Site icon ଆଜିକାଲି

ଚନ୍ଦ୍ରବାବୁ ନାଇଡୁଙ୍କୁ ମିଳିଲା ଅନ୍ତରୀଣ ଜାମିନ

ଅମରାବତୀ: ଦକ୍ଷତା ବିକାଶ ନିଗମ ଦୁର୍ନୀତି ମାମଲାରେ ଆନ୍ଧ୍ର ପ୍ରଦେଶ ହାଇକୋର୍ଟ ମଙ୍ଗଳବାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଏନ୍ ଚନ୍ଦ୍ରବାବୁ ନାଇଡୁଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ନାଇଡୁଙ୍କୁ ଚାରି ସପ୍ତାହ ପାଇଁ ଜାମିନ ପ୍ରଦାନ କରାଯାଇଛି ବୋଲି ହାଇକୋର୍ଟ ଓକିଲ ଶଙ୍କରା କୃଷ୍ଣମୂର୍ତ୍ତି କହିଛନ୍ତି ।

ଦକ୍ଷତା ବିକାଶ ନିଗମ ଦୁର୍ନୀତିରେ ସମ୍ପୃକ୍ତି ଅଭିଯୋଗରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ ରାଜାମହେନ୍ଦ୍ରବରମ୍ କେନ୍ଦ୍ରୀୟ ଜେଲରେ ଥିଲେ। ସେ ଏହା ପୂର୍ବରୁ ବିଜୟୱାଡା ଏସିବି କୋର୍ଟର ସ୍ୱତନ୍ତ୍ର ବିଚାରପତିଙ୍କୁ ଏକ ଚିଠି ଲେଖି ଜେଲ ପରିସର ତଥା ଆଖପାଖରେ କଡ଼ା ସୁରକ୍ଷା ଦାବି କରିଥିଲେ।

ନାଇଡୁ ଅକ୍ଟୋବର ୨୫ରେ ଜେଲ କର୍ତ୍ତୃପକ୍ଷଙ୍କ ମାଧ୍ୟମରେ ବିଚାରପତିଙ୍କ ନିକଟକୁ ଏହି ଚିଠି ପଠାଇଥିଲେ। ଚିଠିରେ ତେଲୁଗୁ ଦେଶମ ପାର୍ଟି (ଟିଡିପି) ମୁଖ୍ୟ କେନ୍ଦ୍ରୀୟ ଜେଲରେ ଏବଂ ଆଖପାଖରେ ଘଟିଥିବା କିଛି ଅସ୍ବାଭାବିକ ଘଟଣା ବିଷୟରେ ଲେଖିଥିଲେ । ତାଙ୍କ ଜୀବନ ପ୍ରତି ବିପଦ ଥିବା ସେ ଆଶଙ୍କା ପ୍ରକାଶ କରିଥିଲେ । ଜେଲରେ ତାଙ୍କୁ “ଜେଡ୍ ପ୍ଲସ୍” ସମାନ ସୁରକ୍ଷା ଦେବାକୁ ଅନୁରୋଧ କରିଥିଲେ ନାଇଡୁ।

ଆନ୍ଧ୍ର ପ୍ରଦେଶ ହାଇକୋର୍ଟ ଚନ୍ଦ୍ରବାବୁ ନାଇଡୁଙ୍କୁ ନଭେମ୍ବର ୨୪ ପର୍ଯ୍ୟନ୍ତ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ନଭେମ୍ବର ୨୪ରେ ତାଙ୍କୁ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ନାଇଡୁଙ୍କ ମୁଖ୍ୟ ଜାମିନ ଆବେଦନ ଉପରେ ଶୁଣାଣି ନଭେମ୍ବର ୧୦ରେ ହେବ। ଡାକ୍ତରଖାନା ଯିବା ବ୍ୟତୀତ ଅନ୍ୟ କୌଣସି କାର୍ଯ୍ୟକ୍ରମରେ ଅଂଶଗ୍ରହଣ ନକରିବାକୁ କୋର୍ଟ ନାଇଡୁଙ୍କୁ କହିଛନ୍ତି। ଗଣମାଧ୍ୟମ ତଥା ରାଜନୈତିକ କାର୍ଯ୍ୟକଳାପରେ ମଧ୍ୟ ଭାଗ ନ ନେବାକୁ ହାଇକୋର୍ଟ ଚନ୍ଦ୍ରବାବୁ ନାଇଡୁଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Exit mobile version