Site icon ଆଜିକାଲି

ବିଜେପି ମହିଳା ସଂରକ୍ଷଣ ବିଲ୍ ଲାଗୁ କରିବାକୁ ଚାହୁଁନି, ଏହା କେବଳ ଏକ ନିର୍ବାଚନୀ ଚାଲ୍ : କଂଗ୍ରେସ

ପାଣାଜୀ : ନରେନ୍ଦ୍ର ମୋଦୀ ସରକାର ମହିଳା ସଂରକ୍ଷଣ ବିଲ୍ କାର୍ଯ୍ୟକାରୀ କରିବାକୁ ଇଚ୍ଛୁକ ନୁହଁନ୍ତି । ଏହି ବିଲ୍ ବିଜେପିର କେବଳ ଏକ ନିର୍ବାଚନୀ ଚାଲ୍ ବୋଲି କଂଗ୍ରେସ ଅଭିଯୋଗ କରିଛି ।

ବିଳମ୍ବ ନ କରି ମହିଳା ସଂରକ୍ଷଣ ବିଲକୁ ଯଥାଶୀଘ୍ର ସରକାର କାର୍ଯ୍ୟକାରୀ କରନ୍ତୁ ବୋଲି ସୋସିଆଲ ମିଡିଆ ତଥା ଡିଜିଟାଲ ପ୍ଲାଟଫର୍ମ ପାଇଁ ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି)ର ଜାତୀୟ ସଂଯୋଜକ ଭବ୍ଯା ନରସିଂହମୂର୍ତ୍ତି ଦାବି କରିଛନ୍ତି।

ଲୋକସଭା ଓ ରାଜ୍ୟ ବିଧାନସଭାରେ ମହିଳାଙ୍କ ପାଇଁ ଏକ ତୃତୀୟାଂଶ ସିଟ୍ ସଂରକ୍ଷଣ ପାଇଁ ଏହି ବିଲ୍ ଗତ ସପ୍ତାହରେ ସଂସଦର ଅନୁମୋଦନ ଲାଭ କରିଥିଲା। ତେବେ ଜନଗଣନା ଏବଂ ସୀମା ନିର୍ଦ୍ଧାରଣ କାର୍ଯ୍ୟ ସରିବା ପରେ ହିଁ ଏହି ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ ହେବ |

ନରସିଂହମୂର୍ତ୍ତି ସରକାରଙ୍କୁ ମନେ ପକାଇ ଦେଇଛନ୍ତି ଯେ ମହିଳାମାନଙ୍କ ପାଇଁ ସ୍ଥାନୀୟ ସଂସ୍ଥାରେ ୩୩ ପ୍ରତିଶତ ଆସନ ସଂରକ୍ଷଣ ପାଇଁ ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ୧୯୮୯ରେ ଏକ ଆଇନ ଆଣିଥିଲେ ।

ଯେତେବେଳେ ରାଜୀବ ଗାନ୍ଧୀ ଏହି ବିଲ୍ ଆଣିଥିଲେ ସେତେବେଳେ ବିଜେପିର ବରିଷ୍ଠ ନେତା ଏଲ.କେ ଆଡଭାନୀ, ଅଟଳ ବିହାରୀ ବାଜପେୟୀ, ଯଶୱନ୍ତ ସିହ୍ନା ଏବଂ ରାମ ଜେଠମାଲାନି ପ୍ରମୁଖ ଏହାକୁ ବିରୋଧ କରିଥିଲେ। ଏହି ବିଲ୍ ଲୋକସଭାରେ ପାରିତ ହୋଇଥିଲା କିନ୍ତୁ ରାଜ୍ୟସଭାରେ ମାତ୍ର ୭ଟି ଭୋଟ୍ କମ୍ ଯୋଗୁଁ ପାସ୍ ହୋଇପାରିନଥିଲା ବୋଲି ସେ କହିଛନ୍ତି ।

ନରସିଂହମୂର୍ତ୍ତି କହିଛନ୍ତି ଯେ ଡିସେମ୍ବର ୧୯୯୨ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓ ସମ୍ବିଧାନର ୭୩ତମ ଓ ୭୪ତମ ସଂଶୋଧନକୁ ସମର୍ଥନ କରିଥିଲେ । ଉକ୍ତ ବିଲରେ ପଞ୍ଚାୟତ ରାଜ ଅନୁଷ୍ଠାନର ସବୁ ସ୍ତରରେ ଏବଂ ସହରାଞ୍ଚଳରେ ସ୍ଥାନୀୟ ସଂସ୍ଥା ପାଇଁ ମହିଳାମାନଙ୍କ ପାଇଁ ଏକ ତୃତୀୟାଂଶ ଆସନ ସଂରକ୍ଷିତ ରହିଥିଲା ।

ନରସିଂହମୂର୍ତ୍ତି ଦାବି କରିଛନ୍ତି ଯେ “ଅନେକ ରାଜ୍ୟରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) କୋଟା ମଧ୍ୟରେ ମହିଳାଙ୍କ ପାଇଁ ଆସନ ସଂରକ୍ଷିତ ଥିଲା। ଆଜି ରାଜୀବ ଗାନ୍ଧୀଙ୍କ ଦୂରଦୃଷ୍ଟି ୧୫ ଲକ୍ଷ ମହିଳାଙ୍କୁ ସଶକ୍ତ କରିଛି, ଯେଉଁମାନେ ଭାରତର ପ୍ରାୟ ୪୦% ନିର୍ବାଚିତ ପ୍ରତିନିଧୀ ଅଟନ୍ତି। ”

ସେ କହିଛନ୍ତି ଯେ ୨୦୧୦ରେ ମନମୋହନ ସିଂହଙ୍କ ନେତୃତ୍ୱାଧୀନ ୟୁପିଏ ସରକାର ମହିଳା ସଂରକ୍ଷଣ ବିଲ୍ ଆଗତ କରିଥିଲେ ଏବଂ ଏହା ରାଜ୍ୟସଭାରେ ପାରିତ ହୋଇଥିଲା। ତେବେ ସହମତି ଅଭାବରୁ ଏହି ବିଲ୍ ଲୋକସଭାରେ ପାରିତ ହୋଇପାରି ନଥିଲା।

ନରସିଂହମୂର୍ତ୍ତି ଅଭିଯୋଗ କରିଛନ୍ତି, “ବିଜେପି ପୂର୍ଣ୍ଣ ବହୁମତ ସତ୍ତ୍ୱେ ମୋଦି ସରକାର ସାଢ଼େ଼ ୯ ବର୍ଷ ଧରି ମହିଳା ସଂରକ୍ଷଣ ବିଲକୁ କାହିଁକି ଲାଗୁ କରିନାହାଁନ୍ତି ? ଏହି ବିଲ୍ ଲାଗୁ କରିବାରେ ବିଳମ୍ବ କରିବାକୁ ସରକାର ଜାଣିଶୁଣି ଜନଗଣନା ଏବଂ ସୀମା ନିର୍ଦ୍ଧାରଣ ସର୍ତ୍ତ ରଖିଛନ୍ତି।

Exit mobile version