Site icon ଆଜିକାଲି

ଆଜି ଚିଲି-ନାଇଜେରିଆ ଓ ବ୍ରାଜିଲ-ଭାରତ ମୁକାବିଲା

ଭୁବନେଶ୍ୱର : ଆଜି ଶେଷ ହେବ ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌ର ଭୁବନେଶ୍ୱର ପର୍ଯ୍ୟାୟ । ଏହି ପରିପ୍ରେକ୍ଷୀରେ ସୋମବାର କଳିଙ୍ଗ ଷ୍ଟାଡିୟମରେ ୨ଟି ମ୍ୟାଚ୍‌ ଅନୁଷ୍ଠିତ ହେବ। ପ୍ରଥମ ମ୍ୟାଚ୍‌ ଚିଲି ଓ ନାଇଜେରିଆ ମଧ୍ୟରେ ଅପରାହ୍ନ ୪ଟା ୩୦ରେ ଅନୁଷ୍ଠିତ ହେବ। ସେହିପରି ରାତି ୮ଟାରେ ଦ୍ୱିତୀୟ ମ୍ୟାଚ୍‌ରେ ବ୍ରାଜିଲକୁ ଭେଟିବ ଭାରତ।

ଆୟୋଜକ ଦଳ ଭାବେ ପ୍ରଥମଥର ପାଇଁ ବିଶ୍ୱକପ୍‌ ଖେଳିବାକୁ ସୁଯୋଗ ପାଇଥିବା ଭାରତ ଗ୍ରୁପ୍‌ ‘ଏ’ରେ ପ୍ରଥମ ୨ଟି ମ୍ୟାଚ୍‌ ହାରି କ୍ୱାର୍ଟର ଫାଇନାଲ ଦୌଡ଼ରୁ ବାଦ୍‌ ପଡ଼ିସାରିଛି। ସ୍ବିଡେନ୍‌ର ଥୋମାସ ଡେନର୍ବିଙ୍କ ପ୍ରଶିକ୍ଷଣପ୍ରାପ୍ତ ଦଳ ପ୍ରଥମ ମ୍ୟାଚ୍‌ରେ ଆମେରିକାଠାରୁ ଶୋଚନୀୟ ଭାବେ ୦-୮ ଗୋଲରେ ହାରିବା ପରେ ଦ୍ୱିତୀୟ ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରିଥିଲେ ହେଁ ମର୍‌କ୍କୋଠାରୁ ୦-୩ ଗୋଲରେ ପରାଜିତ ହୋଇଥିଲା। ଭାରତ ଏହି ପ୍ରତିଯୋଗିତାରେ କେବଳ ପରାଜିତ ହୋଇନାହିଁ ଗୋଟିଏ ହେଲେ ଗୋଲ ମଧ୍ୟ ସ୍କୋର କରିବାରେ ସକ୍ଷମ ହୋଇନାହିଁ। ତେଣୁ ଫୁଟ୍‌ବଲ ସଂସ୍କୃତିସମ୍ପନ୍ନ ଦେଶ ବ୍ରାଜିଲର ଖେଳାଳିଙ୍କୁ ମୁକାବିଲା କରିବା ନିଶ୍ଚିତ କଷ୍ଟକର ହେବ।

