Site icon ଆଜିକାଲି

କଂଗ୍ରେସ ଶାସିତ ରାଜ୍ୟ ଗୁଡ଼ିକରେ ହେବ ଜାତିଗତ ଜନଗଣନା

ନୂଆଦିଲ୍ଲୀ: କଂଗ୍ରେସ ସରକାର ଥିବା ରାଜ୍ୟ ଗୁଡ଼ିକରେ ଜାତିଗତ ଜନଗଣନା ହେବ । ଆଜି ଦିଲ୍ଲୀରେ ଅନୁଷ୍ଠିତ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଦଳର ନେତା ରାହୁଲ ଗାନ୍ଧୀ ସୂଚନା ଦେଇଛନ୍ତି। ଚାରି ଘଣ୍ଟା ଧରି ଚାଲିଥିବା କାର୍ଯ୍ୟକାରିଣୀ ବୈଠକରେ ସର୍ବସମ୍ମତି କ୍ରମେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଛନ୍ତି।

ରାହୁଲ ଗାନ୍ଧୀ କହିଛନ୍ତି, କଂଗ୍ରେସ ଶାସିତ ରାଜ୍ୟ ସରକାରମାନେ ନିଜ ନିଜ ରାଜ୍ୟରେ ଜାତିଗତ ଜନଗଣନା କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ଏହାକୁ ଏକ ପ୍ରଗତିଶୀଳ ଏବଂ ନିର୍ଭୀକ ନିଷ୍ପତ୍ତି ବୋଲି କହିଛନ୍ତି। ଏହାଛଡ଼ା ସମଗ୍ର ଦେଶରେ ଜାତିଗତ ଜନଗଣନାକୁ କଂଗ୍ରେସ ସମର୍ଥନ କରିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି ।

ଆଜି ଦିଲ୍ଲୀରେ କଂଗ୍ରେସ କାର୍ଯ୍ୟକାରିଣୀ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଏବଂ କଂଗ୍ରେସ ସଂସଦୀୟ ଦଳର ନେତା ସୋନିଆ ଗାନ୍ଧୀ ମଧ୍ୟ ଉପସ୍ଥିତ ଥିଲେ।

ଆଗକୁ ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାବେଳେ କଂଗ୍ରେସ ଜାତିଗତ ଜନଗଣନା ଉପରେ ଗୁରୁତ୍ୱ ଦେଇଛି । ରାହୁଲ ଗାନ୍ଧୀ ମଧ୍ୟ ନିକଟରେ ଅନେକ ସଭାସମିତିରେ ଏହି ପ୍ରସଙ୍ଗକୁ ଜୋର୍ ଦେଇଥିଲେ । ସଂସଦର ସ୍ୱତନ୍ତ୍ର ଅଧିବେଶନରେ ମଧ୍ୟ ସେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମଧ୍ୟରେ ଓବିସି ଅଧିକାରୀଙ୍କ ପ୍ରସଙ୍ଗ ଉଠାଇଥିଲେ।

ନିକଟରେ ବିହାର ସରକାର ଜାତି ଭିତ୍ତିକ ସର୍ଭେ କରିଛନ୍ତି। ଅକ୍ଟୋବର ୨ରେ ନୀତିଶ ସରକାର ଜାତି ଭିତ୍ତିକ ସର୍ଭେ ରିପୋର୍ଟ ମଧ୍ୟ ପ୍ରକାଶ କରିଥିଲେ । ବିହାର ସରକାରଙ୍କ ଏପରି ପଦକ୍ଷେପ ପରେ ସାରା ଦେଶରେ ଏବେ ଜାତିଗତ ଜନଗଣନା ଏକ ବଡ଼ ବିତର୍କ ପାଲଟିଛି ।

କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ୨୦୧୦ରେ ଜାତିଗତ ଜନଗଣନାକୁ ସମର୍ଥନ କରିଥିଲେ । ତେବେ ୨୦୧୧ ଜନଗଣନାରେ ‘ଜାତି’ ପାଇଁ ଅଲଗା ସ୍ତମ୍ଭ ସାମିଲ କରାଯାଇ ନଥିଲା |

Exit mobile version