Site icon ଆଜିକାଲି

ଜୀବନବ୍ୟାପୀ ସାଧନା ପାଇଁ ସମ୍ମାନିତ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ନୂଆଦିଲ୍ଲୀ : ଜୀବନବ୍ୟାପୀ ସାଧନା ପାଇଁ ସମ୍ମାନିତ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନୂଆଦିଲ୍ଲୀର ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟରରେ କ୍ୟାପିଟାଲ ଫାଉଣ୍ଡେସନ୍ ସୋସାଇଟି ପକ୍ଷରୁ ଆୟୋଜିତ ଉତ୍ସବରେ ନବୀନଙ୍କୁ ଦିଆଯାଇଛି ସମ୍ମାନ।

ସୁପ୍ରିମକୋର୍ଟର ଅବସରପ୍ରାପ୍ତ ପ୍ରଧାନ ବିଚାରପତି ଜଷ୍ଟିସ ଏନ.ଭି ରମନ୍ନା ମୁଖ୍ୟମନ୍ତ୍ରୀଙ୍କୁ ଏହି ସମ୍ମାନ ଜନକ ପୁରସ୍କାର ପ୍ରଦାନ କରିଛନ୍ତି । ୧୯୯୭ରେ ରାଜନୀତିରେ ପାଦ ଦେଇଥିବା ନବୀନ ୨୦୦୦ ମସିହାରୁ ଲଗାତର ୫ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇ ରେକର୍ଡ କରିବା ସହ ସୃଷ୍ଟି କରିଛନ୍ତି ବିକାଶର ନୂଆ ଅଧ୍ୟାୟ ।

ବିପର୍ଯ୍ୟୟ ମୁକାବିଲାରୁ ଆରମ୍ଭ କରି ସାଢ଼େ ୪କୋଟି ଓଡ଼ିଆଙ୍କ ପାଇଁ ଖାଦ୍ୟ ସୁରକ୍ଷାକୁ ନିଶ୍ଚିତ କରିବାରେ ‘ନବୀନ ମଡେଲ’ ଏବେ ସବୁଠି ଚର୍ଚ୍ଚିତ ଓ ଉଚ୍ଚ ପ୍ରଶଂସିତ । ପିଡିଏସ୍ ବ୍ୟବସ୍ଥାରେ ଓଡ଼ିଶାକୁ ତୃତୀୟ ବୃହତ୍ତମ ଯୋଗଦାନକାରୀ ଭାବେ ପ୍ରସ୍ତୁତ କରିବା, ରାଜ୍ୟବାସୀଙ୍କ ପାଇଁ ଗୃହ ସୁରକ୍ଷା ନିଶ୍ଚିତ କରିବା, ମିସନ ଶକ୍ତି ମାଧ୍ୟମରେ ୭୦ଲକ୍ଷ ମହିଳାଙ୍କୁ ସଶକ୍ତ କରିବା, କାଳିଆ ଯୋଜନା ମାଧ୍ୟମରେ କୃଷକମାନଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କ ଆୟକୁ ଦ୍ବିଗୁଣିତ କରିବା, ଓଡ଼ିଶାକୁ ୫-ଟି ଏବଂ ମୋ ସରକାର ମାଧ୍ୟମରେ ରୂପାନ୍ତରଣ କରିବା, ଓଡ଼ିଶାକୁ ବିଶ୍ବ କ୍ରୀଡ଼ା ହବ୍‌ରେ ପରିଣତ କରିବା, ଆନ୍ତର୍ଜାତୀୟ ସ୍ତରରେ ଓଡ଼ିଶାକୁ ଶିଳ୍ପ ସମୃଦ୍ଧ ରାଜ୍ୟ ଭାବେ ପ୍ରତିଷ୍ଠିତ କରିବା, ଦକ୍ଷତା ବିକାଶ ମାଧ୍ୟମରେ ଲକ୍ଷ ଲକ୍ଷ ଓଡ଼ିଆ ଯୁବକଙ୍କୁ ସଶକ୍ତ କରିବା, ଆଦିବାସୀଙ୍କ ବିକାଶ କରିବା, ଦେଶର ଏକ ନମ୍ବର ରାଜ୍ୟ ଭାବେ ଜଙ୍ଗଲ ଅଧିକାର ଆଇନ୍ ଅଧୀନରେ ଆଦିବାସୀଙ୍କୁ ଜମି ଅଧିକାର ପ୍ରଦାନ କରିବା, ୫ଲକ୍ଷରୁ ଅଧିକ ଆଦିବାସୀ ବାଳିକାଙ୍କୁ ସଶକ୍ତ କରିବା ପାଇଁ ଆଦିବାସୀ ହଷ୍ଟେଲର ବ୍ୟବସ୍ଥା କରିବା, ବିଜୁ ପକ୍କା ଘର ଯୋଜନାରେ ସମସ୍ତ ଗରିବଙ୍କୁ ପକ୍କା ଘର ଯୋଗାଇବା, ଦେଶରେ ପ୍ରଥମ ଥର ପାଇଁ ସହରାଞ୍ଚଳର ବାସହରାଙ୍କୁ ଜାଗା ମିସନ୍ ଜରିଆରେ ଜମି ଅଧିକାର ପ୍ରଦାନ କରିବା ଭଳି ଯୁଗାନ୍ତକାରୀ ପଦକ୍ଷେପ ନବୀନ ନେଇଛନ୍ତି । ୨୨ ବର୍ଷରୁ ଅଧିକ ସମୟ ଧରି ନିର୍ମଳ ଭାବମୂର୍ତ୍ତି ସହ ଓଡିଶାବାସୀଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଆସିଛନ୍ତି ନବୀନ ପଟ୍ଟନାୟକ। ସେଥିପାଇଁ ତ ସେ ଲୋକଙ୍କ ହୃଦୟର ସମ୍ରାଟ।

Exit mobile version