Site icon ଆଜିକାଲି

ରାହୁଲଙ୍କୁ ସାଂସଦ ଭାବେ ଯଥାଶୀଘ୍ର ପୁନଃ ଅବସ୍ଥାପିତ କରିବାକୁ କଂଗ୍ରେସର ଦାବି

ନୂଆଦିଲ୍ଲୀ: ମୋଦୀ ସରନେମ୍ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ବସ୍ତି ମିଳିଛି । କିନ୍ତୁ ସେ ତାଙ୍କ ସଂସଦ ସଦସ୍ୟତା କେବେ ଫେରିପାଇବେ ତାହା ସ୍ପଷ୍ଟ ହୋଇନାହିଁ। ଲୋକସଭାରେ କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ ଲୋକସଭା ବାଚସ୍ପତିଙ୍କୁ ଭେଟି ରାହୁଲଙ୍କୁ ସାଂସଦ ଭାବେ ଯଥାଶୀଘ୍ର ପୁନଃ ଅବସ୍ଥାପିତ କରିବାକୁ ଅନୁରୋଧ କରିଛନ୍ତି ।

କଂଗ୍ରେସ ନେତା କେସି ବେଣୁଗୋପାଳ ଗଣମାଧ୍ୟମକୁ କହିଛନ୍ତି, “ବର୍ତ୍ତମାନ ଲୋକସଭା ବାଚସ୍ପତିଙ୍କୁ ଏହି ପ୍ରସଙ୍ଗରେ ଯଥାଶୀଘ୍ର ନିଷ୍ପତ୍ତି ନେବାକୁ ପଡ଼ିବ। ସମଗ୍ର ଦେଶ ଏବଂ ବିଶ୍ୱର ନଜର ଏବେ ବାଚସ୍ପତିଙ୍କ ଉପରେ ରହିଛି | ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ନିଷ୍ପତ୍ତି ତୁରନ୍ତ ପ୍ରତ୍ୟାହାର କରାଯାଉ ।

ରାହୁଲ ଗାନ୍ଧୀ କେରଳର ଓ୍ବାୟାନାଡରୁ ଲୋକସଭା ସାଂସଦ ଥିଲେ । ତେବେ ମୋଦୀ ସରନେମ୍ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କ ସଂସଦ ପଦ ରଦ୍ଦ ହୋଇଥିଲା। ମୋଦୀ ସରନେମ୍ ମାମଲାରେ ସୁପ୍ରିମକୋର୍ଟ ଶୁକ୍ରବାର ତାଙ୍କ ରାୟରେ କହିଥିଲେ ଯେ ଟ୍ରାଏଲ କୋର୍ଟ ଜଜ୍ ପର୍ଯ୍ୟାପ୍ତ କାରଣ ଏବଂ ଆଧାର ବିନା ରାହୁଲ ଗାନ୍ଧୀଙ୍କୁ ସର୍ବାଧିକ ଦୁଇ ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ କରିଛନ୍ତି। କୋର୍ଟ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ସର୍ବସାଧାରଣରେ ମନ୍ତବ୍ୟ ଦେବା ବେଳେ ସାବଧାନତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଥିଲେ ।

ସୁପ୍ରିମକୋର୍ଟର ବରିଷ୍ଠ ଓକିଲ କେ.ସି କୌଶିକ କହିଛନ୍ତି, “କୋର୍ଟ ରାହୁଲଙ୍କ ଦଣ୍ଡାଦେଶ ଉପରେ ରୋକ୍ ଲଗାଇଛନ୍ତି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କୋର୍ଟ କହିଛନ୍ତି ଯେ ଏହା କୌଣସି ବ୍ୟକ୍ତିଙ୍କ ମାମଲା ନୁହେଁ ବରଂ ରାହୁଲଙ୍କୁ ସଂସଦ ପଠାଇଥିବା ଲୋକଙ୍କ ଅଧିକାରର ଉଲ୍ଲଂଘନ ।

Exit mobile version