Site icon ଆଜିକାଲି

ଆଜିଠାରୁ ‘ଭାରତ ଯୋଡୋ’ ଯାତ୍ରା ଆରମ୍ଭ କରିବ କଂଗ୍ରେସ

ନୂଆଦିଲ୍ଲୀ: ଦରବୃଦ୍ଧି, ବେକାରୀ, ସାମ୍ପ୍ରଦାୟିକ ହିଂସା ନେଇ ସରକାରଙ୍କ ବିରୋଧରେ ଜନମତ ସୃଷ୍ଟି କରିବା ଲକ୍ଷ୍ୟରେ କଂଗ୍ରେସ ଆଜିଠାରୁ ‘ଭାରତ ଯୋଡୋ’ ଯାତ୍ରା ଆରମ୍ଭ କରିବ । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି କନ୍ୟାକୁମାରୀ ଠାରୁ ଦଳର ‘ଭାରତ ଯୋଡୋ’ ଯାତ୍ରାର ଶୁଭାରମ୍ଭ କରିବେ। ସେ ଏହା ପୂର୍ବରୁ ତାମିଲନାଡୁର ଶ୍ରୀପେରୁମ୍ବୁଦୁରରେ ତାଙ୍କ ପିତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ସ୍ମାରକୀ ପରିଦର୍ଶନ କରିଥିଲେ। ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡୋ ଯାତ୍ରା’ ୧୨ଟି ରାଜ୍ୟ ଏବଂ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ଦେଇ ଯିବ। ପ୍ରାୟ ୧୫୦ ଦିନର ଏହି ପଦଯାତ୍ରା ୩୫୭୦ କିଲୋମିଟର ଦୂରତା ଅତିକ୍ରମ କରିବ | ଏହି ଯାତ୍ରା କନ୍ୟାକୁମାରୀରୁ ଆରମ୍ଭ ହୋଇ କାଶ୍ମୀରରେ ଶେଷ ହେବ | କଂଗ୍ରେସ ନେତା ରାହୁଲ ଗାନ୍ଧୀ ‘ଭାରତ ଯୋଡୋ” ଯାତ୍ରା ସମୟରେ ଏକ କଣ୍ଟେନର କ୍ୟାବିନରେ ଶୋଇବେ ।

ପାର୍ଟି ସୂତ୍ରରୁ ପ୍ରକାଶ ଯେ ରାହୁଲ ଗାନ୍ଧୀ କନ୍ୟାକୁମାରୀର ମହାତ୍ମା ଗାନ୍ଧୀ ମଣ୍ଡପମ୍ ଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବେ | ସେଠାରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ‘ଭାରତ ଯୋଡୋ ଯାତ୍ରା’ର ଶୁଭାରମ୍ଭ ପୂର୍ବରୁ ତାଙ୍କୁ ଖଦିର ଜାତୀୟ ପତାକା ହସ୍ତାନ୍ତର କରିବେ। ଏହି ଯାତ୍ରା ସମୟରେ ହଜାର ହଜାର କଂଗ୍ରେସ କର୍ମୀ ଓ ନେତା ପ୍ରତିଦିନ ପ୍ରାୟ ୬-୭ ଘଣ୍ଟା ଚାଲିବେ | ସୂତ୍ରରୁ ପ୍ରକାଶ ଯେ ରାହୁଲ ଗାନ୍ଧୀ କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଯିବେ। ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ସମଗ୍ର ଦେଶରେ କେନ୍ଦ୍ର ସରକାରଙ୍କ ବିରୋଧରେ ଜନ ସମର୍ଥନ ସୃଷ୍ଟି କରିବା ପାଇଁ କଂଗ୍ରେସ ଦଳ ଏହି ଯାତ୍ରା ବାହାର କରୁଛି। ଏହି ଗସ୍ତ ସମୟରେ କଂଗ୍ରେସ ମୁଦ୍ରାସ୍ଫୀତି, ବେକାରୀ ଏବଂ ଅର୍ଥନୈତିକ ପ୍ରସଙ୍ଗ ଉଠାଇବ।

Exit mobile version