ପୂର୍ବରୁ ଏପରି ଏକ ବଡ଼ ଟୁର୍ନାମେଣ୍ଟରେ ଖେଳିବାର ଅଭିଜ୍ଞତା ନ ଥିବାରୁ ଭାରତୀୟ ଦଳ ଶକ୍ତିଶାଳୀ ଦଳ ଆମେରିକା ବିପକ୍ଷରେ ଅତ୍ୟନ୍ତ ଅସହାୟ ମନେହୋଇଥିଲା। ସେମାନଙ୍କ ସ୍ପିଡ୍‌, ଷ୍ଟାମିନା ଓ ଟେକ୍ନିକ୍‌ ତୁଳନାରେ ଭାରତୀୟ ଖେଳାଳି ବହୁ ପଛରେ ପଡ଼ିଯାଇଥିଲେ। ଗୋଟିଏ ଦୁଇଟି ଗୋଲ ହେବା ପରେ ଘରୋଇ ଖେଳାଳିମାନେ ନର୍ଭସ ହୋଇପଡ଼ିଥିଲେ। ଫଳରେ ସେଥିରୁ ଶେଷପର୍ଯ୍ୟନ୍ତ ମୁକୁଳି ପାରି ନ ଥିଲା ଡେନର୍ବିଙ୍କ ଦଳ। ପୂର୍ବ ମ୍ୟାଚ୍‌ର ତ୍ରୁଟିରୁ ଦଳ ଅନେକ କିଛି ଶିକ୍ଷାଲାଭ କରିଛି। ବ୍ରାଜିଲ ବିପକ୍ଷ ମ୍ୟାଚ୍‌ ମଧ୍ୟ ପିଲାମାନଙ୍କୁ ଅନେକ ଅଭିଜ୍ଞତା ଦେବ। ତେବେ ଦୃଢ଼ ରକ୍ଷଣଭାଗ ସହିତ ଭାରତ ଶକ୍ତିଶାଳୀ ବ୍ରାଜିଲକୁ ମୁକାବିଲା କରିବାକୁ ଯିବ। ଶେଷ ମ୍ୟାଚ୍‌ରେ ଦଳ ନିଶ୍ଚିତ ପ୍ରଦର୍ଶନର ଛାପ ଛାଡ଼ିବ ବୋଲି ଡେନର୍ବି ଆଶା ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଦେଖିବାକୁ ଗଲେ ବ୍ରାଜିଲ ମଧ୍ୟ ପ୍ରତିଷ୍ଠା ଅନୁସାରେ ପ୍ରଦର୍ଶନ କରି ପାରିନାହିଁ। ଦଳ ୨ଟି ମ୍ୟାଚ୍‌ରେ ମାତ୍ର ଗୋଟିଏ ଲେଖାଏ ଗୋଲ ଦେବାରେ ସକ୍ଷମ ହୋଇଛି। ବିଶେଷକରି ମର୍‌କ୍କୋ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ଦଳ ବିଜୟ ହାସଲ କରିଥିଲେ ହେଁ ସ୍କୋର ଲାଇନ୍‌ ମାତ୍ର ୧-୦ ରହିଥିଲା। ଆମେରିକା ବିପକ୍ଷ ମ୍ୟାଚ୍‌କୁ ୧-୧ ଗୋଲରେ ଡ୍ର ରଖିଥିବାରୁ ଦଳର କ୍ୱାର୍ଟର ଫାଇନାଲ ପ୍ରବେଶ ଆଶା ଉଜ୍ଜୀବିତ ରହିଛି। ଭାରତକୁ ହରାଇ ପାରିଲେ ଏହି ଦଳ କ୍ୱାର୍ଟର ଫାଇନାଲରେ ପହଞ୍ଚତ୍ୟିବ। ଭାରତ ପ୍ରଥମ ଏବଂ ବ୍ରାଜିଲ ୬ଷ୍ଠ ଥରପାଇଁ ଏହି ବିଶ୍ୱକପ ଖେଳୁଛି।

ସୋମବାର ରାତି ୮ଟାରେ ଗୋଆର ମାର୍ଗାଓରେ ଆମେରିକା ଓ ମର୍‌କ୍କୋ ମଧ୍ୟରେ ମ୍ୟାଚ୍‌ ଅନୁଷ୍ଠିତ ହେବ। ଏହି ମ୍ୟାଚ୍‌ର ମଧ୍ୟ ବହୁ ଗୁରୁତ୍ୱ ରହିଛି। ଆମେରିକା ଯଦି ବିଜୟ ହାସଲ କରେ ତେବେ ପରବର୍ତ୍ତୀ ପର୍ଯ୍ୟାୟକୁ ଥ୍ରୁ କରିବ। ଡ୍ର ରଖିଲେ ବି ଆଗକୁ ବଢ଼ିବ। ମାତ୍ର ମର୍‌କ୍କୋ ଯଦି କୌଣସି ପ୍ରକାରେ ଏହି ମ୍ୟାଚ୍‌ ଯିତିଯାଏ ଏବଂ ଏପଟେ ଭାରତକୁ ବ୍ରାଜିଲ ହରାଇଦିଏ ତେବେ ଆମେରିକାର ଅଭିଯାନ ଗ୍ରୁପ୍‌ ପର୍ଯ୍ୟାୟରୁ ଶେଷ ହୋଇଯିବ। ତେବେ ଏପରି ସମ୍ଭାବନା ଖୁବ୍‌ କ୍ଷୀଣ। କାରଣ ଏପର୍ଯ୍ୟନ୍ତ ଆମେରିକା ଯେପରି ପ୍ରଦର୍ଶନ କରିଆସିଛି ମର୍‌କ୍କୋ ବିପକ୍ଷ ମ୍ୟାଚ୍‌ରେ ଫେଭରାଇଟ ରହିବ।

Exit mobile version