Site icon ଆଜିକାଲି

କୃଷକଙ୍କ ସହ ଚତୁର୍ଥ ପର୍ଯ୍ୟାୟ ଆଲୋଚନା ଶେଷ, ପାଞ୍ଚ ବର୍ଷିଆ ଏମ୍ଏସପି ଯୋଜନା ପ୍ରସ୍ତାବ ଦେଲେ ସରକାର

ଚଣ୍ଡିଗଡ଼: କୃଷକ ନେତା ଓ ତିନି ଜଣିଆ କେନ୍ଦ୍ରମନ୍ତ୍ରୀ କମିଟି ମଧ୍ୟରେ ଚତୁର୍ଥ ପର୍ଯ୍ୟାୟ ଆଲୋଚନା ଶେଷ ହୋଇଛି । ସର୍ବନିମ୍ନ ସହାୟତା ମୂଲ୍ୟ (ଏମ୍ଏସପି) ନେଇ ସରକାରଙ୍କ ତରଫରୁ କୃଷକଙ୍କୁ ଏକ ପାଞ୍ଚ ବର୍ଷିଆ ଯୋଜନା ପ୍ରସ୍ତାବ ଦିଆଯାଇଛି । ଆଲୋଚନା ପରେ ରବିବାର ବିଳମ୍ବିତ ରାତିରେ କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋୟଲ ଏହି ସୂଚନା ଦେଇଛନ୍ତି। ଏମଏସପି ଦରରେ ସରକାର କୃଷକମାନଙ୍କ ଠାରୁ ଡାଲି, କପା ଭଳି ମୁଖ୍ୟ ଶସ୍ୟ କିଣିବା ପାଇଁ ଚାଷୀଙ୍କ ସହ ପାଞ୍ଚ ବର୍ଷିଆ ଚୁକ୍ତି ପ୍ରସ୍ତାବ ଦିଆଯାଇଛି ବୋଲି ସେ କହିଛନ୍ତିି । ସରକାରଙ୍କ ଏହି ପ୍ରସ୍ତାବ ଉପରେ ଦୁଇ ଦିନ ମଧ୍ୟରେ ନିଷ୍ପତ୍ତି ନିଆଯିବ ବୋଲି କୃଷକ ନେତାମାନେ କହିଛନ୍ତିି ।

ରବିବାର ସନ୍ଧ୍ୟାରେ ଚଣ୍ଡିଗଡ଼ରେ ହୋଇଥିବା କେନ୍ଦ୍ର ମନ୍ତ୍ରୀ ଏବଂ କୃଷକ ନେତାଙ୍କ ମଧ୍ୟରେ ଚତୁର୍ଥ ପର୍ଯ୍ୟାୟ ଆଲୋଚନା ବିଳମ୍ବିତ ରାତିରେ ଶେଷ ହୋଇଥିଲା। ବୈଠକ ଶେଷ ହେବା ପରେ ଗୋୟଲ କହିଛନ୍ତି ଯେ ଚାଷୀଙ୍କ ସହ ଆଲୋଚନା ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶରେ ହୋଇଥିଲା।

ସେ କହିଛନ୍ତି, “ଏମଏସପିରେ ଡାଲି କିଣିବା ପାଇଁ ଚାଷୀଙ୍କ ସହ ପାଞ୍ଚ ବର୍ଷ ଚୁକ୍ତି କରିବାକୁ ଆମେ ସରକାରୀ ସମବାୟ ସମିତି ଏନସିସିଏଫ୍ ଏବଂ ନାଫେଡ୍ କୁ ପ୍ରସ୍ତାବ ଦେଇଛୁ।”

