Site icon ଆଜିକାଲି

ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ମନ୍ତବ୍ୟ ମାମଲା: ଖେରାଙ୍କ ଅନ୍ତରୀଣ ଜାମିନ ଅବଧି ବୃଦ୍ଧି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ମାମଲାରେ ସୁପ୍ରିମକୋର୍ଟ କଂଗ୍ରେସ ନେତା ପୱନ ଖେରାଙ୍କ ଅନ୍ତରୀଣ ଜାମିନ ଅବଧିକୁ ମାର୍ଚ୍ଚ ୧୭ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏହି ମାମଲାରେ ଆସାମ ପୋଲିସ ଖେରାଙ୍କୁ ଗିରଫ କରିଥିଲା। ପରେ ସେ ଅନ୍ତରୀଣ ଜାମିନରେ ମୁକୁଳିଥିଲେ ।

ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ଜଷ୍ଟିସ ପି ନରସିଂହା ଏବଂ ଜଷ୍ଟିସ୍ ଜେବି ପାରଦିୱାଲାଙ୍କ ଖଣ୍ଡପୀଠ ସମୟ ଅଭାବରୁ ମାମଲାର ଶୁଣାଣି ମାର୍ଚ୍ଚ ୧୭କୁ ଘୁଞ୍ଚାଇଛନ୍ତି । ଖଣ୍ଡପୀଠ କହିଛନ୍ତି ଯେ ଉତ୍ତରପ୍ରଦେଶ ଏବଂ ଆସାମର ଉତ୍ତର ରେକର୍ଡରେ ନାହିଁ । ତେଣୁ ହୋଲି ଛୁଟି ପରେ ଏହି ଆବେଦନର ଶୁଣାଣି କରାଯିବ ।

କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଖେରାଙ୍କୁ ଦିଆଯାଇଥିବା ମଧ୍ୟବର୍ତ୍ତୀକାଳୀନ ଜାମିନ ମାର୍ଚ୍ଚ ୧୭ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।
ଏହା ପୂର୍ବରୁ, ଫେବୃଆରୀ ୨୭ରେ କୋର୍ଟ କଂଗ୍ରେସ ମୁଖପାତ୍ର ଖେରାଙ୍କ ଅନ୍ତରୀଣ ସୁରକ୍ଷା ଶୁକ୍ରବାର ପର୍ଯ୍ୟନ୍ତ ବଢ଼ାଇଥିଲେ ।

ଫେବୃଆରୀ ୧୭ରେ ମୁମ୍ବାଇରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ଏକ ମନ୍ତବ୍ୟ ପାଇଁ ଖେରାଙ୍କୁ ଦିଲ୍ଲୀ ବିମାନବନ୍ଦରରେ ଗିରଫ କରିଥିଲା ଆସାମ ପୋଲିସ । ପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଦିଲ୍ଲୀର ଏକ ମାଜିଷ୍ଟ୍ରେଟ କୋର୍ଟ ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ।

Exit mobile version