Site icon ଆଜିକାଲି

ଡ଼୍ରାଇଭରଙ୍କ ‘ଔକାତ୍’ ଉପରେ ପ୍ରଶ୍ନ କରିଥିବା ଜିଲ୍ଲାପାଳଙ୍କୁ ବଦଳି

ଭୋପାଳ : ଟ୍ରକ ଧର୍ମଘଟ ନେଇ ଆଲୋଚନା ବେଳେ ଜଣେ ଡ଼୍ରାଇଭରଙ୍କୁ ଅପମାନିତ କରିବା ମଧ୍ୟପ୍ରଦେଶ ଶାଜାପୁର ଜିଲ୍ଲାପାଳଙ୍କୁ ମହଙ୍ଗା ପଡ଼ିଛି । ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ଶାଜାପୁର ଜିଲ୍ଲାପାଳ କିଶୋର କନ୍ୟାଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପୂର୍ବକ ତାଙ୍କୁ ହଟାଇ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ଡକ୍ଟର ଯାଦବ କହିଛନ୍ତି ଯେ ଏହି ସରକାର ଗରିବଙ୍କ ସରକାର। ସମସ୍ତଙ୍କ କାର୍ଯ୍ୟ ଏବଂ ଭାବନାକୁ ସମ୍ମାନ ଦିଆଯିବା ଉଚିତ୍ । ମୁଁ ନିଜେ ଏକ ଶ୍ରମିକ ପରିବାରର ପୁଅ । ଏପରି ଭାଷା ବରଦାସ୍ତ କରାଯିବ ନାହିଁ। ଅଧିକାରୀମାନେ ନିଜ ଭାଷା ଏବଂ ଆଚରଣ ପ୍ରତି ଧ୍ୟାନ ଦିଅନ୍ତୁ ।

ମଙ୍ଗଳବାର ଶାଜାପୁର ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ନୂଆ ‘ହିଟ୍ ଆଣ୍ଡ୍ ରନ୍’ ଆଇନ ବିରୋଧରେ ଟ୍ରକ୍ ଧର୍ମଘଟ ନେଇ ଡ୍ରାଇଭର ସଂଘ ସହ ଏକ ବୈଠକ କରିଥିଲେ ଶାଜାପୁର ଜିଲ୍ଲା ମାଜିଷ୍ଟ୍ରେଟ କିଶୋର କନ୍ୟାଲ । ଏତିକିବେଳେ ଜଣେ ଡ୍ରାଇଭର ଯୁକ୍ତିତର୍କ କରିବାରୁ ତାଙ୍କ ଉପରେ ରାଗି ‌ଯାଇ ‘ତମ ଔକାତ (ସାମାଜିକ ସ୍ଥିତି) କ’ଣ ବୋଲି କହିଥିଲେ । ତେବେ ପରେ ତାଙ୍କ ଭୁଲ ବୁଝିପାରି କନ୍ୟାଲ ଦୁଃଖ ପ୍ରକାଶ କରିଥିଲେ। ହେଲେ ଡ଼୍ରାଇଭରଙ୍କ ଉପରେ ଶାଜାପୁର ଜିଲ୍ଲାପାଳଙ୍କ ବାବୁଗିରି ଭିଡ଼ିଓ ଭାଇରାଲ ହେବା ପରେ ସୋସିଆଲ ମିଡ଼ିଆରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।

ଏହି ଭିଡ଼ିଓ ଭାଇରାଲ ହେବା ପରେ ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ଶାଜାପୁର ଜିଲ୍ଲାପାଳ କିଶୋର କନ୍ୟାଲଙ୍କୁ ବଦଳି ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କୌଣସି ସ୍ତରରେ ଏଭଳି ଆଚରଣ କିମ୍ବା ଅନୈତିକତାକୁ ବରଦାସ୍ତ କରାଯିବ ନାହିଁ। ବିଳମ୍ବ ନକରି ଏଭଳି ଆଚରଣ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି ।

Exit mobile version