Site icon ଆଜିକାଲି

କର୍ଣ୍ଣାଟକରେ ପୂର୍ଣ୍ଣ ବହୁମତ ଆଡ଼କୁ କଂଗ୍ରେସ, ପରାଜୟ ସ୍ବୀକାର କଲେ ବମ୍ମାଇ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ବିଜେପିକୁ ଲାଗିଛି ବଡ଼ ଝଟକା । ନା ପ୍ରଧାନମନ୍ତ୍ରୀ ମୋଦୀଙ୍କ ମାରାଥନ୍ ପ୍ରଚାର କାମ ଦେଲା ନା ‘ବଜରଙ୍ଗବାଲୀ’ ସହାୟ ହେଲେ । ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ବରଣ କରିଛି ବିଜେପି । ୩୮ ବର୍ଷର ପରମ୍ପରା ବଜାୟ ରଖି ସରକାର ବଦଳାଇଛନ୍ତି କର୍ଣ୍ଣାଟକବାସୀ ‌‌। ପୂର୍ଣ୍ଣ ବହୁମତ ସହ ଏହି‌ ଦକ୍ଷିଣ ରାଜ୍ୟରେ କଂଗ୍ରେସ ସରକାର ଗଢ଼ିବାକୁ ଯାଉଛି ‌‌। ଭୋଟ୍ ଗଣତି ଜାରି ରହିଥିଲେ ମଧ୍ୟ ସଦ୍ୟତମ ଟ୍ରେଣ୍ଡ ଅନୁଯାୟୀ ୨୨୪ ଆସନ ମଧ୍ୟରୁ କଂଗ୍ରେସ ୧୩୦ଟି ଆସନରେ ଅଗ୍ରଣୀ ରହି ବିପୁଳ ବିଜୟ ଆଡ଼କୁ ଅଗ୍ରସର ହୋଇଛି ।

ବିଜେପି ନେତା ତଥା ରାଜ୍ୟ ମୁଖ୍ୟମନ୍ତ୍ରୀ ବାସବରାଜ ବମ୍ମାଇ ପରାଜୟ ସ୍ବୀକାର କରିଛନ୍ତି। ପରାଜୟ ସ୍ୱୀକାର କରି ବମ୍ମାଇ କହିଛନ୍ତି ଯେ ଆମେ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିନାହୁଁ । ସମ୍ପୂର୍ଣ୍ଣ ଫଳାଫଳ ଆସିବା ପରେ ଆମେ ଦଳର ପରାଜୟ ନେଇ ବିସ୍ତୃତ ସମୀକ୍ଷା କରିବୁ । ଦଳର ପୁନର୍ଗଠନ ସହ ଲୋକସଭା ନିର୍ବାଚନରେ ପ୍ରତ୍ୟାବର୍ତ୍ତନ କରିବୁ।

କଂଗ୍ରେସ କହିଛି, କର୍ଣ୍ଣାଟକ ଜନତା ବିଜେପିକୁ ଏକ‌ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି । ଲୋକଙ୍କ ଦୈନନ୍ଦିନ ଜୀବନ ସହ ଜଡ଼ିତ ପ୍ରସଙ୍ଗ ହିଁ ଗୁରୁତ୍ୱପୂର୍ଣ୍ଣ।

ବିଜେପି ପରାଜୟ ତଥା ମୁଖ୍ୟମନ୍ତ୍ରୀ ବାସବରାଜ ବମ୍ମାଇ (ଶିଗଗାଓଁ) ଏବଂ ରାଜ୍ୟ କଂଗ୍ରେସ ସଭାପତି ଡିକେ ଶିବକୁମାର (କନକପୁରା) ନିଜ ନିଜ ଆସନରେ ବିଜୟ ଆଡ଼କୁ ଅଗ୍ରସର ହେଉଛନ୍ତି। ତେବେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ଛାଡି କଂଗ୍ରେସରେ ସାମିଲ ହୋଇଥିବା ଜଗଦୀଶ ଶେଟ୍ଟର ହୁବଲି-ଧର୍ମୱାଡ ସେଣ୍ଟ୍ରାଲ ଆସନରେ ପଛୁଆ ଅଛନ୍ତି।

Exit mobile version