Site icon ଆଜିକାଲି

କଂଗ୍ରେସ ନେତ୍ରୀଙ୍କ ବୟାନକୁ ନେଇ ବିବାଦ, ‘ଇଣ୍ଡିଆ’ ମେଣ୍ଟରୁ ଓହରିବାକୁ ଆପର ଧମକ

ନୂଆଦିଲ୍ଲୀ: କଂଗ୍ରେସ ନେତ୍ରୀ ଅଲକା ଲାମ୍ବାଙ୍କ ବୟାନକୁ ନେଇ ‘ଇଣ୍ଡିଆ’ ମେଣ୍ଟରେ ଫାଟ । କଂଗ୍ରେସ ଦିଲ୍ଲୀର ସମସ୍ତ ୭ଟି ଲୋକସଭା ଆସନରେ ଏକାକୀ ଲଢ଼ିବ ବୋଲି ଲାମ୍ବା କହିବା ପରେ ଆମ୍ ଆଦମୀ ପାର୍ଟି (ଆପ୍) ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏପରିକି ‘ଇଣ୍ଡିଆ’ ମେଣ୍ଟରୁ ଓହରିବାକୁ ଧମକ ଦେଇଛି ଆପ୍ ।

ବିବାଦ ବଢ଼ୁଥିବା ଦେଖି କଂଗ୍ରେସ ଡାମେଜ୍ କଣ୍ଟ୍ରୋଲ ମୋଡକୁ ଆସିଛି । ଦଳ‌ କହିଛି ଅଳକା ଲାମ୍ବାଙ୍କୁ ଏଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ କହିବାକୁ ଅନୁମତି ଦିଆଯାଇ ନାହିଁ। ସେପରି କୌଣସି ଆଲୋଚନା ହୋଇନଥିଲା।

କଂଗ୍ରେସର ଦିଲ୍ଲୀର ଦାୟିତ୍ୱରେ ଥିବା ଦୀପକ ବାବରିଆ କହିଛନ୍ତି, “ଅଲକା ଲାମ୍ବା ଜଣେ ମୁଖପାତ୍ର କିନ୍ତୁ ସେ ଏପରି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ କହିବାକୁ ପ୍ରାଧିକୃତ ମୁଖପାତ୍ର ନୁହଁନ୍ତି। ମୁଁ ପ୍ରଭାରୀ ଭାବେ କହିଛି ଯେ ବୈଠକରେ ସେପରି କୈଣସି ଆଲୋଚନା ହୋଇନାହିଁ। ତେଣୁ ଆପ୍ ମଧ୍ୟ ବୁଝିବା ଉଚିତ୍ ଯେ ମିଡ଼ିଆ ସେମାନଙ୍କୁ ଉସକାଉଛି ଏବଂ ସେମାନେ ଉତ୍ତେଜିତ ହେଉଛନ୍ତି | ଏହା ଦୁର୍ଭାଗ୍ୟଜନକ | ମିଡ଼ିଆ ବିଜେପି ପାଇଁ ଏସବୁ କରୁଛି ଏବଂ ଆମ୍ ଆଦମୀ ପାର୍ଟି ଏହାର ପ୍ରତିକ୍ରିୟା ଦେଇ ନିଜର କ୍ଷତି କରୁଛି। ”

ତିନି ଘଣ୍ଟା ଧରି ଚାଲିଥିବା କଂଗ୍ରେସ ବୈଠକରେ ଅଲକା ଲାମ୍ବା ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେଇ କହିଥିଲେ “ରାହୁଲ ଗାନ୍ଧୀ, କଂଗ୍ରେସ ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, କେସି ବେଣୁଗୋପାଳ ଏବଂ ଦୀପକ ବାବରିଆ ଉପସ୍ଥିତ ଥିଲେ। ସଂଗଠନକୁ ମଜବୁତ କରିବା ଏବଂ ଆଗାମୀ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା ହୋଇଥିଲା। ୭ ମାସ, ୭ ସିଟ୍ ଅଛି (ଦିଲ୍ଲୀ ଲୋକସଭା) | ସମସ୍ତ ଆସନ ପାଇଁ ନେତାଙ୍କୁ ଆଜିଠାରୁ ହିଁ ପ୍ରସ୍ତୁତି କରିବାକୁ ପଡ଼ିବ ଏବଂ ସବୁ ପ୍ରସଙ୍ଗ ନେଇ ଲୋକଙ୍କ ପାଖକୁ ଯିବେ ।

“ଏହି ଆସନଗୁଡିକ କିପରି ଜିତିବୁ ସେନେଇ ଆମକୁ ନିର୍ଦ୍ଦେଶ ଦିଆଯାଇଛି। ସଂଗଠନର ନେତାମାନଙ୍କୁ ଏହି ସମସ୍ତ ୭ଟି ଆସନରେ କାମ କରିବାକୁ ପଡିବ। ସମସ୍ତ ୭ଟି ଆସନରେ ପ୍ରସ୍ତୁତି ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଅଳକା ଲାମ୍ବାଙ୍କ ଏହି ବୟାନ ପରେ ଆମ୍ ଆଦମୀ ପାର୍ଟୀ ‘ଇଣ୍ଡିଆ’ ମେଣ୍ଟରୁ ଓହରିବାକୁ ଧମକ ଦେଇଛି ।

ଦଳର ମୁଖ୍ୟ ମୁଖପାତ୍ର ପ୍ରିୟଙ୍କା କକ୍କର କହିଛନ୍ତି, କଂଗ୍ରେସ ଯଦି ମେଣ୍ଟ କରିବାକୁ ଚାହୁଁନାହିଁ, ତେବେ ମୁମ୍ବାଇରେ ହେବାକୁ ଥିବା ‘ଇଣ୍ଡିଆ’ ବୈଠକରେ ଯୋଗଦେବାର କୌଣସି ମାନେ ନାହିଁ । ଏହା ସମୟର ଅପଚୟ | ଆମେ ‘ଇଣ୍ଡିଆ’ର ପରବର୍ତ୍ତୀ ବୈଠକରେ ଯୋଗଦେବୁ କି ନାହିଁ ତାହା ଆମ ଦଳର ଶୀର୍ଷ ନେତୃତ୍ୱ ନିଷ୍ପତ୍ତି ନେବେ ।

Exit mobile version