Site icon ଆଜିକାଲି

ଜାଡେଜାଙ୍କ ଯାଦୁ, ଚେନ୍ନାଇ ସୁପରକିଙ୍ଗ୍ସ ଜିତିଲା ପଞ୍ଚମ ଆଇପିଏଲ୍ ଟାଇଟଲ୍

ଅହମ୍ମଦାବାଦ: ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପରକିଙ୍ଗ୍ସ ପଞ୍ଚମ ଥର ଆଇପିଏଲ୍ ମୁକୁଟ ପିନ୍ଧିଛି । ବର୍ଷା ପ୍ରଭାବିତ ରୋମାଞ୍ଚକ ଫାଇନାଲରେ ଗତ ଥରର ବିଜେତା ଗୁଜରାଟ ଟାଇଟାନ୍ସକୁ ୫ ୱିକେଟରେ ହରାଇ ଚାମ୍ପିୟନ ହୋଇଛି ଚେନ୍ନାଇ । ରବୀନ୍ଦ୍ର ଜାଡେଜା ଶେଷ ଦୁଇଟି ବଲରୁ ଛକା ଓ ଚୌକା ମାରି ଚେନ୍ନାଇକୁ ବିଜୟମଣ୍ଡିତ କରିଥିଲେ । ଚେନ୍ନାଇ ଏବେ ସର୍ବାଧିକ ପାଞ୍ଚଟି ଟାଇଟଲ୍ ଜିତି ମୁମ୍ବାଇ ଇଣ୍ଡିଆନ୍ସ ସହ ସମକକ୍ଷ ହୋଇଛି ।

ବର୍ଷା ଯୋଗୁଁ ରିଜର୍ଭ ଦିବସରେ ଖେଳାଯାଇଥିବା ଫାଇନାଲ୍ ଶେଷ ବଲ୍ ପର୍ଯ୍ୟନ୍ତ ରୋମାଞ୍ଚକର ହୋଇଥିଲା | ଡକୱର୍ଥ-ଲୁଇସ୍ ନିୟମାନୁଯାୟୀ ଚେନ୍ନାଇ ସମ୍ମୁଖରେ ୧୫ ଓଭରରେ ୧୭୨ ରନର ସଂଶୋଧିତ ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଖେଳର ଗତି ପ୍ରତି ମୁହୂର୍ତ୍ତରେ ବଦଳୁଥିଲା । ମୋହିତ ଶର୍ମା ଲଗାତାର ୟର୍କର ପକାଇ ଗୁଜରାଟର ବିଜୟ ପ୍ରାୟତଃ ନିଶ୍ଚିତ କରିଦେଇଥିଲେ । କିନ୍ତୁ ଜାଡେଜାଙ୍କ ଭିନ୍ନ କିଛି ଯୋଜନା ଥିଲା। ଚେନ୍ନାଇକୁ ଶେଷ ଦୁଇଟି ବଲରୁ ୧୦ ରନ୍ ଆବଶ୍ୟକ ହେଉଥିବା ବେଳେ ସମସ୍ତଙ୍କ ଉତ୍କଣ୍ଠା ବଢ଼ ଯାଇଥିଲା । ତେବେ ଜାଡେଜା ପଞ୍ଚମ ବଲରେ ବୋଲରଙ୍କ ମୁଣ୍ଡ ଉପର ଦେଇ ଏକ ଛକା ମାରିଥିଲେ। ସେ ଶେଷ ବଲରୁ ଏକ ଚୌକା ମାରି ଚେନ୍ନାଇ ଶିବିରରେ ବିଜୟ ଉତ୍ସବ ଆରମ୍ଭ କରିଥିଲେ । କନଓ୍ବେ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଓ ଶୁଭମାନ ଗିଲ୍ ପ୍ଲେୟାର ଅଫ୍ ଦି ସିରିଜ୍ ବିବେଚିତ ହୋଇଥିଲେ ।

ଏହାପୂର୍ବରୁ ସାଇ ସୁଦର୍ଶନଙ୍କ ୪୭-ବଲ୍ ୯୬ ରନର ଚମତ୍କାର ଇନିଂସ୍ ସହାୟତାରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଗୁଜରାଟ ଟାଇଟାନ୍ସ ୨୦ ଓଭରରେ ୪ ଓ୍ବିକେଟ୍ ହରାଇ ୨୧୪ ରନର ବଡ଼ ସ୍କୋର୍ କରିଥିଲା । ସୁଦର୍ଶନ ତାଙ୍କ ଇନିଂସରେ ୮ଟି ଚୌକା ଓ ୬ଟି ଛକା ମାରିଥିଲେ। ଟୁର୍ଣ୍ଣାମେଣ୍ଟର ସର୍ବାଧିକ ସ୍କୋରର ଶୁଭମାନ ଗିଲ୍ ୨୦ଟି ବଲରେ ୩୯ ସ୍କୋର କରି ଆଉଟ ହୋଇଥିବା ବେଳେ ରିଦ୍ଧିମାନ ଶାହା ଅର୍ଦ୍ଧଶତକ ହାସଲ କରିଥିଲେ। ସାହା ପାଞ୍ଚଟି ଚୌକା ଓ ଗୋଟିଏ ଛକା ସହାୟତାରେ ୩୯ ବଲରେ ୫୪ ରନ୍ ସଂଗ୍ରହ କରିଥିଲେ।

