Site icon ଆଜିକାଲି

‘ଭାରତୀୟ ଗଣତନ୍ତ୍ର ପାଇଁ କଳା ଦିନ’, ରାହୁଲ ଗାନ୍ଧୀଙ୍କୁ ଅଯୋଗ୍ୟ ଘୋଷଣା ନେଇ କଂଗ୍ରେସର ପ୍ରତିକ୍ରିୟା

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ରଦ୍ଦ ହେବା ପରେ କଂଗ୍ରେସ ଏହାକୁ ଗଣତନ୍ତ୍ର ପାଇଁ ଏକ କଳା ଦିନ ବୋଲି କହିଛି । ମୋଦୀ ସରକାରଙ୍କ ଏହି “ଯୋଜନାବଦ୍ଧ ପଦକ୍ଷେପ” ବିରୋଧରେ ଆଇନଗତ ଓ ରାଜନୈତିକ ଲଢ଼େଇ ଜାରି ରହିବ । ଭାରତୀୟ ଗଣତନ୍ତ୍ରର ଓମ୍ ଶାନ୍ତି ହୋଇଯାଇଛି ବୋଲି କହିଛି କଂଗ୍ରେସ।

ଏହି ଘଟଣାକ୍ରମ ଉପରେ ଭବିଷ୍ୟତ କାର୍ଯ୍ୟପନ୍ଥା ସ୍ଥିର କରିବାକୁ କଂଗ୍ରେସ ଆଜି ଅପରାହ୍ନ ସନ୍ଧ୍ୟାରେ ପାର୍ଟି ମୁଖ୍ୟାଳୟରେ ବରିଷ୍ଠ ନେତାଙ୍କ ବୈଠକ ଡାକିଛି।

କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି, “ମୋଦୀ ସରକାର ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଦଳକୁ ଅଧିକ ଭୟ କରୁଛନ୍ତି। ଗଣତନ୍ତ୍ରକୁ ହତ୍ୟା କରିବା ପାଇଁ ସେମାନେ ଗାନ୍ଧୀଙ୍କ ସଂସଦ ସଦସ୍ୟତାକୁ ରଦ୍ଦ କରିଛନ୍ତି। ଯେଉଁମାନେ ସତ କୁହନ୍ତି ସେମାନଙ୍କୁ ଚୁପ୍ କରିବାକୁ ଚାହାଁନ୍ତି ମୋଦୀ ସରକାର |

ଖଡ଼ଗେ କହିଛନ୍ତି, “ଦେଶବାସୀ ଏହି ଏକଛତ୍ରବାଦୀ ଶାସନକୁ ବରଦାସ୍ତ କରିବେ ନାହିଁ। ଗଣତନ୍ତ୍ରର ସୁରକ୍ଷା ପାଇଁ ଆମେ ଜେଲ ଯିବୁ ସିନା ଆଦାନୀ କେଳେଙ୍କେରୀ ମାମଲାରେ ଜେପିସି ଦାବି ଜାରି ରଖିବୁ। ”

କଂଗ୍ରେସ ସାଧାରଣ ସମ୍ପାଦକ କେ ବେଣୁଗୋପାଳ କହିଛନ୍ତି, “ରାହୁଲ ଗାନ୍ଧୀଙ୍କ ଅଯୋଗ୍ୟତା କଫିନ୍‌ର ଶେଷ କଣ୍ଟା ଥିଲା। ଗଣତନ୍ତ୍ର ପାଇଁ ଏହା ଏକ କଳା ଦିନ | ସଂସଦରେ ରାହୁଲ ଗାନ୍ଧୀଙ୍କ ସ୍ୱରକୁ ଦବାଇବା ପାଇଁ ମୋଦୀ ସରକାରଙ୍କ ଏହା ଏକ ଯୋଜନାବଦ୍ଧ ପଦକ୍ଷେପ। ଆମେ ଏହାର ଆଇନଗତ ଏବଂ ରାଜନୈତିକ ଦୃଷ୍ଟିରୁ ମୁକାବିଲା କରିବୁ। ସତ୍ୟର ବିଜୟ ହେବ |

କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ ଟ୍ୱିଟ୍ କରି କହିଛନ୍ତି, “ଆମେ ଏହି ଯୁଦ୍ଧକୁ ଆଇନଗତ ଏବଂ ରାଜନୈତିକ ସ୍ତରରେ ଲଢ଼ିବୁ । ଆମେ ଧମକରେ ନାହିଁ କି ଚୁପ୍ ରହିବୁ ନାହିଁ। ପ୍ରଧାନମନ୍ତ୍ରୀଙ୍କ ସହ ଜଡ଼ିତ ଆଦାନୀ ଦୁର୍ନୀତିର ଜେପିସି ତଦନ୍ତ କରିବା ପରିବର୍ତ୍ତେ ରାହୁଲ ଗାନ୍ଧୀଙ୍କୁ ସସଦରୁ ଅଯୋଗ୍ୟ କରାଯାଇଛି। ଭାରତୀୟ ଗଣତନ୍ତ୍ର ଓମ୍ ଶାନ୍ତି। ”

ଦଳର ସାଧାରଣ ସମ୍ପାଦକ ତଥା ରାହୁଲଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ବାଦ୍ରା କହିଛନ୍ତି, “ନୀରବ ମୋଦୀ ଘୋଟାଲା – ୧୪,୦୦୦ କୋଟି, ଲଲିତ ମୋଦୀ ଘୋଟାଲା – ୪୨୫ କୋଟି, ମେହୁଲ ଚୋକସି ଘୋଟାଲା – ୧୩,୫୦୦ କୋଟି ଟଙ୍କା। ଯେଉଁମାନେ ଦେଶର ଟଙ୍କା ଲୁଟ୍ କରିଛନ୍ତି ବିଜେପି ସେମାନଙ୍କୁ କାହିଁକି ଘଣ୍ଟ ଘୋଡାଉଛି ? ସେମାନେ କାହିଁକି ତଦନ୍ତରୁ ବର୍ତ୍ତି ଯାଉଛନ୍ତି? ଯେଉଁମାନେ ଏନେଇ ପ୍ରଶ୍ନ ଉଠାଉଛନ୍ତି, ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଉଛି।”

କେରଳର ୱାୟାନାଡ ସଂସଦୀୟ ଆସନରୁ ପ୍ରତିନିଧିତ୍ୱ କରୁଥିବା ରାହୁଲ ଗାନ୍ଧୀଙ୍କୁ ୨୦୧୯ର ଏକ ମାନହାନି ମାମଲାରେ ଗୁରୁବାର ସୁରଟ କୋର୍ଟ ଦୋଷୀ ସାବ୍ୟସ୍ତ କରି ଦୁଇ ବର୍ଷ ଜେଲ ଦଣ୍ଡାଦେଶ ଦେଇଥିଲେ । କୋର୍ଟ ଦଣ୍ଡାଦେଶର ଦିନକ ପରେ ଶୁକ୍ରବାର ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ରଦ୍ଦ ହୋଇଛି । ଲୋକସଭା ସଚିବାଳୟ ତରଫରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ ମାର୍ଚ୍ଚ ୨୩ରୁ ରାହୁଲଙ୍କ ଅଯୋଗ୍ୟତା ଲାଗୁ ହୋଇଛି।

୨୦୧୯ରେ କର୍ଣ୍ଣାଟକର କୋଲାରରେ ଏକ ନିର୍ବାଚନୀ ରାଲିରେ ରାହୁଲ କହିଥିଲେ ଯେ “ସବୁ ଚୋର ମୋଦୀ ସାଙ୍ଗିଆଧାରୀ କାହିଁକି ହୋଇଥାନ୍ତି।” ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରତି ଆକ୍ଷେପ କରି ରାହୁଲ ଗାନ୍ଧୀ ଏପରି କହିଥିଲେ । ଏଥିସହ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପଳାତକ ଲଳିତ ମୋଦୀ ଓ ନିରବ ମୋଦୀ ସହ ତୁଳନା କରିଥିଲେ । ଏପରି ମନ୍ତବ୍ୟ ପାଇଁ ରାହୁଲଙ୍କ ବିରୋଧରେ ବିଜେପି ନେତା ତଥା ସୁରଟ ପଶ୍ଚିମର ତତ୍କାଳୀନ ବିଧାୟକ ପୂର୍ଣ୍ଣେଶ ମୋଦୀ ଅପରାଧିକ ମାନହାନି ମାମଲା ଦାୟର କରିଥିଲେ । ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟ ଆମ ଜାତିର ଭାବନାକୁ ଆଘାତ ଦେଇଛି ବୋଲି ପୂର୍ଣ୍ଣେଶ ମୋଦୀ ଅଭିଯୋଗ କରିଥିଲେ।

Exit mobile version