ ରୟାଲ୍‌ଟି ବି ଦେବ । ପାକ୍‌ କ୍ୟାବିନେଟ୍‌ ଏହାକୁ ମଞ୍ଜୁରି ଦେବାକୁ ଯାଉଛି ।

Exit mobile version