Site icon ଆଜିକାଲି

ରାଜ୍ୟଗୋଷ୍ଠୀ କ୍ରୀଡ଼ା: ୫୦ ଟପିଲା ଭାରତର ପଦକ ସଂଖ୍ୟା

ନୂଆଦିଲ୍ଲୀ: ରାଜ୍ୟଗୋଷ୍ଠୀ କ୍ରୀଡାର ଦଶମ ଦିନ ‘ସୁପର ସଣ୍ଡେ’ ସାବ୍ୟସ୍ତ ହୋଇଛି । ରବିବାର ଭାରତକୁ ୫ ସ୍ବର୍ଣ୍ଣ ସହ ମୋଟ ୧୫ଟି ପଦକ ମିଳିଛି। ଏଥିସହ ଭାରତର ମୋଟ ପଦକ ସଂଖ୍ୟା ୫୦ ଟପିଛି | ଭାରତ ଏପର୍ଯ୍ୟନ୍ତ ମୋଟ ୫୫ ପଦକ ସହ ପଞ୍ଚମ ସ୍ଥାନରେ ରହିଛି । ରବିବାର ବକ୍ସିଂରେ ନଖତ ଜରିନ୍, ନିତୁ ଏବଂ ଅମିତ ପଙ୍ଘଲ ନିଜ ନିଜ ବର୍ଗରେ ସ୍ୱର୍ଣ୍ଣ ଜିତିଥିଲେ। ଏଥିସହିତ ଟ୍ରିପଲ ଜମ୍ପରେ ଭାରତୀୟ ଆଥଲେଟ୍ ଐତିହାସିକ ୧-୨ ଫିନିଶ୍ କରିଥିଲେ । ଏହି ଇଭେଣ୍ଟ୍‌ରେ ଭାରତର ଏଲ୍ଡହୋସ ପଲ୍ ସ୍ୱର୍ଣ୍ଣ ଜିତିଥିବା ବେଳେ ଅବଦୁଲ୍ଲା ଆବୁ ବକର ରୌପ୍ୟ ପଦକ ହାତେଇଥିଲେ। ଟେବୁଲ୍ ଟେନିସରେ ଶରତ କମଲ ଓ ଶ୍ରୀଜା ମିକ୍ସଡ୍ ଡବଲ୍ସରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏହାଛଡ଼ା ଭାରତୀୟ ମହିଳା କ୍ରିକେଟ୍ ଦଳ ଫାଇନାଲରେ ଅଷ୍ଟ୍ରେଲିଆ ଠାରୁ ମାତ୍ର ୯ ରନରେ ହାରିଯାଇ ରୌପ୍ୟ ହାସଲ କରିଛି। ସେପଟେ ମହିଳା ହକି ଦଳ ବ୍ରୋଞ୍ଜ ପଦକ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରିଛି ଦୀର୍ଘ ୧୬ ବର୍ଷ ପରେ ପଦକ ଜିତିଛନ୍ତି ।

ଆଜି ରାଜ୍ୟଗୋଷ୍ଠୀ କ୍ରୀଡାର ଶେଷ ଦିନ ହୋଇଥିବା ବେଳେ ଭାରତକୁ ଆଉ କିଛି ଇଭେଣ୍ଟ ରେ ସ୍ବର୍ଣ୍ଣ ପଦକ ମିଳିବା ଆଶା କରାଯାଉଛି । ଟେବୁଲ୍ ଟେନିସରେ ଶରତ କମଲ ସିଙ୍ଗଲ୍ସ ଫାଇନାଲରେ ସ୍ବର୍ଣ୍ଣ ପାଇଁ ଲଢ଼ିବେ। ଅନ୍ୟପକ୍ଷରେ ବ୍ୟାଡମିଣ୍ଟନରେ ପିଭି ସିନ୍ଧୁ ଏବଂ ଲକ୍ଷ୍ୟ ସେନ୍ ଯଥାକ୍ରମେ ମହିଳା ଓ ପୁରୁଷ ସିଙ୍ଗଲ୍ସରେ ମଧ୍ୟ ସ୍ୱର୍ଣ୍ଣ ପଦକ ଦେଇପାରନ୍ତି | ପୁରୁଷ ହକି ଦଳ ମଧ୍ୟ ସ୍ବର୍ଣ୍ଣ ପାଇଁ ଫାଇନାଲରେ ଅଷ୍ଟ୍ରେଲିଆ ସହ ଲଢ଼ିବ । ଅଷ୍ଟ୍ରେଲିଆ ୬୬ ଟି ସ୍ବର୍ଣ୍ଣ ସହ ସର୍ବାଧିକ ୧୭୪ ପଦକ ଜିତି ପ୍ରଥମ ସ୍ଥାନରେ ରହିଛି । ଆୟୋଜକ ଇଂଲଣ୍ଡ ୫୫ ଟି ସ୍ୱର୍ଣ୍ଣ ସହ ଦ୍ୱିତୀୟ ସ୍ଥାନରେ ରହିଛି। ୨୬ଟି ସ୍ୱର୍ଣ୍ଣ ସହିତ କାନାଡା ତୃତୀୟ ସ୍ଥାନରେ ଅଛି | ନ୍ୟୁଜିଲାଣ୍ଡ ୧୮ ସ୍ବର୍ଣ୍ଣ ସହ ଚତୁର୍ଥ ସ୍ଥାନରେ ରହିଛି । ଭାରତ ୧ ଟି ସ୍ୱର୍ଣ୍ଣ , ୧୫ଟି ରୌପ୍ୟ ଏବଂ ୨୨ ଟି ବ୍ରୋଞ୍ଜ ସହ ମୋଟ ୫୫ ପଦକ ସହିତ ପଞ୍ଚମ ସ୍ଥାନରେ ରହିଛି ।

Exit mobile version