Site icon ଆଜିକାଲି

‘କଂଗ୍ରେସ କାହା ଦୟାରେ ନିର୍ବାଚନ ଲଢେନି’, ମମତା ବାନାର୍ଜୀଙ୍କ ସମର୍ଥନ ପ୍ରସ୍ତାବ ନେଇ ଅଧୀର ଚୌଧୁରୀଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ: କର୍ଣ୍ଣାଟକରେ ବଡ ବିଜୟ ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀଙ୍କ ସମର୍ଥନ ପ୍ରସ୍ତାବକୁ ଖାରଜ କରିଛି କଂଗ୍ରେସ । ଲୋକସଭାରେ ବିରୋଧୀ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି, କଂଗ୍ରେସ କାହା ଦୟାରେ ନିର୍ବାଚନ ଲଢିନଥାଏ ।

କର୍ଣ୍ଣାଟକରେ କଂଗ୍ରେସର ବିଜୟ ପରେ ମମତା କହିଥିଲେ ଯେ, କଂଗ୍ରେସ ଯେଉଁଠି ମଜବୁତ, ସେଠି କଂଗ୍ରେସକୁ ଆମେ ସମର୍ଥନ କରିବାକୁ ପ୍ରସ୍ତୁତ । କିନ୍ତୁ ପଶ୍ଚିମବଙ୍ଗରେ କଂଗ୍ରେସ ଆମ (ଟିଏମସି) ବିରୋଧରେ ଲଢ଼ିବା ଉଚିତ ନୁହେଁ ।

କର୍ଣ୍ଣାଟକରେ ନିର୍ବାଚନ ଫଳାଫଳ ଘୋଷଣା ପୂର୍ବରୁ ମମତା ବାନାର୍ଜୀ କଂଗ୍ରେସକୁ ସମର୍ଥନ କରିବା ନେଇ ନୀରବ ରହିଥିଲେ। ମେ ୧୩ରେ କର୍ଣ୍ଣାଟକ ନିର୍ବାଚନ ଫଳାଫଳ ଆସିବା ପରେ ମମତା କଂଗ୍ରେସର ନାମ ନ ଦେଇ ଅଭିନନ୍ଦନ ଜଣାଇଥିଲେ।

ମମତା ବାନାର୍ଜୀଙ୍କ ମନ୍ତବ୍ୟ ଉପରେ ପଶ୍ଚିମବଙ୍ଗ କଂଗ୍ରେସ ସଭାପତି ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି, ମମତା କଂଗ୍ରେସକୁ ସମର୍ଥନ କରିବାକୁ କର୍ଣ୍ଣାଟକବାସୀଙ୍କୁ ଅପିଲ କରିନଥିଲେ । କଂଗ୍ରେସ କାହା ଦୟାରେ ନିର୍ବାଚନ ଲଢ଼େ ନାହିଁ । ହିମାଚଳ ଓ କର୍ଣ୍ଣାଟକରେ ଆମେ ନିଜ ଦମରେ ଜିତିଲୁ । କଂଗ୍ରେସ ଜିତିବା ପରେ ମମତା ଏବେ ସମର୍ଥନ ଦେବା କଥା କହୁଛନ୍ତି। ଗୋଆ, ତ୍ରିପୁରା ଓ ମେଘାଳୟରେ ଆମକୁ ହରାଇବା ପାଇଁ‌ ଟିଏମସି ଷଡ଼ଯନ୍ତ୍ର କରିଥିଲା । କଂଗ୍ରେସ ଏକ ବଡ଼ ଦଳ । ଟିଏମସି ହେଉଛି ଏକ ଆଞ୍ଚଳିକ ଦଳ। ବିଜେପିକୁ କେବଳ କଂଗ୍ରେସ ହିଁ ହରାଇ ପାରିବ । ଟିଏମସି ମୁଖ୍ୟ କୂଅରେ ବେଙ୍ଗ ସିଣ୍ଡ୍ରୋମରେ ପୀଡ଼ିତ ବୋଲି ଚୌଧୁରୀ କଟାକ୍ଷ କରି କହିଛନ୍ତି ।

ପଶ୍ଚିମବଙ୍ଗରୁ କଂଗ୍ରେସର ଦୁଇ ଜଣ ଲୋକସଭା ସାଂସଦ ଅଛନ୍ତି। ନିକଟରେ ବାମପନ୍ଥୀ ଦଳର ସମର୍ଥନରେ କଂଗ୍ରେସ ଦଳ ମୁର୍ସିଦାବାଦ ଜିଲ୍ଲାର ସାଗାର୍ଡି ଆସନରେ ଉପ-ନିର୍ବାଚନରେ ଟିଏମସିକୁ ପରାସ୍ତ କରିଥିଲା ।

ଚୌଧୁରୀ କହିଛନ୍ତି, “ପଶ୍ଚିମବଙ୍ଗରେ ଟିଏମସିକୁ ହରାଇବାରେ କଂଗ୍ରେସ ସକ୍ଷମ। ଆମେ ଅତୀତରେ ଏହା କରିଛୁ ଏବଂ ୨୦୨୪ ଲୋକସଭା ନିର୍ବାଚନରେ ମଧ୍ୟ ଏହା କରିବୁ।

Exit mobile version