Site icon ଆଜିକାଲି

ଆଜି ମୁମ୍ବାଇ ନିବେଶକ ସମ୍ମିଳନୀରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର : ମୁମ୍ବାଇରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତିନିଦିନିଆ ଗସ୍ତରେ ମଙ୍ଗଳବାର ସନ୍ଧ୍ୟାରେ ମୁମ୍ବାଇ ପହଞ୍ଚି ଥିବାବେଳେ ଆଜି ମୁମ୍ବାଇର ଟ୍ରାଇଡେଣ୍ଟ ହୋଟେଲରେ ଅନୁଷ୍ଠିତ ହେବାକୁ ଥିବା ନିବେଶକ ସମ୍ମିଳନୀରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ । ଏହି ଅବସରରେ ସେ ଆଦିତ୍ୟ ବିର୍ଲା ଗ୍ରୁପର ମୁଖ୍ୟ କୁମାର ମଙ୍ଗଳମ୍ ବିର୍ଲା, ବେଦାନ୍ତର ଅଧ୍ୟକ୍ଷ ଅନିଲ ଅଗ୍ରୱାଲଙ୍କ ସମେତ କେତେକ ବିଶିଷ୍ଟ ଉଦ୍ୟୋଗୀଙ୍କୁ ଭେଟି ଆଲୋଚନା କରିବା ସହ ନଭେମ୍ବର ୩୦ରୁ ଡିସେମ୍ବର ୪ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବରରେ ଆୟୋଜନ ହେବାକୁ ଥିବା ମେକ୍‌ ଇନ୍‌ ଓଡ଼ିଶା ସମ୍ମିଳନୀ ସାମିଲ୍‌ ହେବାକୁ ନିମନ୍ତ୍ରଣ ଦେବେ। ଏଥିସହ ଓଡ଼ିଶାରେ ପୁଞ୍ଜିନିବେଶ କଲେ କି’ ପ୍ରକାରର ସହଯୋଗ ଯୋଗାଇଦେବେ ସେନେଇ ଆଲୋଚନା କରିବେ।

ସେହିପରି ଆସନ୍ତା ୧୫ତାରିଖ ସକାଳେ ମୁଖ୍ୟମନ୍ତ୍ରୀ ବମ୍ବେ ଷ୍ଟକ ଏକ୍ସଚେଞ୍ଜର ଓପନିଂ ବେଲ୍‌ ବଜାଇବାର କାର୍ଯ୍ୟକ୍ରମ ରହିଛି। ପ୍ରତିଦିନ ସକାଳ ୯ଟାରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜ ଖୋଲୁଥିବାବେଳେ କାରବାର ଆରମ୍ଭ ପୂର୍ବରୁ ଏହି ଓପନିଂ ବେଲ୍‌ ବଜାଇବାର ପରମ୍ପରା ରହିଛି । ବେଲ୍‌ ବାଜିବାର ୧୫ ମିନିଟ ପରେ ଏଠାରେ ଟ୍ରେଡିଂ ଆରମ୍ଭ ହୋଇଥାଏ। ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ପୂର୍ବରୁ ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ, ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଶିଳ୍ପ ସଚିବ ହେମନ୍ତ ଶର୍ମାଙ୍କ ସମେତ ବରିଷ୍ଠ ପଦାଧିକାରୀମାନେ ମୁମ୍ବାଇ ଗସ୍ତରେ ଯାଇ କାର୍ଯ୍ୟକ୍ରମ ପ୍ରସ୍ତୁତିରେ ଲାଗିଛନ୍ତି। ଆସନ୍ତା ୧୫ ତାରିଖ ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଭୁବନେଶ୍ବର ଫେରିବାର କାର୍ଯ୍ୟକ୍ରମ ରହିଛି।

Exit mobile version