Site icon ଆଜିକାଲି

କଂଗ୍ରେସ ସଭାପତି ନିର୍ବାଚନ ଲଢ଼ିବେନି ଗେହଲୋଟ୍, ରାଜସ୍ଥାନ ବିବାଦ ପାଇଁ ସୋନିଆଙ୍କୁ କ୍ଷମା ମାଗିଲେ


ନୂଆଦିଲ୍ଲୀ: ଅଶୋକ ଗେହଲୋଟ୍ କଂଗ୍ରେସ ସଭାପତି ନିର୍ବାଚନ ଲଢ଼ିବେ ନାହିଁ । ଆଜି ଦଳର ମଧ୍ୟବର୍ତ୍ତୀକାଳୀନ ସଭାପତି ସୋନିଆ ଗାନ୍ଧୀଙ୍କୁ ତାଙ୍କ ବାସଭବନରେ ଭେଟିବା ପରେ ଗେହଲୋଟ୍ ଏହା ସ୍ପଷ୍ଟ କରିଛନ୍ତି । ରାଜସ୍ଥାନ କଂଗ୍ରେସରେ ବିବାଦ ନେଇ ଗେହଲୋଟ ଆଜି ସୋନିଆଙ୍କୁ ଭେଟିଥିଲେ । ଉଭୟଙ୍କ ମଧ୍ୟରେ ପ୍ରାୟ ଅଢେ଼ଇ ଘଣ୍ଟା ଆଲୋଚନା ହୋଇଥିଲା । ଏହାପରେ ସେ ଗଣମାଧ୍ୟମକୁ କହିଥିଲେ ଯେ ମୁଁ ସର୍ବଦା କଂଗ୍ରେସର ଜଣେ ବିଶ୍ୱସ୍ତ ସୈନିକ ଭାବେ କାର୍ଯ୍ୟ କରିଆସିଛି | ରାଜସ୍ଥାନ ବିଧାୟକ ଦଳ ବୈଠକ ଦିନ ଘଟିଥିବା ଘଟଣା ସମସ୍ତଙ୍କୁ ଦୋହଲାଇ ଦେଇଥିଲା। ଏକ ଧାରଣା ସୃଷ୍ଟି ହୋଇଥିଲା ଯେ ମୁଁ ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବାକୁ ଚାହୁଁଛି । ସେହି ଘଟଣା ପାଇଁ ମୁଁ ତାଙ୍କୁ (ସୋନିଆ) କ୍ଷମା ମାଗିଲି। ମୁଁ ସଭାପତି ପଦ ପଦ ପାଇଁ ନିର୍ବାଚନ ଲଢ଼ିବି ନାହିଁ ।

ଗେହଲୋଟ୍ କହିଛନ୍ତି ଯେ ଆମର ସର୍ବଦା ଏକ ନିୟମ ରହିଆସିଛି ଯେ ଆମେ ହାଇ କମାଣ୍ଡଙ୍କ ପାଇଁ ଏକ ଧାଡ଼ିକିଆ ପ୍ରସ୍ତାବ ପାରିତ କରିଥାଉ। ମୁଖ୍ୟମନ୍ତ୍ରୀ ଭାବେ ମୁଁ ଏପରି ପ୍ରସ୍ତାବ ପାରିତ କରିପାରିଲି ନାହିଁ । ଏହା ପରିତାପର ବିଷୟ | ଏହି ଘଟଣା ଦେଶ ଭିତରେ ଅନେକ ପ୍ରକାରର ବାର୍ତ୍ତା ଦେଇଥିଲା | କଂଗ୍ରେସ ସଭାପତି ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବିବାଦ ମଧ୍ୟରେ ବରିଷ୍ଠ ନେତା ଦିଗବିଜୟ ସିଂହ ଗୁରୁବାର ସ୍ପଷ୍ଟ କରିଛନ୍ତି ଯେ ସେ ସଭାପତି ପଦ ପାଇଁ ନିର୍ବାଚନ ଲଢ଼ିବେ । ଦିଗବିଜୟ ଦିଲ୍ଲୀର କଂଗ୍ରେସ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ଫର୍ମ ନେଇଛନ୍ତି । ଆସନ୍ତାକାଲି ସେ ନାମାଙ୍କନପତ୍ର ଦାଖଲ କରିବେ ।

ଦିଗବିଜୟ ମଧ୍ୟ ଆଜି ଗେହଲୋଟ୍ ଏବଂ ସୋନିଆ ଗାନ୍ଧୀଙ୍କୁ ଭେଟିବେ। ସେପଟେ ଦଳର ସାଧାରଣ ସମ୍ପାଦକ କେସି ବେଣୁଗୋପାଳ ମଧ୍ୟ ଦିଲ୍ଲୀରେ ପହଞ୍ଚିଛନ୍ତି। ଦିନେ ଦୁଇଦିନ ମଧ୍ୟରେ ରାଜସ୍ଥାନର ସମସ୍ୟାର ସମାଧାନ ହେବ ବୋଲି ବେଣୁଗୋପାଳ କହିଛନ୍ତି। ବେଣୁଗୋପାଳ ସୋନିଆଙ୍କୁ ଭେଟିବା ପରେ ଏହା କହିଛନ୍ତି। ତେବେ ଅଶୋକ ଗେହଲୋଟ୍ ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବେ ନା ରାଜସ୍ଥାନକୁ ଜଣେ ନୂଆ ମୁଖ୍ୟମନ୍ତ୍ରୀ ମିଳିବ ତାହା ସ୍ପଷ୍ଟ ହୋଇନାହିଁ ।

Exit mobile version