Site icon ଆଜିକାଲି

କେନ୍ଦ୍ର ସରକାରଙ୍କ ବିରୋଧରେ ‘ଚାର୍ଜସିଟ୍’ ଜାରି କଲା କଂଗ୍ରେସ, କହିଲା ‘ଭ୍ରଷ୍ଟ ଜୁମଲା ପାର୍ଟି’

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ବିରୋଧରେ ‘ଚାର୍ଜସିଟ୍’ ଜାରି କଲା କଂଗ୍ରେସ ଦଳ । ଏହି ଦୁଇ ପୃଷ୍ଠା ସମ୍ବଳିତ ‘ଚାର୍ଜସିଟ୍’ରେ କଂଗ୍ରେସ ବିଜେପିକୁ ‘ଭ୍ରଷ୍ଟ ଜୁମଲା ପାର୍ଟି ‘ବୋଲି କହିଛି । ବିଜେପିର ମନ୍ତ୍ର ହେଉଛି ‘କିଛି ଜଣଙ୍କ ସାଥ୍, ନିଜର ବିକାଶ, ସମସ୍ତଙ୍କ ସହ ବିଶ୍ୱାସଘାତ’ ବୋଲି କଂଗ୍ରେସ ଅଭିଯୋଗ କରିଛି।

କଂଗ୍ରେସ କହିଛି ଯେ ରାହୁଲ ଗାନ୍ଧୀ ଶ୍ରୀନଗରର ଲାଲ ଚୌକ୍ ଅଞ୍ଚଳରେ ରାଜ୍ୟ କଂଗ୍ରେସ କମିଟି କାର୍ଯ୍ୟାଳୟରେ ଜାନୁଆରୀ ୨୬ ଦିନ ଜାତୀୟ ପତାକା ଉତ୍ତୋଳନ କରିବେ । ପରେ ଶେର-ଏ-କାଶ୍ମୀର ଷ୍ଟାଡିୟମରେ ଏକ ସଭାକୁ ସମ୍ବୋଧନ କରିବେ। ଏହି କାର୍ଯ୍ୟକ୍ରମ ସହିତ ରାହୁଲ ଗାନ୍ଧୀ କନ୍ୟାକୁମାରୀରୁ କାଶ୍ମୀର ପର୍ଯ୍ୟନ୍ତ ଚାଲିଥିବା ଭାରତ ଯୋଡ ଯାତ୍ରାକୁ ଶେଷ କରିବେ।

ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତା ଜୟରାମ ରମେଶ ମଧ୍ୟ ଯାତ୍ରା ପରେ ଆୟୋଜିତ ହେବାକୁ ଥିବା ‘ହାତ୍ ସେ ହାତ୍ ଯୋଡୋ’ ଅଭିଯାନର ଲୋଗୋ ଜାରି କରିଛନ୍ତି।

ଜୟରାମ ରମେଶ କହିଛନ୍ତି ଯେ ଏହି କାର୍ଯ୍ୟକ୍ରମର ଲୋଗୋ ଭାରତ ଯୋଡା ଯାତ୍ରା ସହିତ ସମାନ କିନ୍ତୁ ଏଥିରେ କଂଗ୍ରେସର ‘ହାତ’ ପ୍ରତୀକ ବ୍ୟବହାର କରାଯାଇଛି, ଯାହା ସ୍ପଷ୍ଟ କରୁଛି ଯେ ଏହା ଏକ ସମ୍ପୂର୍ଣ୍ଣ ରାଜନୈତିକ କାର୍ଯ୍ୟକ୍ରମ ହେବ ।

ସେହିପରି କଂଗ୍ରେସ ନେତା ବେଣୁଗୋପାଳ କହିଛନ୍ତି ଯେ ଜାନୁଆରୀ ୨୬ରୁ କଂଗ୍ରେସର ଏହି ଅଭିଯାନରେ ଦଳ କେନ୍ଦ୍ରର ବିଜେପି ସରକାର ବିରୋଧରେ ‘ଚାର୍ଜସିଟ୍’ ଏବଂ ରାହୁଲ ଗାନ୍ଧୀଙ୍କ ଚିଠି ପ୍ରତି ଘରେ ପହଞ୍ଚାଇବ ।

Exit mobile version