Site icon ଆଜିକାଲି

ଭାରତ ଯୋଡ ଯାତ୍ରା ସମୟରେ ହୃଦଘାତରେ କଂଗ୍ରେସ ନେତାଙ୍କ ମୃତ୍ୟୁ


ମୁମ୍ବାଇ:ମହାରାଷ୍ଟ୍ର ସେବା ଦଳ ସାଧାରଣ ସମ୍ପାଦକ କୃଷ୍ଣ କୁମାର ପାଣ୍ଡେଙ୍କ ଆଜି କଂଗ୍ରେସ ଦଳର ଭାରତ ଯୋଡ ଯାତ୍ରା ସମୟରେ ହୃଦଘାତରେ ମୃତ୍ୟୁ ହୋଇଯାଇଛି । କଂଗ୍ରେସ ଦଳ ଏକ ବିବୃତ୍ତି ଜାରି କରି କହିଛି ଯେ ପଦଯାତ୍ରା ସମୟରେ ପାଣ୍ଡେ ଅଚେତ ହୋଇ ପଡ଼ିଯାଇଥିଲେ। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।

କଂଗ୍ରେସର ବରିଷ୍ଠ ନେତା ତଥା ଦଳର ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି, “ଭାରତ ଯୋଡର ୬୨ ତମ ସକାଳେ କୃଷ୍ଣ କୁମାର ପାଣ୍ଡେ ଜାତୀୟ ପତାକା ଧରି ଦିଗବିଜୟ ସିଂହ ଏବଂ ମୋ ସହ ଚାଲୁଥିଲେ । କିଛି ମିନିଟ ପରେ ସେ ପତାକାକୁ ଅନ୍ୟ ଜଣେ ସହକର୍ମୀଙ୍କୁ ଦେଇଥିଲେ। ଏହା ପରେ ସେ ତଳେ ପଡ଼ିଯାଇଥିଲେ । ତାଙ୍କୁ ଆମ୍ବୁଲାନ୍ସରେ ଡାକ୍ତରଖାନା ନିଆଯାଇଥିଲା, ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ”

କୃଷ୍ଣ କୁମାର ପାଣ୍ଡେଙ୍କ ମୃତ୍ୟୁରେ ରାହୁଲ ଗାନ୍ଧୀ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି । ସେ ଟ୍ବିଟ୍ କରି କହିଛନ୍ତି “କଂଗ୍ରେସ ସେବା ଦଳର ସାଧାରଣ ସମ୍ପାଦକ କୃଷ୍ଣକାନ୍ତ ପାଣ୍ଡେ ଜୀଙ୍କର ଦେହାନ୍ତ ସମଗ୍ର କଂଗ୍ରେସ ପରିବାର ପାଇଁ ଅତ୍ୟନ୍ତ ଦୁଃଖଦାୟକ। ମୁଁ ତାଙ୍କ ଆତ୍ମୀୟ ମାନଙ୍କୁ ଗଭୀର ସମବେଦନା ଜଣାଉଛି। ଆଜି ଯାତ୍ରା ସମୟରେ ସେ ତାଙ୍କ ଶେଷ ମୁହୂର୍ତ୍ତରେ ହାତରେ ତ୍ରିରଙ୍ଗା ଧରିଥିଲେ। । ଦେଶ ପ୍ରତି ତାଙ୍କର ଉତ୍ସର୍ଗୀକୃତ ସେବା ଆମକୁ ସବୁଦିନ ପାଇଁ ପ୍ରେରଣା ଯୋଗାଇବ। ”

ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରା ସୋମବାର ରାତିରେ ମହାରାଷ୍ଟ୍ରରେ ପ୍ରବେଶ କରିଥିଲା । ରାହୁଲ ଗାନ୍ଧୀ ଆଗାମୀ ୧୫ ଦିନ ପାଇଁ ମହାରାଷ୍ଟ୍ରରେ ପଦଯାତ୍ରା କରିବେ | ଏହି ଯାତ୍ରା ମହାରାଷ୍ଟ୍ରର ୧୫ଟି ବିଧାନସଭା ଏବଂ ୬ଟି ସଂସଦୀୟ ନିର୍ବାଚନମଣ୍ଡଳୀ ଦେଇ ଯିବ। ରାହୁଲ ଗାନ୍ଧୀ ମହାରାଷ୍ଟ୍ରରେ ପ୍ରାୟ ୩୮୦ କିଲୋମିଟର ଦୂରତା ଅତିକ୍ରମ କରିବେ।

Exit mobile version