Site icon ଆଜିକାଲି

ହନୁମାନ ଜୟନ୍ତୀ ନେଇ ଆଡଭାଇଜରୀ ଜାରି କଲା କେନ୍ଦ୍ର, ଆଇନ ଶୃଙ୍ଖଳା ବଜାୟ ରଖିବାକୁ ରାଜ୍ୟଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଆଗାମୀ ହନୁମାନ ଜୟନ୍ତୀକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହ ମନ୍ତ୍ରାଳୟ ସମସ୍ତ ରାଜ୍ୟକୁ ଆଡଭାଇଜରୀ ଜାରି କରିଛି । ହନୁମାନ ଜୟନ୍ତୀରେ ଯେପରି ରାମନବମୀ ହିଂସାର ପୁନାରାବୃତ୍ତି ନ ଘଟେ ସେଥିପାଇଁ ସତର୍କତା ଅବଲମ୍ବନ କରିବାକୁ ଏଥିରେ ନିର୍ଦ୍ଦେଶ ଦିଆଯାଇଛି । ହନୁମାନ ଜୟନ୍ତୀର ଶାନ୍ତିପୂର୍ଣ୍ଣ ପାଳନ, ଆଇନ ଶୃଙ୍ଖଳା ରକ୍ଷା କରିବା ସହ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ ବିଗାଡୁଥିବା ଲୋକଙ୍କ ଉପରେ କଡ଼ା ନଜର ରଖିବାକୁ ରାଜ୍ୟ ସରକାର ମାନଙ୍କୁ କୁହାଯାଇଛି । ଆସନ୍ତାକାଲି (ଏପ୍ରିଲ ୬) ଦେଶରେ ହନୁମାନ ଜୟନ୍ତୀ ପାଳନ କରାଯିବ।

ରାମନବମୀ ଦିନ ବିହାର ଓ ପଶ୍ଚିମବଙ୍ଗର ଅନେକ ଜିଲ୍ଲାରେ ବ୍ୟାପକ ହିଂସା ଘଟିଥିଲା ‌। ତେଣୁ କେନ୍ଦ୍ର ହନୁମାନ ଜୟନ୍ତୀ ପାଇଁ ଆଲର୍ଟ ମୋଡକୁ ଆସିବା ସହ ସବୁ ରାଜ୍ୟକୁ କଡା ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥର ଆଇନ ଶୃଙ୍ଖଳା ବଜାୟ ରଖିବାରେ କୌଣସି ଅବହେଳା ବରଦାସ୍ତ କରାଯିବ ନାହିଁ ବୋଲି କହିଛି କେନ୍ଦ୍ର ।

ରାମ ନବମୀ ଦିନ ଆରମ୍ଭ ହୋଇଥିବା ସାମ୍ପ୍ରଦାୟିକ ହିଂସାର ନିଆଁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଶମିତ ହୋଇନାହିଁ ‌। ବିଶେଷକରି ପଶ୍ଚିମବଙ୍ଗର ହୁଗଳି ଓ ହାଓ୍ବଡାରେ ସ୍ଥିତି ଏବେ ବି ଉତ୍ତେଜନାପୂର୍ଣ୍ଣ ରହିଛି ।

ଅନ୍ୟପକ୍ଷରେ କଲିକତା ହାଇକୋର୍ଟ ମଧ୍ୟ ହନୁମାନ ଜୟନ୍ତୀ ଦୃଷ୍ଟିରୁ ବୁଧବାର (ଏପ୍ରିଲ ୪) ପଶ୍ଚିମବଙ୍ଗ ସରକାରଙ୍କୁ କେନ୍ଦ୍ରଠୁ ଫୋର୍ସ ମାଗିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯଦି ରାଜ୍ୟରେ ପୋଲିସ୍ ଫୋର୍ସ ପର୍ଯ୍ୟାପ୍ତ ନୁହେଁ ତେବେ ସରକାର ପାରାମିଲିଟାରୀ ଫୋର୍ସର ସାହାଯ୍ୟ ନେଇପାରିବେ ‌। କାରଣ ଆମ ପାଇଁ ନାଗରିକଙ୍କ ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ ବୋଲି ହାଇକୋର୍ଟ କହିଛନ୍ତି |

ସେପଟେ ଦିଲ୍ଲୀରେ ମଧ୍ୟ ହନୁମାନ ଜୟନ୍ତୀକୁ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଜାହାଙ୍ଗୀରପୁରୀରେ ଦିଲ୍ଲୀ ପୋଲିସ ତରଫରୁ ଫ୍ଲାଗ୍ ମାର୍ଚ କରାଯାଇଛି। ଆସନ୍ତାକାଲି ହନୁମାନ ଜୟନ୍ତୀ ଅବସରରେ ଜାହାଙ୍ଗୀରପୁରୀ ଅଞ୍ଚଳରେ ଏକ ବିଶାଳ ଶୋଭାଯାତ୍ରା କରିବାକୁ ବିଶ୍ୱ ହିନ୍ଦୁ ପରିଷଦ ଏବଂ ଅନ୍ୟ ହିନ୍ଦୁ ସଂଗଠନଗୁଡ଼ିକୁ ପୋଲିସ ଅନୁମତି ଦେବାକୁ ମନା କରିଦେଇଛି ।

Exit mobile version