Site icon ଆଜିକାଲି

ଆଜି କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ

ନୂଆଦିଲ୍ଲୀ: କଂଗ୍ରେସର ସର୍ବୋଚ୍ଚ ନୀତି ନିର୍ଣ୍ଣୟକାରୀ ସଂସ୍ଥା କଂଗ୍ରେସ କାର୍ଯ୍ୟକାରିଣୀ (ସିଡବ୍ଲ୍ୟୁଡିସି)ର ବୈଠକ ଆଜି ବସୁଛି । ଏଥିରେ ଦଳର ସଭାପତି ନିର୍ବାଚନ ସହ ଜଡ଼ିତ କାର୍ଯ୍ୟକ୍ରମକୁ ଅନୁମୋଦନ କରାଯିବା ସମ୍ଭାବନା ରହିଛି । ସୂତ୍ରରୁ ପ୍ରକାଶ ଯେ କଂଗ୍ରେସ ସଭାପତି ନିର୍ବାଚନ ପାଇଁ ବିସ୍ତୃତ କାର୍ଯ୍ୟକ୍ରମକୁ ଅନୁମୋଦନ କରିବା ସହିତ ଅପରାହ୍ନ ୩:୩୦ରେ ଅନୁଷ୍ଠିତ ହେବାକୁ ଥିବା ଏହି ଅନଲାଇନ୍ ବୈଠକରେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ନେତୃତ୍ୱ ଉପରେ ଭରସା ପ୍ରକଟ କରାଯାଇପାରେ। ଦଳରୁ ଗୁଲାମ ନବୀ ଆଜାଦଙ୍କ ଇସ୍ତଫା ପ୍ରସଙ୍ଗରେ ଏହା ମହତ୍ତ୍ୱପୂର୍ଣ୍ଣ ହେବ।

କଂଗ୍ରେସ ସାଧାରଣ ସଚିବ କେସି ବେଣୁଗୋପାଳ ଟ୍ବିଟ୍ କରି କହିଛନ୍ତି ଯେ, “ରବିବାର ଅପରାହ୍ନ ସାଢେ ୩ଟା ସମୟରେ ସିଡବ୍ଲୁସି ବୈଠକ ଭର୍ଚୁଆଲ ଭାବେ ଅନୁଷ୍ଠିତ ହେବ । ଏଥିରେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯିବ । ସୋନିଆ ଗାନ୍ଧୀ ଭର୍ଚୁଆଲ ଯୋଗେ ବୈଠକରେ ଅଧ୍ୟକ୍ଷତା କରିବେ ।” ତେବେ କଂଗ୍ରେସର ପୁରୁଖା ନେତା ଗୁଲାମ ନବୀ ଆଜାଦଙ୍କ ଇସ୍ତଫା ଦୃଷ୍ଟିରୁ ମଧ୍ୟ ଏହି ବୈଠକ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି । ଆଜାଦ ସିଡବ୍ଲୁସିର ଜଣେ ସଦସ୍ୟ ଥିଲେ । ଆଜାଦଙ୍କ ଇସ୍ତାଫା ପରେ ତାଙ୍କୁ ଗତକାଲି ଦିଲ୍ଲୀରେ ଭେଟିଥିବା ଆନନ୍ଦ ଶର୍ମା ମଧ୍ୟ ଏହାର ସଦସ୍ୟ ଅଟନ୍ତି । କଂଗ୍ରେସର ଏହି ଗୁରୁତ୍ବପୂର୍ଣ୍ଣ ବୈଠକରେ ଅଧ୍ୟକ୍ଷ ନିର୍ବାଚନ ସମେତ ଗୁଲାମ ନବୀ ଆଜାଦଙ୍କ ଇସ୍ତଫା ସମ୍ପର୍କରେ ମଧ୍ୟ ଆଲୋଚନା କରାଯିବାର ସୂଚନା ରହିଛି । ପୂର୍ବରୁ ଅଗଷ୍ଟ ୨୧ରୁ ୨୮ ତାରିଖ ମଧ୍ୟରେ କଂଗ୍ରେସର ନୂତନ ଅଧ୍ୟକ୍ଷ ପାଇଁ ନିର୍ବାଚନ କରାଯିବ ବୋଲି କୁହାଯାଇଥିଲା ।

Exit mobile version