Site icon ଆଜିକାଲି

ଆଜି ଚନ୍ଦ୍ରକୁ ଯିବ ଚନ୍ଦ୍ରଯାନ-୩, ପ୍ରସ୍ତୁତି ଶେଷ

ନୂଆଦିଲ୍ଲୀ: ଆଜି ଚନ୍ଦ୍ରକୁ ଯିବ ଚନ୍ଦ୍ରଯାନ-୩। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ସବୁ କିଛି ଠିକଠାକ୍ ଚାଲିଲେ ଅପରାହ୍ଣ ୨ଟା ୩୫ରେ ଶ୍ରୀହରିକୋଟାରୁ ଉତକ୍ଷେପଣ କରାଯିବ ଚନ୍ଦ୍ରଯାନ-୩। ଏଲଭିଏମ-୩ ରକେଟ୍ ଦ୍ୱାରା ମହାକାଶକୁ ପ୍ରେରଣ କରାଯିବ। ୨୦୧୯ରେ ଇସ୍ରୋର ଚନ୍ଦ୍ରଯାନ-୨ ମିଶନ୍ ଅକୃତକାର୍ଯ୍ୟ ହୋଇଥିଲା। ‘ଚନ୍ଦ୍ରଯାନ-୨’ର ବିକ୍ରମ ଲ୍ୟାଣ୍ଡର ଇଞ୍ଜିନରେ ତ୍ରୁଟି କାରଣରୁ ଏହି ମିଶନ୍ ସଫଳ ହୋଇ ନଥିଲା। ଭାରତ ପଛକୁ ନହଟି ଆରମ୍ଭ କରିଥିଲା ମିସନ ଚନ୍ଦ୍ରଯାନ-୩। ଯଦି ଏଥର ଯଦି ଚନ୍ଦ୍ର ଅଭିଯାନ ସଫଳ ହେବ, ତାହେଲେ ଇତିହାସ ରଚିବ ଭାରତ। ଚନ୍ଦ୍ରଯାନ-୩ ପ୍ରେରଣ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ କରିଛି ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର।

ତିରୁପତି ମନ୍ଦିର ଯାଇ ପୂଜାର୍ଚ୍ଚନା କରିଛନ୍ତି ଇସ୍ରୋର ବୈଜ୍ଞାନିକ। ଗତଥରର ବିଫଳତାକୁ ଦୃଷ୍ଟିରେ ରଖି ଏଥର କିପରି ସଫଳତାର ସହ ଚନ୍ଦ୍ରଯାନ ଅବତରଣ କରିବ, ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଶ୍ରୀହରିକୋଟାରୁ ଉତକ୍ଷେପଣ କରାଯିବ ଚନ୍ଦ୍ରଯାନ-୩। ଏଲଭିଏମ-୩ ରକେଟ୍ ଦ୍ୱାରା ମହାକାଶକୁ ପ୍ରେରଣ କରାଯିବ। କୋଟି କୋଟି ଭାରତୀୟଙ୍କ ନଜର ଏହା ଉପରେ ରହିଛି। ୨୦୧୯ ସେପ୍ଟେମ୍ବର ମାସରେ ଚନ୍ଦ୍ରଯାନ-୨ ପ୍ରେରଣ କରାଯାଇଥିଲା। ସବୁକିଛି ଠିକ୍ ଚାଲିଥିବା ବେଳେ ଚନ୍ଦ୍ରପୃଷ୍ଠକୁ ଛୁଇଁବାକୁ ମାତ୍ର ୪୦୦ ମିଟର ଥିବା ବେଳେ ଲ୍ୟାଣ୍ଡର ସହ ଇସ୍ରୋର ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ବେଗ ନିୟନ୍ତ୍ରଣ ହୋଇ ପାରିନଥିଲା। ଗତିପଥରେ ପରିବର୍ତ୍ତନ ଓ ଦ୍ରୁତ ଗତି ଯୋଗୁଁ ‘କ୍ରାସ ଲ୍ୟାଣ୍ଡିଂ’ କରିଥିଲା ଲ୍ୟାଣ୍ଡର। ଏହାସହ ଭାରତର ଚନ୍ଦ୍ର ବିଜୟ ସ୍ୱପ୍ନ ମଧ୍ୟ ଚୁରମାର ହୋଇ ଯାଇଥିଲା। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଚନ୍ଦ୍ରଯାନ-୩ ପାଇଁ ଓଡ଼ିଶାରୁ ଯାଇଛି ଗୁରୁତ୍ୱପୂର୍ଣ୍ଣ ଯନ୍ତ୍ରାଂଶ। ଲ୍ୟାଣ୍ଡର, ରୋଭର ଓ ମହାକାଶଯାନ ପାଇଁ ଅନେକ ଯନ୍ତ୍ରାଂଶ ତିଆରି କରି ଇସ୍ରୋକୁ ପଠାଇଛି ଭୁବନେଶ୍ୱର ସ୍ଥିତ ସିଟିଟିସି ବା ‘ସେଣ୍ଟ୍ରାଲ ଟୁଲ୍ ରୁମ୍ ଆଣ୍ଡ ଟ୍ରେନିଂ ସେଣ୍ଟର’।