ବର୍ଷା ଯୋଗୁଁ ଡକୱର୍ଥ-ଲୁଇସ୍ ନିୟମାନୁଯାୟୀ ଚେନ୍ନାଇ ସମ୍ମୁଖରେ ୧୫ ଓଭରରେ ୧୭୨ ରନର ସଂଶୋଧିତ ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା । ଏହର ବାବରେ ଚେନ୍ନାଇ ଆକ୍ରମଣାତ୍ମକ ଆରମ୍ଭ କରିଥିଲା । ଡେଭନ୍ କନୱେ (୨୫ ବଲରେ ୪୭ ରନ୍) ଏବଂ ଋତୁରାଜ ଗାଏକୱାଡ (୧୬ ବଲରେ ୨୬ ରନ୍) ପ୍ରଥମ ୱିକେଟ୍ ପାଇଁ ୩୯ ବଲରେ ୭୪ ରନ୍ ଯୋଡିଥିଲେ। ଆଫଗାନିସ୍ତାନର ନୁର ଅହମ୍ମଦ ସପ୍ତମ ଓଭରରେ ଉଭୟଙ୍କୁ ପାଭିଲିୟନକୁ ପଠାଇ ଗୁଜରାଟର ପ୍ରତ୍ୟାବର୍ତ୍ତନ ବାଟ ଫିଟାଇଥିଲେ । ଅଜିଙ୍କ୍ୟ ରାହାଣେ ୧୩ ବଲରେ ଦ୍ରୁତ ୨୭ ରନ୍ କରି ମୋହିତଙ୍କ ପ୍ରଥମ ଶିକାର ହୋଇଥିଲେ।

ଅନ୍ୟ ପଟେ ଶିବମ୍ ଦୁବେ ସେଟ୍ ହେବାକୁ ସମୟ ନେଇଥିଲେ ‌। ତେବେ ରସିଦ ଖାନଙ୍କ ଓଭରରେ ଦୁଇଟି ଛକା ମାରି ହାତ ଖୋଲିଥିଲେ। ତାଙ୍କର ଶେଷ ମ୍ୟାଚ୍ ଖେଳୁଥିବା ଅମ୍ବାତି ରାୟୁଡୁ ଗୋଟିଏ ଚୌକା ଏବଂ ଦୁଇଟି ଛକା ସହ ୮ଟି ବଲରେ ୧୯ ରନ୍ କରିଥିଲେ। ମୋହିତ ପୁଣି ଥରେ ୧୩ ତମ ଓଭରରେ ଲଗାତାର ଦୁଇଟି ବଲରେ ୱିକେଟ୍ ନେଇ ଗୁଜରାଟ ବିଜୟ ଆଶା ବଢ଼ଇ ଦେଇଥିଲେ । ରାୟୁଡୁଙ୍କ ଆଉଟ୍ କରିବା ପରେ ଧୋନି କ୍ରିଜକୁ ଓହ୍ଲାଇବା କ୍ଷଣି ଷ୍ଟାଡିୟମରେ ଉପସ୍ଥିତ ପ୍ରାୟ ୭୦ ହଜାର ଦର୍ଶକ ଛିଡା ହୋଇ ତାଙ୍କୁ ଅଭିବାଦନ ଜଣାଇଥିଲେ । ହେଲେ ଧୋନି ଖାତା ଖୋଲିନପାରି ପ୍ରଥମ ବଲରେ ଡେଭିଡ ମିଲରଙ୍କୁ କ୍ୟାଚ୍ ଦେଇଥିଲେ ।

ଏହା ପରେ ଗୁଜରାଟର ବୋଲରମାନେ ପ୍ରାଧାନ୍ୟ ବିସ୍ତାର କରିବା ଆରମ୍ଭ କରିଥିଲେ । ଚେନ୍ନାଇକୁ ଶେଷ ଦୁଇଟି ଓଭରରେ ୨୨ ରନ୍ ଏବଂ ଶେଷ ଓଭରରେ ୧୩ ରନ୍ ଆବଶ୍ୟକ ହେଉଥିଲା । ଶେଷ ଓଭରର ପ୍ରଥମ ଚାରିଟି ବଲ୍ ୟର୍କର ପକାଇଥିଲେ ମୋହିତ । କିନ୍ତୁ ଶେଷ ଦୁଇଟି ବଲରେ ୧୦ ରନ୍ ଦେଇଥିଲେ । ଶେଷ ଦୁଇଟି ବଲରେ ଛକା ଓ ଚୌକା ମାରି ଜାଡେଜା ଗୁଜରାଟ ହାତରୁ ବିଜୟ ଛଡ଼ାଇ ନେଇଥିଲେ।

Exit mobile version