Site icon ଆଜିକାଲି

ସନ୍ନି ଦେଓଲଙ୍କ ବଙ୍ଗଳା ନିଲାମ ନୋଟିସ୍ ହଠାତ୍ ପ୍ରତ୍ୟାହାର କରିନେଲା ବ୍ୟାଙ୍କ, କଂଗ୍ରେସ ଉଠାଇଲା ପ୍ରଶ୍ନ

ନୂଆଦିଲ୍ଲୀ: ଅଭିନେତା ତଥା ବିଜେପି ସାଂସଦ ସନ୍ନି ଦେଓଲଙ୍କ ମୁମ୍ବାଇର ଜୁହୁସ୍ଥିତ ବଙ୍ଗଳା ନିଲାମ ପାଇଁ ନୋଟିସ ହଠାତ୍ ପ୍ରତ୍ୟାହାର କରି ନିଆଯାଇଛି। ଟେକ୍ନିକାଲ କାରଣ ଦର୍ଶାଇ ବ୍ୟାଙ୍କ୍ ଏହି ନୋଟିସ୍ ଫେରାଇ ନେଇଛି ।

ସନ୍ନି ଦେଓଲଙ୍କ ବଙ୍ଗଳା ନିଲାମ ଉପରେ ଦିନକ ମଧ୍ୟରେ ହଠାତ୍ ନିଷ୍ପତ୍ତି ବଦଳିବା ନେଇ କଂଗ୍ରେସ ପ୍ରଶ୍ନ ଉଠାଇଛି । କଂଗ୍ରେସ ନେତା ଜୟରାମ ରମେଶ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଲେଖିଛନ୍ତି, “ରବିବାର ଅପରାହ୍ନରେ ଦେଶ ଜାଣିବାକୁ ପାଇଲା ଯେ ବ୍ୟାଙ୍କ ଅଫ୍ ବରୋଦା ଜୁହୁରେ ବିଜେପି ସାଂସଦ ସନ୍ନି ଦେଓଲଙ୍କ ଘରର ଇ-ନିଲାମ ନୋଟିସ ଦେଇଛି । କାରଣ ସେ ନେଇଥିବା ୫୬ କୋଟି ଟଙ୍କାର ଋଣ ପରିଶୋଧ କରିନାହାଁନ୍ତି। ୨୪ ଘଣ୍ଟା ମଧ୍ୟରେ ଆଜି ସକାଳେ ଦେଶ ଜାଣିବାକୁ ପାଇଛି ଯେ ‘ଟେକ୍ନିକାଲ’ କାରଣରୁ ବ୍ୟାଙ୍କ ଅଫ୍ ବରୋଦା ଏହାର ନିଲାମ ନୋଟିସ୍ ପ୍ରତ୍ୟାହାର କରିନେଇଛି | କାହା କାରଣରୁ ଏପରି ‘ଟେକ୍ନିକାଲ’ ସମସ୍ୟା ଉପୁଜିଲା ?

ଗଣମାଧ୍ୟମ ରିପୋର୍ଟ ମୁତାବକ ବ୍ୟାଙ୍କ ଅଫ୍ ବରୋଦା ସୋମବାର ଏକ ବୟାନ ଜାରି କରି ସନ୍ନି ଦେଓଲଙ୍କ ବଙ୍ଗଳା ନିଲାମ ନୋଟିସ ପ୍ରତ୍ୟାହାର କରି ନେଇଛି। ବ୍ୟାଙ୍କ ଅଫ୍ ବରୋଦା ରବିବାର ଇ-ନିଲାମ ମାଧ୍ୟମରେ ଏହି ଅଭିନେତା ୫୬ କୋଟି ଋଣ ଆଦାୟ ପାଇଁ ବିଜ୍ଞପ୍ତି ଜାରି କରିଥିଲା । ଏହି ନିଲାମ ଅଗଷ୍ଟ ୨୫ରେ ହେବ ବୋଲି କୁହାଯାଇଥିଲା ।

ବ୍ୟାଙ୍କ ନୋଟିସ୍ ଅନୁଯାୟୀ ପଞ୍ଜାବର ଗୁରୁଦାସପୁରର ବିଜେପି ସାଂସଦ ସନ୍ନି ଦେଓଲ ଡିସେମ୍ବର ୨୦୨୨ ପରଠୁ ବ୍ୟାଙ୍କ ଅଫ୍ ବରୋଦାରୁ ନେଇଥିବା ୫୫.୯୯ କୋଟି ଋଣ ପୈଠ କରିନାହାଁନ୍ତି। ସନ୍ନିଙ୍କ ୫୯୯.୪୪ ବର୍ଗ ମିଟର ସମ୍ପତ୍ତି ପାଇଁ ତାଙ୍କ ବାପା ଧର୍ମେନ୍ଦ୍ର ପର୍ସନାଲ ଗ୍ୟାରେଣ୍ଟର୍ ଥିଲେ ।

Exit mobile version