Site icon ଆଜିକାଲି

କେନ୍ଦ୍ର ସରକାରଙ୍କ ‘ରୋଜଗାର ମେଳା’କୁ ନେଇ କଂଗ୍ରେସର କଟାକ୍ଷ


ନୂଆଦିଲ୍ଲୀ: କଂଗ୍ରେସ ଦଳ ଶନିବାର କେନ୍ଦ୍ର ସରକାରଙ୍କ ‘ରୋଜଗାର ମେଳା’କୁ ନେଇ କଟାକ୍ଷ କରିଛି ‌। କଂଗ୍ରେସ କହିଛି, ଏହା ରୋଜଗାର ମେଳା ନୁହେଁ ବରଂ ‘ଜୁମଲା କିଙ୍ଗ୍’ ଙ୍କ ଇଭେଣ୍ଟବାଜି । କେନ୍ଦ୍ରର ବିଜେପି ସରକାର ଦେଶର ଯୁବକମାନଙ୍କୁ ଯେଉଁ ୧୬ କୋଟି ନିଯୁକ୍ତି ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ତାହା କେନ୍ଦ୍ରର ବିଜେପି ସରକାର କେବେ ପୂରଣ କରିବେ ବୋଲି କଂଗ୍ରେସ ପ୍ରଶ୍ନ କରିଛି ? କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେୱାଲା କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ଷମତାକୁ ଆସିବା ପରେ ପ୍ରତିବର୍ଷ ଦୁଇ କୋଟି ଚାକିରୀ ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ଗତ ଆଠ ବର୍ଷ ମଧ୍ୟରେ ତାହା ପୂରଣ କରାଯାଇ ନାହିଁ।

ସେ ଟ୍ୱିଟରରେ କହିଛନ୍ତି, “ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଭାରତ ଯୋଡ ଯାତ୍ରାର ପ୍ରଥମ ପ୍ରମୁଖ ସଫଳତା । ୭୦ ହଜାର ନିଯୁକ୍ତି କେବଳ ଓଟ ପାଟିରେ ଜିରା ସଦୃଶ, କିନ୍ତୁ ଦିଲ୍ଲୀ ରାଜାଙ୍କ ବନ୍ଦ ହୋଇଯାଇଥିବା କାନ ଏବେ ଖୋଲିଯାଇଛି। ବେକାରୀ ସମସ୍ୟା ଅଛି ବୋଲି ସେ ହୃଦବୋଧ କଲେଣି । ପ୍ରତିବର୍ଷ ୨ କୋଟି ହିସାବରେ ୮ ବର୍ଷରେ ୧୬ କୋଟି ଚାକିରୀ ଦେବାକୁ ପ୍ରତିଶ୍ରୁତି ଦିଆଯାଇଥିଲା । ସେ ଯାହା‌ ହେଉ ୭୦ ହଜାର ନିଯୁକ୍ତି ତ ଦେଲେ । ”

କଂଗ୍ରେସର ଭାରତ ଯୋଡା ଯାତ୍ରା ନେଇ ସେ କହିଛନ୍ତି, “ବର୍ତ୍ତମାନ ଭାରତ ଯୋଡା ଯାତ୍ରା ଚାରିଟି ରାଜ୍ୟ ଦେଇ ଯାଇଛି । ଶେଷରେ ରାହୁଲ ଜୀ ‘ଜୁମଲା କିଙ୍ଗ’ଙ୍କୁ ଏହା ମାନିବାକୁ ବାଧ୍ୟ କରିଛନ୍ତି ଯେ ବେକାରୀ ସମ୍ପ୍ରତି ଦେଶର ସବୁଠାରୁ ବଡ଼ ସମସ୍ୟା। କିନ୍ତୁ ବାର-ତାରିଖ-ମାସ କୁହନ୍ତୁ ୮ ବର୍ଷରେ ୧୬ କୋଟି ଚାକିରି କେବେ ମିଳିବ? ଆପଣ ୩୦ ଲକ୍ଷ ସରକାରୀ ଚାକିରୀ କେବେ ଦେବେ? ଇଭେଣ୍ଟବାଜି ନୁହେଁ ଚାକିରି ଦିଅନ୍ତୁ।”

ଟ୍ୱିଟରରେ ପୋଷ୍ଟ କରାଯାଇଥିବା ଏକ ଭିଡିଓ ବାର୍ତ୍ତାରେ ରଣଦୀପ ସୁରଜେୱାଲା କହିଛନ୍ତି ଯେ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶ୍ନ ପଚାରିବା ଜାରି ରଖିବ। ସେ କହିଛନ୍ତି, “କେବଳ ୭୦ ହଜାର ନିଯୁକ୍ତି ପତ୍ର ଦେଇ ଦେଲେ ପରିସ୍ଥିତି ବଦଳିବଯିବ ନାହିଁ। ଦେଶର ଯୁବକମାନଙ୍କୁ କର୍ମ ନିଯୁକ୍ତିର ଆବଶ୍ୟକତା ରହିଛି ଏବଂ ପ୍ରଧାନମନ୍ତ୍ରୀଙ୍କୁ ଏହାର ଉତ୍ତର ଦେବାକୁ ପଡିବ। ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ପ୍ରଧାନମନ୍ତ୍ରୀଙ୍କ ସାମ୍ନାରେ ଏହି ପ୍ରଶ୍ନ ଉଠାଇବେ | ”

ଏହାପୂର୍ବରୁ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ନିଯୁକ୍ତି ମେଳା ଆରମ୍ଭ କରିଥିଲେ। ସୂଚନା ଅନୁଯାୟୀ ସରକାର ଏହି ନିଯୁକ୍ତି ଅଭିଯାନ ମାଧ୍ୟମରେ ଏକ ଲକ୍ଷ ଲୋକଙ୍କୁ ଚାକିରୀ ଦେବାକୁ ଲକ୍ଷ୍ୟ ରଖିଛନ୍ତି । ଏହି କାର୍ଯ୍ୟକ୍ରମ ଅଧୀନରେ ଶନିବାର ୭୫ ହଜାର ଲୋକଙ୍କୁ ନିଯୁକ୍ତି ପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା ।

Exit mobile version