Site icon ଆଜିକାଲି

ଜହ୍ନର ତାପମାତ୍ରା କେତେ ? ଚନ୍ଦ୍ରଯାନ-୩ ଲ୍ୟାଣ୍ଡର ପଠାଇଲା ତଥ୍ୟ

ବେଙ୍ଗାଲୁରୁ: ଭାରତର ଚନ୍ଦ୍ରଯାନ-୩ ମିଶନର ଲ୍ୟାଣ୍ଡର ‘ବିକ୍ରମ’ ଚନ୍ଦ୍ରର ଦକ୍ଷିଣ ମେରୁରେ ତାପମାତ୍ରା ଯାଞ୍ଚ କରିଛି। ଇସ୍ରୋ ରବିବାର ଏକ୍ସ (ଟ୍ବିଟର)ରେ ଏହି ସୂଚନା ଦେଇଛି । ଇସ୍ରୋ କହିଛି ଯେ ମହାକାଶ ବିଜ୍ଞାନ ଇତିହାସରେ ପ୍ରଥମ ଥର ପାଇଁ ଚନ୍ଦ୍ରର ଦକ୍ଷିଣ ମେରୁର ତାପମାତ୍ରା ଯାଞ୍ଚ କରାଯାଇଛି । ଚନ୍ଦ୍ରପୃଷ୍ଠରୁ ୧୦ ସେମି ଗଭୀର ପର୍ଯ୍ୟନ୍ତ ତାପମାତ୍ରାରେ ପାର୍ଥକ୍ୟ ରହିଛି ।

ଇସ୍ରୋ କହିଛି, ବିକ୍ରମ ଲ୍ୟାଣ୍ଡର ଦକ୍ଷିଣ ମେରୁର ଚତୁଃପାର୍ଶ୍ଵରେ ଚନ୍ଦ୍ରପୃଷ୍ଠର ତାପମାତ୍ରା ପ୍ରୋଫାଇଲିଂ ଜାରି ରଖିଛି । ଲ୍ୟାଣ୍ଡର ବିକ୍ରମ ପଠାଇଥିବା ତଥ୍ୟ ଆଧାରରେ ଚନ୍ଦ୍ରପୃଷ୍ଠର ତାପମାତ୍ରା ନେଇ ଇସ୍ରୋ ଏକ ଗ୍ରାଫ୍ ସେୟାର କରିଛି | ଏହି ଗ୍ରାଫରେ ଦକ୍ଷିଣ ମେରୁରେ ଚନ୍ଦ୍ରପୃଷ୍ଠର ବିଭିନ୍ନ ସ୍ଥାନରେ ତାପମାତ୍ରାରେ ତାରତମ୍ୟ ପରିଲକ୍ଷିତ ହୋଇଛି ।
ଚନ୍ଦ୍ରପୃଷ୍ଠର ଯେତେ ତଳକୁ ଗଲେ ତାପମାତ୍ରା ମାଇନସ୍ ୮ ସେଣ୍ଟିଗ୍ରେଡ୍ ପର୍ଯ୍ୟନ୍ତ ହ୍ରାସ ପାଉଥିବା ବେଳେ ଉପରକୁ ଆସିଲେ ତାପମାତ୍ରା ବୃଦ୍ଧି ପାଉଥିବା ଦେଖାଯାଉଛି।

ଭାରତୀୟ ମହାକାଶ ସଂସ୍ଥା କହିଛି, “ଚନ୍ଦ୍ର ପୃଷ୍ଠର ତାପଜ ଆଚରଣ ବୁଝିବା ପାଇଁ ବିକ୍ରମ ଲ୍ୟାଣ୍ଡରରେ ଲାଗିଥିବା ‘ଚାଷ୍ଟେ’ ପେଲୋଡ୍ ଚନ୍ଦ୍ରର ଦକ୍ଷିଣ ମେରୁର ଉପର ମୃତ୍ତିକାର ତାପମାତ୍ରା ପ୍ରୋଫାଇଲିଂ କରିଛି । ତାପମାତ୍ରା ଯାଞ୍ଚ କରିବାର ଚାଷ୍ଟେ ପେଲୋଡ୍ ର କ୍ଷମତା ଅଛି ଓ ଏହା ଭୂପୃଷ୍ଠରୁ ୧୦ ସେମି ଗଭୀର ଯାଏଁ ପହଞ୍ଚି ପାରିବ ।

ଚାଷ୍ଟେ ପେଲୋଡ୍ ରେ ୧୦ଟି ଭିନ୍ନ ତାପମାତ୍ରା ସେନ୍ସର ଅଛି | ଇସ୍ରୋ ସେୟାର କରିଥିବା ଗ୍ରାଫରେ ଚନ୍ଦ୍ରର ତାପମାତ୍ରାର ପାର୍ଥକ୍ୟ ଦେଖାଯାଇଛି | ଚନ୍ଦ୍ରର ଦକ୍ଷିଣ ମେରୁ ପାଇଁ ଏହା ସର୍ବପ୍ରଥମ ତାପମାତ୍ରା ପ୍ରୋଫାଇଲିଂ | ଭାରତ ପ୍ରଥମ ଦେଶ ଯିଏକି ଏଭଳି କରିଛି ।

ଏହାପୂର୍ବରୁ ଶନିବାର ଇସ୍ରୋ ସୂଚନା ଦେଇଥିଲା ଯେ ଚନ୍ଦ୍ରଯାନ-୩ ମିଶନର ତିନୋଟି ଲକ୍ଷ୍ୟ ମଧ୍ୟରୁ ଦୁଇଟି ହାସଲ ହୋଇଥିବା ବେଳେ ତୃତୀୟ ଲକ୍ଷ୍ୟ ଅନୁଯାୟୀ ବୈଜ୍ଞାନିକ ପରୀକ୍ଷଣ ଚାଲିଛି। ଏହାଛଡ଼ା ଚନ୍ଦ୍ରଯାନ-୩ ମିଶନର ସମସ୍ତ ପେଲୋଡ୍ ସଠିକ୍ କାମ କରୁଛି | ଚନ୍ଦ୍ରଯାନ-୩ ଅଗଷ୍ଟ ୨୩ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରିଥିଲା |

Exit mobile version