Site icon ଆଜିକାଲି

ହରଡ଼ ଓ ବିରି ଡାଲି ମୂଲ୍ୟ ବୃଦ୍ଧି ଚିନ୍ତା : ଷ୍ଟକ୍ ଲିମିଟ୍‌ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟକୁ କେନ୍ଦ୍ରର ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦେଶରେ ହରଡ଼ ଓ ବିରି ଡାଲିର ମୂଲ୍ୟ ବଢ଼ିବାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି କେନ୍ଦ୍ର ସରକାର। ଏନେଇ ବିଭିନ୍ନ ରାଜ୍ୟର ସରକାରୀ ଅଧିକାରୀଙ୍କ ସହିତ ଷ୍ଟକ୍ ଡିସ୍‌କ୍ଲୋଜର ନେଇ ବୈଠକ କରିଛନ୍ତି। ହରଡ଼ ଓ ବିରି ଡାଲିର ବର୍ଦ୍ଧିତ ମୂଲ୍ୟ ଉପରେ ବିଶେଷ ନଜର ରଖିବା ସହିତ ଷ୍ଟକ୍ ସ୍ଥିତି ଯାଞ୍ଚ କରିବାକୁ ରାଜ୍ୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁମାନେ ଷ୍ଟକ୍ ସୀମା ଅର୍ଡର ଉଲ୍ଲଂଘନ କରୁଛନ୍ତି, ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର। ଖାଉଟି ସମ୍ପର୍କିତ ବିଭାଗର ଅତିରିକ୍ତ ସଚିବ ନିଧି ଖରେ ରାଜ୍ୟଗୁଡ଼ିକର ଫୁଡ୍‌ ଆଣ୍ଡ ସପ୍ଲାଏ ଡିପାର୍ଟମେଣ୍ଟ, ସେଣ୍ଟ୍ରାଲ ୱେୟାର ହାଉସିଂ କୋରପୋରେସନ୍ସ ଓ ଷ୍ଟେଟ୍ ୱେୟାର ହାଉସିଂ କୋରପୋରେସନସ ଅଧିକାରୀଙ୍କ ସହିତ ବୈଠକ କରିଛନ୍ତି।

ସୂଚନା ଯେ, ଗତ ଜୁନ ୨ ତାରିଖରେ କେନ୍ଦ୍ର ସରକାର ହରଡ଼ ଓ ବିରି ଷ୍ଟକ୍‌ ରଖିବା ପାଇଁ ସୀମା ନିର୍ଦ୍ଧାରଣ କରିଥିଲେ। ଅତ୍ୟାବଶ୍ୟକ ସାମଗ୍ରୀ ଅଧିନିୟମ ୧୯୫୫ ଅନୁଯାୟୀ, ଡାଲିର ବେଆଇନ ଗଚ୍ଛିତ ରୋକିବା ସହ ଏହାର ମୂଲ୍ୟ ବୃଦ୍ଧିକୁ ନିୟନ୍ତ୍ରଣ କରି ଲୋକଙ୍କୁ ଶସ୍ତାରେ ଡାଲି ଦେବାକୁ ଏହାର ନିଷ୍ପତ୍ତି ନିଆଯାଇଥିଲା। ବୈଠକରେ କେନ୍ଦ୍ରୀୟ ଗୋଦାମ ନିଗମ ଏବଂ ରାଜ୍ୟ ଗୋଦାମ ନିଗମକୁ ନିୟମିତ ଭାବରେ ସେମାନଙ୍କ ଗୋଦାମରେ ଗଚ୍ଛିତ ଥିବା ଡାଲିର ଷ୍ଟକ୍ ବିଷୟରେ ସୂଚନା ପ୍ରଦାନ କରିବାକୁ କୁହାଯାଇଛି। ହରଡ଼ ଏବଂ ବିରି ଡାଲି ଉପରେ ଷ୍ଟକ୍ ସୀମାର ନିଷ୍ପତ୍ତି ୨୦୨୩ ଅକ୍ଟୋବର ୩୧ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି କେନ୍ଦ୍ର ସରକାର କହିଛନ୍ତି।୨୦୨୩ରେ ଡାଲିର ମୂଲ୍ୟରେ କ୍ରମାଗତ ବୃଦ୍ଧି ପାଇଛି। ସରକାରୀ ତଥ୍ୟ ଅନୁଯାୟୀ ୧ ଜାନୁୟାରୀ,୨୦୨୩ରୁ ଖୁଚୁରା ବଜାରରେ ହାରାହାରି ମୂଲ୍ୟ କିଲୋଗ୍ରାମ ପାଇଁ ୧୧୦.୯୯ଟଙ୍କା ଥିଲା, ଯାହା ଜୁନ୍ ୧୩ ରେ ୧୫.୨୪ ଟଙ୍କା ବୃଦ୍ଧି ପାଇ ୧୨୬.୨୩. ଟଙ୍କା ହୋଇଛି। ସେହିପରି ବିରି ଡାଲିର ମୂଲ୍ୟ ଦେଖିଲେ ୧ ଜାନୁଆରୀ ୨୦୨୩ରେ ବିରି ଡାଲି ୧୦୬.୫୫ ଟଙ୍କାରେ ବଜାରରେ ଉପଲବ୍ଧ ହେଉଥିଲା। ଯାହା ଜୁନ୍ ୧୩ରେ ବଢ଼ି କେଜି ପ୍ରତି ୧୧୧.୦୮ ଟଙ୍କାରେ ହୋଇଛି।

Exit mobile version