Site icon ଆଜିକାଲି

ପାଲଘରରେ ଦୁଇ ସାଧୁଙ୍କୁ ହତ୍ୟା ମାମଲାର ତଦନ୍ତ କରିବ ସିବିଆଇ

ମୁମ୍ବାଇ: ମହାରାଷ୍ଟ୍ରର ପାଲଘରରେ ଦୁଇ ସାଧୁ ଏବଂ ସେମାନଙ୍କ ଡ୍ରାଇଭରଙ୍କ ହତ୍ୟା ଘଟଣାର ତଦନ୍ତକୁ ରାଜ୍ୟ ସରକାର ସିବିଆଇକୁ ହସ୍ତାନ୍ତର କରିବେ। ସୁପ୍ରିମକୋର୍ଟଙ୍କୁ ଏହି ସୂଚନା ଦେଇଛନ୍ତି ରାଜ୍ୟ ସରକାର ।

୨୦୨୦ ମସିହାରେ ଘଟିଥିବା ଏହି ଘଟଣାର ତଦନ୍ତ ସିବିଆଇକୁ ହସ୍ତାନ୍ତର ଦାବିରେ ଦୁଇଟି ଆବେଦନ ବିଚାରାଧୀନ ଥିଲା। ତତ୍କାଳୀନ ଉଦ୍ଧବ ଠାକରେ ସରକାର ଏହାକୁ ବିରୋଧ କରିଥିଲେ। ତେବେ ବର୍ତ୍ତମାନର ସିନ୍ଦେ ସରକାର ଏହି ମାମଲାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଏପ୍ରିଲ୍ ୧୬, ୨୦୨୦ରେ ୭୨ ବର୍ଷୀୟ ସନ୍ଥ ମହାରାଜ କଳ୍ପବୃକ୍ଷ ଗିରି ଏବଂ ୩୫ ବର୍ଷୀୟ ସୁଶୀଲ ଗିରି ମହାରାଜ ନିଜ ଗୁରୁଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ମୁମ୍ବାଇରୁ ସୁରଟକୁ ଯାଉଥିବା ବେଳେ ମୁମ୍ବାଇଠାରୁ ୧୪୦ କିଲୋମିଟର ଦୂର ପାଲଘରରେ ଉତ୍ତ୍ୟକ୍ତ ଭିଡ଼ ସେମାନଙ୍କ କାରକୁ ଅଟକାଇ ଦୁଇ ସାଧୁ ଓ ସେମାନଙ୍କ ଡ୍ରାଇଭରକୁ ପିଟିପିଟି ହତ୍ୟା କରିଥିଲେ। ଉକ୍ତ ଅଞ୍ଚଳରେ ପିଲା ଚୋର ଗ୍ୟାଙ୍ଗ୍ ସକ୍ରିୟ ଥିବା ଗୁଜବ ପରେ ଲୋକମାନେ ସେଠାରେ ଭିଡ଼ ଜମାଇଥିଲେ । ଦୁଇ ସାଧୁଙ୍କୁ ପିଲାଚୋର ଭାବି ଲୋକେ ଆକ୍ରମଣ କରିଥିଲେ । ଏହି ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।

ମହନ୍ତ ସିଦ୍ଧାନନ୍ଦ ସରସ୍ୱତୀ ଏବଂ ଓକିଲ ଶଶାଙ୍କ ଶେଖର ଏହି ଘଟଣାର ନିରପେକ୍ଷ ତଦନ୍ତ ଦାବି କରି ଆବେଦନ କରିଥିଲେ । ସେତେବେଳର ଉଦ୍ଧବ ସରକାରଙ୍କ ପକ୍ଷରୁ ତଦନ୍ତକୁ ସିଆଇଡି ହସ୍ତାନ୍ତର କରିବାକୁ ଆବେଦନକାରୀମାନେ ବିରୋଧ କରିଥିଲେ। ସେମାନେ ଯୁକ୍ତି କରିଥିଲେ ଯେ ଦୀର୍ଘ ଦିନ ଧରି ପାଲଘର ଦେଶ ବିରୋଧୀ କାର୍ଯ୍ୟକଳାପର କେନ୍ଦ୍ର ପାଲଟିଛି। ଏଭଳି ସ୍ଥିତିରେ ରାଜ୍ୟ ସରକାରଙ୍କ ପକ୍ଷରୁ ତଦନ୍ତ ଯଥେଷ୍ଟ ନୁହେଁ।

Exit mobile version