Site icon ଆଜିକାଲି

ଗୁଜରାଟ ଟାଇଟନ୍ସକୁ ୧୫ ରନରେ ହରାଇ ୧୦ମ ଥର ପାଇଁ ଆଇପିଏଲ ଫାଇନାଲ୍‌ରେ ଚେନ୍ନାଇ

ଚେନ୍ନାଇ : ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ)-୨୦୨୩ର ଫାଇନାଲ୍‌ରେ ପ୍ରବେଶ କଲା ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ଵାଧୀନ ଚେନ୍ନାଇ ସୁପର କିଙ୍ଗ୍ସ। ଋତୁରାଜ ଗାଏକଓ୍ଵାଡଙ୍କ ଲଢୁଆ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶାଣିତ ବୋଲିଂ ବଳରେ ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳା ଯାଇଥିବା ଆଇପିଏଲ୍ ୨୦୨୩ର ପ୍ରଥମ କ୍ଵାଲିଫାୟର ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ ଡିଫେଣ୍ଡିଂ ଚାମ୍ପିଅନ ଗୁଜରାଟ ଟାଇଟନ୍ସକୁ ୧୫ ରନରେ ପରାସ୍ତ କରିଛି। ବିଜୟ ସହ ଚେନ୍ନାଇ ୧୦ମ ଥର ଆଇପିଏଲ୍ ଫାଇନାଲ୍‌ରେ ପହଞ୍ଚିବାରେ ସଫଳ ହୋଇଛି। ଅନ୍ୟପଟେ ପରାସ୍ତ ହୋଇଥିବା ଗୁଜରାଟ୍ ଟାଇଟନ୍ସ ଏଲିମିନେଟର ମୁକାବିଲାରେ ବିଜୟୀ ଦଳକୁ ଦ୍ଵିତୀୟ ପ୍ଲେ ଅଫରେ ଭେଟିବ।

ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ଋତୁରାଜଙ୍କ ୬୦ ଏବଂ ଡେଭନ କନଓ୍ଵେଙ୍କ ୪୦ ରନ ବଳରେ ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ୍ ହରାଇ ୧୭୨ ରନ କରିଥିଲା। ଜବାବରେ ଗୁଜରାଟ୍ ୨୦ ଓଭରରେ ୧୫୭ ରନରେ ଅଲଆଉଟ୍ ହୋଇଛି। ଦଳ ପକ୍ଷରୁ ଶୁଭମନ ଗିଲ୍ ସର୍ବାଧିକ ୪୨ ରନ କରିଥିବା ବେଳେ ଶେଷ ଆଡ଼କୁ ରଶିଦ ଖାନ ୩୦ ରନ କରିଥିଲେ। ବୋଲିଂରେ ଚେନ୍ନାଇ ପକ୍ଷରୁ ରବୀନ୍ଦ୍ର ଜାଡ଼େଜା, ମହିସ ତିକ୍ଷନା ଏବଂ ଦୀପକ ଚହର ପ୍ରତ୍ୟେକ ୨ଟି ଲେଖାଏଁ ଓ୍ଵିକେଟ୍ ନେଇ ଦଳ ବିଜୟରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।

Exit mobile version