Site icon ଆଜିକାଲି

ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ‘ମୌନ‌ବ୍ରତ’ ଭାଙ୍ଗିବା ପାଇଁ ଅଣାଯାଇଛି ଅନାସ୍ଥା ପ୍ରସ୍ତାବ, ସରକାରଙ୍କୁ କଂଗ୍ରେସ ସାଂସଦ ଗୌରବ ଗୋଗୋଇଙ୍କ ଆକ୍ରମଣ

ନୂଆଦିଲ୍ଲୀ: ମୋଦୀ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଉପରେ ଲୋକସଭାରେ ଆଲୋଚନା ଆରମ୍ଭ ହୋଇଛି । କଂଗ୍ରେସ ସାଂସଦ ଗୌରବ ଗୋଗୋଇ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ଆରମ୍ଭ କରି ମୋଦୀ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ମୌନ‌ ବ୍ରତ ଭାଙ୍ଗିବା ପାଇଁ ଏହି ଅନାସ୍ଥା ପ୍ରସ୍ତାବ ଅଣାଯାଇଛି ବୋଲି ସେ କହିଛନ୍ତି ।

ଅନାସ୍ଥା ପ୍ରସ୍ତାବ ଉପରେ ବିରୋଧୀଙ୍କ ପକ୍ଷରୁ ରାହୁଲ ଗାନ୍ଧୀ ବିତର୍କ ଆରମ୍ଭ କରିବେ ବୋଲି ବିଶ୍ୱାସ କରାଯାଉଥିଲା। କିନ୍ତୁ ଯେତେବେଳେ ଗୌରବ ଗୋଗୋଇ ଠିଆ ହୋଇଥିଲେ, ସେତେବେଳେ ବିଜେପି ସଦସ୍ୟମାନେ କଟାକ୍ଷ କରିଥିଲା । ସେମାନେ କହିଥିଲେ, ‘ରାହୁଲ ଗାନ୍ଧୀ ହିଁ ଆଲୋଚନା ଆରମ୍ଭ କରନ୍ତୁ। ପାଞ୍ଚ ମିନିଟରେ କଣ ଏମିତି ବଦଳିଗଲା, ଆମେ ତାଙ୍କୁ ଶୁଣିବାକୁ ବେଶ୍ ଉତ୍ସାହିତ ଥିଲୁ।’ ପ୍ରହ୍ଲାଦ ଯୋଶୀ କହିଥିଲେ ଯେ ରାହୁଲ ଗାନ୍ଧୀ ଅନାସ୍ଥା ପ୍ରସ୍ତାବ ଉପରେ ପ୍ରଥମେ ଆଲୋଚନା ଆରମ୍ଭ କରିବେ ବୋଲି ବାଚସ୍ପତିଙ୍କୁ ଚିଠି ଦିଆଯାଇଥିଲା, ତେବେ ସେ କାହିଁକି କଲେ ନାହିଁ?

ଏହା ପରେ ବିରୋଧୀ ସାଂସଦମାନେ ତାତି ଯାଇଥିଲେ। ପ୍ରହ୍ଲାଦ ଯୋଶୀଙ୍କୁ ଜବାବ ଦେଇ ଗୌରବ ଗୋଗୋଇ କହିଥିଲେ ଯେ ବାଚସ୍ପତିଙ୍କ କାର୍ଯ୍ୟାଳୟ ଭିତରେ ପ୍ରଧାନମନ୍ତ୍ରୀ କ’ଣ କହୁଛନ୍ତି ତାହା ମଧ୍ୟ କଣ କହିବାକୁ ପଡ଼ିବ? ବିରୋଧୀ ଓ ଶାସକ ସଦସ୍ୟଙ୍କ ମଧ୍ୟରେ ଏହାକୁ ନେଇ କିଛି ସମୟ ଯୁକ୍ତିତର୍କ ପରେ ବାଚସ୍ପତି ଓମ ବିର୍ଲା ଆଲୋଚନା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

କଂଗ୍ରେସ ସାଂସଦ ବିରୋଧୀଙ୍କ ତରଫରୁ ଗୌରବ ଗୋଗୋଇ ବିତର୍କ ଆରମ୍ଭ କରି ମୋଦୀ ସରକାର ଉପରେ ଜୋରଦାର ଆକ୍ରମଣ କରିଥିଲେ। କଂଗ୍ରେସ ସାଂସଦ କହିଥିଲେ ଯେ ମଣିପୁର ହିଂସା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୌନ‌ ବ୍ରତ ଭାଙ୍ଗିବାକୁ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ବାଧ୍ୟ ହୋଇଛି ।

ଗୋଗୋଇ ଅଭିଯୋଗ କରିଥିଲେ ଯେ “ଏକ ଭାରତ” କଥା କହୁଥିବା ଏହି ସରକାର ଦୁଇଟି ମଣିପୁର ସୃଷ୍ଟି କରିଛନ୍ତି – ଗୋଟିଏ ପାହାଡରେ ଏବଂ ଅନ୍ୟଟି ଉପତ୍ୟକାରେ।

ଗୋଗୋଇ କହିଛନ୍ତି, “ପ୍ରଧାନମନ୍ତ୍ରୀ ସଂସଦରେ କିଛି ନ କହିବା ପାଇଁ ମୌନ‌ ବ୍ରତ ରଖିଛନ୍ତି । ତେଣୁ ତାଙ୍କର ଏହି ମୌନ‌ ବ୍ରତ ଭାଙ୍ଗିବା ପାଇଁ ଆମକୁ ଏହି ଅନାସ୍ଥା ପ୍ରସ୍ତାବ ଆଣିବାକୁ ପଡିଲା।

ମୋଦୀ ସରକାରଙ୍କୁ ଆମର ତିନୋଟି ପ୍ରଶ୍ନ ଅଛି – ୧) ସେ ଆଜି ପର୍ଯ୍ୟନ୍ତ କାହିଁକି ମଣିପୁର ଯାଇ ନାହାଁନ୍ତି?
୨) ମଣିପୁର ଉପରେ ମୁହଁ ଖୋଲିବା ପାଇଁ ତାଙ୍କୁ କାହିଁକି ୮୦ ଦିନ ଲାଗିଲା ଏବଂ ଯେତେବେଳେ ସେ କିଛି କହିଲେ ତାହା ମଧ୍ୟ କେବଳ ୩୦ ସେକେଣ୍ଡ ପାଇଁ ? ୩) ପ୍ରଧାନମନ୍ତ୍ରୀ ଏପର୍ଯ୍ୟନ୍ତ ମଣିପୁର ମୁଖ୍ୟମନ୍ତ୍ରୀଙ୍କୁ କାହିଁକି ବରଖାସ୍ତ କରିନାହାଁନ୍ତି?

Exit mobile version