ଛୋଟବଡ଼ ହଜାର ହଜାର ଯନ୍ତ୍ରାଂଶ ତିଆରି ପାଇଁ ଦିନରାତି ଏକ କରି ଦେଇଥିଲେ ସିଟିଟିସିର ଟେକ୍ନିସିଆନ୍। ଚନ୍ଦ୍ରର ସାଉଥ୍ ପୋଲ୍ ବା ଦକ୍ଷିଣ ଧ୍ରୁବ ନିକଟରେ ଚନ୍ଦ୍ରଯାନ-୩ ଅବତରଣ କରିବ ବୋଲି ଲକ୍ଷ୍ୟ ରଖାଯାଇଛି। ଯଦି ସବୁକିଛି ଠିକ୍ ଠାକ୍ ଚାଲେ, ତେବେ ଚନ୍ଦ୍ରର ୭୦ ଡିଗ୍ରୀ ଦକ୍ଷିଣ ଅକ୍ଷାଂଶରେ ଅବତରଣ କରିବ ଲ୍ୟାଣ୍ଡର ଓ ରୋଭର। ଯାହା ବିଶ୍ୱ ପାଇଁ ନୂଆ ଉପଳବ୍ଧି ଆଣିବ। କାରଣ ଏପର୍ଯ୍ୟନ୍ତ ଦକ୍ଷିଣ ଧ୍ରୁବର ଏତେ ନିକଟବର୍ତ୍ତୀ ଅଞ୍ଚଳରେ ପହଞ୍ଚିପାରିନି କାହାରି ଚନ୍ଦ୍ରଯାନ।

ଏଲଭିଏମ୍‌-୩ ଚନ୍ଦ୍ରଯାନ-୩କୁ ପୃଥିବୀ ପୃଷ୍ଠଠାରୁ ୩,୮୪,୦୦୦ ଦୂରକୁ ନେଇ ଯିବ। ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ ପହଞ୍ଚିବାକୁ ପ୍ରାୟ ୪୫ରୁ ୪୮ଦିନ ଲାଗିଯିବ। ତେଣୁ ଅଗଷ୍ଟ ୨୩ କିମ୍ବା ୨୪ ତାରିଖରେ ଏହା ଚନ୍ଦ୍ରପୃଷ୍ଠରେ ପହଞ୍ଚିବ। ଚନ୍ଦ୍ରଯାନର ମୋଟ ଓଜନ ୩୯୦୦ କିଲୋ ହୋଇଥିବାବେଳେ ଏଥିରେ ଥିବା ଲ୍ୟାଣ୍ଡର (ବିକ୍ରମ) ୧୭୫୨ କିଲୋ, ରୋଭର (ପ୍ରଜ୍ଞାନ) ୨୬ କିଲୋ ଓ ପ୍ରୋପୁଲଜନ ମୋଡୁଲ ୨୧୪୮ କିଲୋ।

Exit mobile version