Site icon ଆଜିକାଲି

ଜେଡିୟୁର ବିଦ୍ରୋହୀ ନେତା ଉପେନ୍ଦ୍ର କୁଶୱାହାଙ୍କୁ ଗୃହ ମନ୍ତ୍ରଣାଳୟ ପକ୍ଷରୁ ‘ଓ୍ବାଇ ପ୍ଲସ୍’ ସୁରକ୍ଷା

ନୂଆଦିଲ୍ଲୀ: ଜେଡିୟୁର ବିଦ୍ରୋହୀ ନେତା ଉପେନ୍ଦ୍ର କୁଶୱାହାଙ୍କୁ ଗୃହ ମନ୍ତ୍ରଣାଳୟ ପକ୍ଷରୁ ‘ଓ୍ବାଇ ପ୍ଲସ୍’ ସୁରକ୍ଷା ଦିଆଯାଇଛି। ନିକଟରେ ନୀତୀଶ କୁମାରଙ୍କ ଠାରୁ ଅଲଗା ହେବା ପରେ ଉପେନ୍ଦ୍ର କୁଶୱା ‘ରାଷ୍ଟ୍ରୀୟ ଲୋକ ଜନତା ଦଳ’ ନାମରେ ଏକ ନୂଆ ଦଳ ଗଠନ କରିଥିଲେ। ଆଇବି ରିପୋର୍ଟ ଆଧାରରେ ଗୃହ ମନ୍ତ୍ରଣାଳୟ କୁଶୱାହାଙ୍କୁ ସୁରକ୍ଷା ଦେଇଛି। ଏହାପୂର୍ବରୁ ବିକାଶଶୀଳ ଇନସାନ୍ ପାର୍ଟି ସୁପ୍ରିମୋ ମୁକେଶ ସାହନିଙ୍କୁ ମଧ୍ୟ ‘ଓ୍ବାଇ ପ୍ଲସ୍’ ସୁରକ୍ଷା ଦିଆଯାଇଥିଲା।

‘ଓ୍ବାଇ ପ୍ଲସ୍’ ସୁରକ୍ଷା ପାଇବା ପରେ ଉପେନ୍ଦ୍ର କୁଶୱାହାଙ୍କ ସୁରକ୍ଷାରେ ବର୍ତ୍ତମାନ ୧୧ ଜଣ କମାଣ୍ଡୋ ମୁତୟନ ହେବେ। ଏଥିମଧ୍ୟରୁ ୫ ଜଣ ଷ୍ଟାଟିକ୍ ପୋଲିସ୍ କର୍ମଚାରୀ ଭିଆଇପିଙ୍କ ସୁରକ୍ଷା ପାଇଁ ଘର ଭିତରେ ଏବଂ ଆଖପାଖରେ ରହିବେ । ଏହାଛଡ଼ା ୬ ଜଣ ପିଏସ୍ଓ ତିନୋଟି ସିଫ୍ଟରେ କୁଶୱାହାଙ୍କୁ ସୁରକ୍ଷା ଯୋଗାଇବେ ।

ସୂଚନା ଯେ, କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅତୀତରେ ଚିରାଗ ପାସଓ୍ବାନଙ୍କୁ ‘ଜେଡ୍’ ବର୍ଗର ସୁରକ୍ଷା ଦେଇଥିଲା। ବିହାରର କିଛି ନେତାମାନଙ୍କୁ ସୁରକ୍ଷା ଯୋଗାଇବା ନେଇ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି। ସୂତ୍ରରୁ ପ୍ରକାଶ ଯେ ଖୁବ୍ ଶୀଘ୍ର ଜିତନ ରାମ ମାଞ୍ଝିଙ୍କୁ ମଧ୍ୟ କେନ୍ଦ୍ର ସରକାର ସୁରକ୍ଷା ଦେଇପାରନ୍ତି ।

ବିହାରରେ ବିରୋଧୀଦଳର ନେତାଙ୍କୁ କେନ୍ଦ୍ର ସୁରକ୍ଷା ଦେବା ପରେ ବିଜେପି କିଛି ବଡ଼ ଯୋଜନା କରୁଛି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ନୀତୀଶଙ୍କ ବିରୋଧରେ ଯାଉଥିବା ନେତାମାନଙ୍କୁ ସୁରକ୍ଷା ଦେଇ ସେମାନଙ୍କର ରାଜନୈତିକ ପ୍ରାଧାନ୍ୟତା ବୃଦ୍ଧି କରୁଛି କେନ୍ଦ୍ର । ଚିରାଗ ପାସୱାନ ଲଗାତାର ନୀତୀଶ କୁମାରଙ୍କୁ ଟାର୍ଗେଟ୍ କରିଆସୁଛନ୍ତି। କେବଳ ଏତିକି ନୁହେଁ ସେ ନିଜକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ହନୁମାନ ମଧ୍ୟ କହିଛନ୍ତି। ବିହାରରେ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଜଣ ଜଣ କରି ରାଜ୍ୟର ବିରୋଧୀ ଦଳ ନେତାମାନଙ୍କୁ ନିଜ ଆଡକୁ ଟାଣିବାକୁ ଚେଷ୍ଟା କରୁଛି।

ଗୃହ ମନ୍ତ୍ରଣାଳୟ କହିଛି ଯେ ଆଇବି ରିପୋର୍ଟ ପରେ ଉପେନ୍ଦ୍ର କୁଶୱାଙ୍କୁ ସୁରକ୍ଷା ଦିଆଯାଇଛି। ଲୋକଙ୍କ ସୁରକ୍ଷା ଏବଂ ବିପଦକୁ ଧ୍ୟାନରେ ରଖି କେନ୍ଦ୍ର ସରକାର‌‌ ଏକ୍ସ, ଓ୍ବାଇ ଏବଂ ଜେଡ୍ ଶ୍ରେଣୀ ସୁରକ୍ଷା ପ୍ରଦାନ କରିଥାନ୍ତି । ଭିଭିଆଇପିଙ୍କୁ ଜେଡ୍ ଶ୍ରେଣୀର ସୁରକ୍ଷା ଦିଆଯାଏ। ଭାରତରେ କେବଳ ପ୍ରଧାନମନ୍ତ୍ରୀଙ୍କୁ ଏସପିଜି ସୁରକ୍ଷା ଦିଆଯାଇଥାଏ। ଏହା ପରେ ସର୍ବାଧିକ ସୁରକ୍ଷା ଜେଡ୍ ପ୍ଲସ୍ ଶ୍ରେଣୀରେ ଦିଆଯାଏ । ଏଥିରେ ସର୍ବଦା ୫୬ ଜଣ ଯବାନ ସମ୍ପୃକ୍ତ ବ୍ୟକ୍ତିଙ୍କ ସୁରକ୍ଷାରେ ମୁତୟନ ହୁଅନ୍ତି ।

Exit mobile version