Site icon ଆଜିକାଲି

କର୍ଣ୍ଣାଟକ: ଚର୍ଚ୍ଚରେ ଭଙ୍ଗାରୁଜା, ଯୀଶୁଙ୍କ ମୂର୍ତ୍ତିକୁ ବି ଛାଡ଼ିଲେନି

ମହୀଶୂର : କର୍ଣ୍ଣାଟକର ମହୀଶୂର ଜିଲାରେ ଏକ ଚର୍ଚ୍ଚରେ କିଛି ଦୁର୍ବୃତ୍ତ ଭଙ୍ଗାରୁଜା କରିଛନ୍ତି । ସେମାନେ ଚର୍ଚ୍ଚର ଦାନ ବକ୍ସ ମଧ୍ୟ ନେଇ ପଳାଇଛନ୍ତି। ଏହି ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଜଣେ ପୋଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ମହୀଶୂରର ପିରିଆପାଟନା ସ୍ଥିତ ଚର୍ଚ୍ଚରେ ପଶି ଭଙ୍ଗାରୁଜା କରିଥିଲେ । ସେମାନେ ସେଠାରେ ରଖାଯାଇଥିବା ଅନେକ ଧାର୍ମିକ ଜିନିଷ ସହିତ ବେବି ଯୀଶୁଙ୍କ ମୂର୍ତ୍ତି ମଧ୍ୟ ଭାଙ୍ଗି ଦେଇଥିଲେ।

ମହୀଶୂର ଏସପି ସୀମା ଲାଟକର ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ପାଇଁ ଉଦ୍ୟମ କରାଯାଉଥିବା କହିଛନ୍ତି । ଏଥିପାଇଁ ଚର୍ଚ୍ଚ ଚାରିପାଖରେ ଲଗାଯାଇଥିବା ସିସିଟିଭି କ୍ୟାମେରାର ଫୁଟେଜ୍ ଯାଞ୍ଚ୍ କରାଯାଉଛି । ସ୍ଥାନୀୟ ଲୋକଙ୍କୁ ମଧ୍ୟ ପଚରାଉଚରା କରାଯାଉଛି। ଦୋଷୀଙ୍କୁ ଧରିବା ପାଇଁ ପୋଲିସ ଏକ ଟିମ୍ ମଧ୍ୟ ଗଠନ କରିଛି ।

ଏସପି ସୀମା ଲାଟକର କହିଛନ୍ତି ଯେ ଦୁର୍ବୃତ୍ତମାନେ ଦାନ ବକ୍ସ ଉଠାଇ ନେଇଯାଇଛନ୍ତି । ଏଥିରୁ ସେମାନେ ଚୋରି କରିବା ଉଦ୍ଦେଶ୍ୟରେ ଚର୍ଚ୍ଚରେ ପଶିଥିବା ସନ୍ଦେହ କରାଯାଉଛି । ସେମାନେ ଅନ୍ୟ କିଛି ଜିନିଷ ମଧ୍ୟ ନେଇଯାଇଛନ୍ତି। ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଚାଲିଥିବା ସେ କହିଛନ୍ତି।

Exit mobile version