Site icon ଆଜିକାଲି

କୁନୋରେ ତିନି ଶାବକଙ୍କୁ ଜନ୍ମ ଦେଲା ଚିତା ‘ଜ୍ୱାଲା’

ଭୋପାଳ: କୁନୋ ଜାତୀୟ ଉଦ୍ୟାନରେ ନାମିବ୍ୟାରୁ ଅଣାଯାଇଥିବା ଏକ ଚିତା ‘ଜ୍ବାଲା’ ତିନୋଟି ଛୁଆ ଜନ୍ମ କରିଛି । ଏହା ପୂର୍ବରୁ ଜାନୁଆରୀ ୩ରେ ଚିତା ‘ଆଶା’ ତିନିଟି ଛୁଆ ଜନ୍ମ କରିଥିଲା । ବର୍ତ୍ତମାନ କୁନୋ ଜାତୀୟ ଉଦ୍ୟାନରେ ଚିତା ଶାବକ ସଂଖ୍ୟା ୬କୁ ବୃଦ୍ଧି ପାଇଛି ।

କେନ୍ଦ୍ର ପରିବେଶ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ସୂଚନା ଦେଇ କହିଛନ୍ତି, କୁନୋରେ ନୂଆ ଶାବକ । ‘ଜ୍ବାଲା’ ନାମକ ନାମିବ୍ୟା ଚିତା ତିନି ଶାବକଙ୍କୁ ଜନ୍ମ ଦେଇଛି। ନାମିବ୍ୟାର ଆଉ ଏକ ଚିତା “ଆଶା’ କିଛି ସପ୍ତାହ ତଳେ ତିନୋଟି ଶାବକ ଜନ୍ମ କରିଥିଲା। ସମସ୍ତ ବନ୍ୟପ୍ରାଣୀ ଫ୍ରଣ୍ଟ ଲାଇନ୍ ଯୋଦ୍ଧା ଓ ବନ୍ୟପ୍ରାଣୀ ପ୍ରେମୀଙ୍କୁ ଅଭିନନ୍ଦନ। ଭାରତରେ ଏହିପରି ବନ୍ୟପ୍ରାଣୀଙ୍କ ଅଭିବୃଦ୍ଧି ହେଉ। କେନ୍ଦ୍ର ପରିବେଶ ମନ୍ତ୍ରୀ କୁନୋରେ ନୂଆ ଚିତା ଶାବକ ଭିଡିଓକୁ ‘ଏକ୍ସ’ ରେ ସେୟାର କରିଛନ୍ତି।

ଗତ ବର୍ଷ ୨୭ ମାର୍ଚ୍ଚରେ ମଧ୍ୟ ଚିତା ‘ଜ୍ବାଲା’ ଚାରି ଛୁଆ ଜନ୍ମ କରିଥିଲା, କିନ୍ତୁ ସେମାନଙ୍କ ମଧ୍ୟରୁ ତିନିଜଣଙ୍କର ମୃତ୍ୟୁ ହୋଇଥିଲା। ଏକ ମାଈ ଛୁଆ ସମ୍ପ୍ରତି ୧୦ ମାସର ହୋଇଗଲାଣି ଓ ଏହା ସମ୍ପୂର୍ଣ୍ଣ ସୁସ୍ଥ ଅଛି ।

ସୂଚନାଯୋଗ୍ୟ, ଦୁଇଟି ପର୍ଯ୍ୟାୟରେ ଦକ୍ଷିଣ ଆଫ୍ରିକା ଏବଂ ନାମିବ୍ୟାରୁ ୨୦ଟି ଚିତାବାଘ ଅଣାଯାଇ କୁନୋ ଜାତୀୟ ଉଦ୍ୟାନରେ ଛଡ଼ା ଯାଇଥିଲା। ସେଥିମଧ୍ୟରୁ ୭ ଚିତାଙ୍କ ମୃତ୍ୟୁ ଘଟିଛି।

Exit mobile version