Site icon ଆଜିକାଲି

ସିସୋଦିଆଙ୍କ ବିରୋଧରେ ଏବେ ଆଉ ଏକ ମାମଲା ରୁଜୁ କଲା ସିବିଆଇ

ନୂଆଦିଲ୍ଲୀ : ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବିରୋଧରେ ସିବିଆଇ ଏବେ ଆଉ ଏକ ମାମଲା ରୁଜୁ କରିଛି। ମଦ ଦୁର୍ନୀତି ମାମଲାରେ ସମ୍ପ୍ରତି ଇଡି ହାଜତରେ ଥିବା ସିସୋଦିଆଙ୍କ ବିରୋଧରେ ଗୁପ୍ତଚରଗିରି ଅଭିଯୋଗରେ ମାମଲା ରୁଜୁ କରିଛି ସିବିଆଇ । ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ସିସୋଦିଆଙ୍କୁ ଅଧିକ ଦିନ ଜେଲରେ ରଖିବା ପାଇଁ ଏହା ଏକ ଷଡଯନ୍ତ୍ର ।

ଖବର ଅନୁଯାୟୀ, ଦିଲ୍ଲୀ ସରକାରଙ୍କ ‘ଫିଡବ୍ୟାକ୍ ୟୁନିଟ୍’ରେ ଅନିୟମିତତା ଅଭିଯୋଗରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ଅନ୍ୟମାନଙ୍କ ବିରୋଧରେ ସିବିଆଇ ଏକ ନୂଆ ଦୁର୍ନୀତି ମାମଲା ରୁଜୁ କରିଛି। ‘ଫିଡବ୍ୟାକ୍ ୟୁନିଟ୍’ ଦ୍ବାରା ବିରୋଧୀ ଦଳ ନେତାଙ୍କ ଉପରେ ସିସୋଦିଆ ବେଆଇନ ଗୁପ୍ତଚରଗିରି କରୁଥିଲେ ବୋଲି ଅଭିଯୋଗ ହୋଇଛି । ଏ‌ହି ମାମଲାରେ ସିସୋଦିଆଙ୍କ ବିରୋଧରେ ମକଦ୍ଦମା ଚଲାଇବାକୁ କେନ୍ଦ୍ର ଗୃହମନ୍ତ୍ରୀ ଗତମାସରେ ସିବିଆଇକୁ ଅନୁମତି ଦେଇଥିଲା । ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ତାଙ୍କ ବିରୋଧରେ ଅନେକ ମିଥ୍ୟା ମାମଲା ରୁଜୁ କରି ମନୀଷଙ୍କୁ ଅଧିକ ଦିନ ବନ୍ଦୀ କରି ରଖିବା ହେଉଛି ପ୍ରଧାନମନ୍ତ୍ରୀଙ୍କ ଯୋଜନା। ଦେଶ ପାଇଁ ଏହା ଦୁର୍ଭାଗ୍ୟଜନକ ।

ମନୀଷ ସିସୋଦିଆଙ୍କ ବିରୋଧରେ ସିବିଆଇ ଦ୍ୱାରା ଦାଖଲ ହୋଇଥିବା ଏଫ୍ଆଇଆରରେ ଅଭିଯୋଗ ହୋଇଛି ଯେ ଆମ୍ ଆଦମୀ ପାର୍ଟି ୨୦୧୬ ମସିହାରେ ଏକ ଫିଡବ୍ୟାକ୍ ୟୁନିଟ୍ ପ୍ରସ୍ତୁତ କରିଥିଲା। ଏହି ଫିଡବ୍ୟାକ୍ ୟୁନିଟ୍ ରୁ ଅନେକ ଲୋକଙ୍କ ଉପରେ ଜାସୁସି କରାଯାଇଥିଲା । ଏହି ୟୁନିଟରେ ନିଯୁକ୍ତି ପାଇଁ କେନ୍ଦ୍ର ସରକାରଙ୍କଠାରୁ ଅନୁମତି ନିଆଯାଇ ନ ଥିବା ମଧ୍ୟ ଅଭିଯୋଗ ହୋଇଛି।

Exit mobile version