Site icon ଆଜିକାଲି

ତିନି ଦଶନ୍ଧି ପରେ କାଶ୍ମୀରରେ ଖୋଲିଲା ସିନେମା ହଲ୍

ଶ୍ରୀନଗର: ପ୍ରାୟ ୩୨ ବର୍ଷ ପରେ କାଶ୍ମୀରବାସୀ ବଡ଼ ପରଦାରେ ସିନେମା ଦେଖିବେ। ଲେଫ୍ଟନାଣ୍ଟ ଜେନେରାଲ ମନୋଜ ସିହ୍ନା ମଙ୍ଗଳବାର ଉପତ୍ୟକାର ପ୍ରଥମ ମଲ୍ଟିପ୍ଲେକ୍ସର ଉଦଘାଟନ କରିଛନ୍ତି। ଏହା ପୂର୍ବରୁ ସିହ୍ନା ରବିବାର ଦକ୍ଷିଣ କାଶ୍ମୀରର ଶୋପିଆନ୍ ଓ ପୁଲୱାମା ଜିଲାରେ ସିନେମା ହଲ୍ ଉଦଘାଟନ କରିଥିଲେ। ଆଇନକ୍ସ ଚେନର ଏହି ମଲ୍ଟିପ୍ଲେକ୍ସରେ ଆମିର ଖାନଙ୍କ ଅଭିନୀତ ‘ଲାଲ ସିଂ ଚଢା’ର ପ୍ରିମିୟର ହେବ ।

ଏହି ମଲ୍ଟିପ୍ଲେକ୍ସରେ ତିନୋଟି ସ୍କ୍ରିନ ରହିବ ଏବଂ ୫୨୨ ଦର୍ଶକ ଏକା ସଙ୍ଗେ ଫିଲ୍ମ ଦେଖିପାରିବେ । ପ୍ରଥମେ କାଶ୍ମୀରରେ ହିଁ ଆଂଶିକ ସୁଟିଂ ହୋଇଥିବା ଆମୀର ଖାନଙ୍କ ଫିଲ୍ମ ‘ଲାଲ ସିଂ ଚଢା’ ଏଠାରେ ପ୍ରଦର୍ଶିତ ହେବ। ଏହା ପରେ ସୈଫ ଅଲି ଖାନ ଏବଂ ହ୍ରିତିକ ରୋଶନଙ୍କ ‘ବିକ୍ରମ ବେଧା’ ୩୦ ସେପ୍ଟେମ୍ବରରେ ମୁକ୍ତିଲାଭ କରିବ। ବର୍ତ୍ତମାନ ଦିନକୁ ସକାଳ ୯ ଟାରୁ ୬ଟା ମଧ୍ୟରେ ତିନିଟି ଶୋ ଚାଲିବ । ପରବର୍ତ୍ତୀ ସମୟରେ ଦର୍ଶକଙ୍କ ସଂଖ୍ୟା ଦେଖି ଶୋ’ ବଢ଼ାଯିବ ।

କାଶ୍ମୀର ୧୯୯୦ ମସିହାରେ ମଧ୍ୟ କିଛି ସିନେମା ହଲ୍ ଖୋଲିବା ପାଇଁ ପଦକ୍ଷେପ ନିଆଯାଇଥିଲା | ତେବେ ଆତଙ୍କବାଦ ଯୋଗୁଁ ଏହି ପ୍ରୟାସ ସମ୍ପୂର୍ଣ୍ଣ ସଫଳ ହୋଇପାରିନଥିଲା। ସେପ୍ଟେମ୍ବର ୧୯୯୯ରେ ଆତଙ୍କବାଦୀମାନେ ଲାଲ ଚୌକରେ ରିଗାଲ ସିନେମା ଉପରେ ଗ୍ରେନେଡ୍ ଆକ୍ରମଣ କରିଥିଲେ। ୮୦ ଦଶକ ପର୍ଯ୍ୟନ୍ତ ଉପତ୍ୟକାରେ ପ୍ରାୟ ଏକ ଡଜନ ସିନେମା ହଲ୍ ଥିଲା । କିନ୍ତୁ ଆତଙ୍କବାଦ ଯୋଗୁଁ ସିନେମା ହଲ୍ ଗୁଡ଼ିକ ବନ୍ଦ ହୋଇଯାଇଥିଲା ।

Exit mobile version