ସେହିପରି କପା ନିଗମ (ସିସିଆଇ) କୃଷକମାନଙ୍କ ସହ ଏମଏସପିରେ କପା ଫସଲ କିଣିବା ପାଇଁ ପାଞ୍ଚ ବର୍ଷ ଚୁକ୍ତି କରିବ। କୃଷକମାନେ ସେମାନଙ୍କ ଉତ୍ପାଦର ଏମଏସପି ପାଇଁ ଆଇନଗତ ଗ୍ୟାରେଣ୍ଟି ସମେତ ଅନ୍ୟାନ୍ୟ ଦାବି ନେଇ ଆନ୍ଦୋଳନ କରୁଛନ୍ତି ‌। କେନ୍ଦ୍ର କୃଷି ମନ୍ତ୍ରୀ ଅର୍ଜୁନ ମୁଣ୍ଡା, ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ପୀୟୁଷ ଗୋୟଲ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ନିତ୍ୟାନନ୍ଦ ରାୟ କୃଷକ ନେତାଙ୍କ ସହ ଆଲୋଚନା ପାଇଁ ଚଣ୍ଡିଗଡ଼ର ସେକ୍ଟର-୨୭ ସ୍ଥିତ ମହାତ୍ମା ଗାନ୍ଧୀ ରାଜ୍ୟ ପ୍ରଶାସନ ଅନୁଷ୍ଠାନରେ ପହଞ୍ଚିଥିଲେ। ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗଓ୍ଵନ୍ତ ମାନ୍ ମଧ୍ୟ ଏହି ବୈଠକରେ ଯୋଗ ଦେଇଥିଲେ। ଏହି ଆଲୋଚନା ରାତି ପ୍ରାୟ ୮.୩୦ରେ ଆରମ୍ଭ ହୋଇଥିଲା | ପୂର୍ବରୁ କେନ୍ଦ୍ରମନ୍ତ୍ରୀ କମିଟି ଏବଂ କୃଷକ ନେତାଙ୍କ ମଧ୍ୟରେ ଫେବୃଆରୀ ୮, ୧୨ ଓ ୧୫ରେ ଆଲୋଚନା ହୋଇଥିଲେ ମଧ୍ୟ କୌଣସି ସମାଧାନ ବାହାରିନଥିଲା ।

ହଜାର ହଜାର ଚାଷୀ ସେମାନଙ୍କ ଦାବି ସହିତ ପଞ୍ଜାବ ଓ ହରିୟାଣା ସୀମାର ଶମ୍ଭୁରେ ଏକାଠି ହୋଇଛନ୍ତି । କୃଷକଙ୍କ ‘ଦିଲ୍ଲୀ ଚାଲୋ’ ପଦଯାତ୍ରା ରୋକିବାକୁ ସେଠାରେ ବହୁ ସଂଖ୍ୟକ ସୁରକ୍ଷା ବାହିନୀ ମୁତୟନ କରାଯାଇଛି। ଏମଏସପି ପାଇଁ ଆଇନଗତ ଗ୍ୟାରେଣ୍ଟି ବ୍ୟତୀତ ଚାଷୀଙ୍କ କଲ୍ୟାଣ, କୃଷକ ଏବଂ କୃଷି ଶ୍ରମିକଙ୍କ ପାଇଁ ପେନ୍‌ସନ୍‌ ଏବଂ ଋଣ ଛାଡ଼, ଲକ୍ଷ୍ମୀପୁର ଖେରୀ ହିଂସା ପୀଡିତଙ୍କ ପାଇଁ ନ୍ୟାୟ, ଜମି ଅଧିଗ୍ରହଣ ଆଇନ ୨୦୧୩କୁ ପୁନଃ ଲାଗୁ କରିବା ଓ ସ୍ବାମୀନାଥନ୍ କମିଶନର ସୁପାରିଶ କାର୍ଯ୍ୟକାରୀ କରିବାକୁ କୃଷକମାନେ ଦାବି କରିଛନ୍ତି। ଗତ ଆନ୍ଦୋଳନ ସମୟରେ ନିହତ କୃଷକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରିବାକୁ ମଧ୍ୟ ସେମାନଙ୍କର ଦାବି ରହିଛି ।

Exit mobile version