Site icon ଆଜିକାଲି

କାନାଡ଼ାରେ ଇନ୍ଦିରା ଗାନ୍ଧୀଙ୍କ ହତ୍ୟାର ପ୍ରଜ୍ଞାପନ ମେଢ଼ ନେଇ ବିବାଦ

ଚଣ୍ଡିଗଡ଼: କାନାଡାର ବ୍ରାମ୍ପଟନରେ ଏକ ପ୍ୟାରେଡରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଉପରେ ଏକ ପ୍ରଜ୍ଞାପନ ମେଢ଼କୁ ନେଇ ବିବାଦ ଉଠିଛି । ଏଥିରେ ଇନ୍ଦିରା ଗାନ୍ଧୀଙ୍କୁ ତାଙ୍କ ଶିଖ ଅଙ୍ଗରକ୍ଷୀ କିପରି ହତ୍ୟା କରୁଛନ୍ତି ତାହା ଦର୍ଶାଯାଇଛି ।

ଜୁନ୍ ୪ରେ ବ୍ରାମ୍ପଟନରେ ଏକ ଶିଖ୍ ପ୍ୟାରେଡ୍ ସମୟରେ ଏହି ପ୍ରଜ୍ଞାପନ ମେଢ଼ ପ୍ରଦର୍ଶିତ ହୋଇଥିଲା । ଏକ ପୋଷ୍ଟର ଲଗାଯାଇଥିଲା ଯେଉଁଥିରେ ଲେଖାଥିଲା – ‘ବଦଲା’ ଏବଂ ଏଥିରେ ଖାଲିସ୍ତାନର ପତାକା ମଧ୍ୟ ଲାଗିଥିଲା |

ଏହି ଘଟଣାରେ କଂଗ୍ରେସ ଆଶ୍ଚର୍ଯ୍ୟ ପ୍ରକାଶ କରିଛି । ଏହାକୁ ସମସ୍ତେ ନିନ୍ଦା କରାଯିବା ଉଚିତ ବୋଲି କହିଛି‌ ଦଳ । ଭାରତରେ ଅବସ୍ଥାପିତ କାନାଡାର ହାଇ କମିଶନ ମଧ୍ୟ ଏହାକୁ ନିନ୍ଦା କରିଛନ୍ତି । ତେବେ ଭାରତ ସରକାରଙ୍କ ତରଫରୁ ଏନେଇ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ ।

ଅମୃତସରରେ ଭାରତୀୟ ସେନାର ‘ଅପରେସନ୍ ବ୍ଲୁଷ୍ଟାର’ର ୩୯ତମ ବାର୍ଷିକୀ ପୂର୍ବରୁ କାନାଡାର ଖଲିସ୍ତାନ ସମର୍ଥକମାନେ ଏପରି ଏକ ପରେଡର ଆୟୋଜନ କରିଥିଲେ ବୋଲି ଗୁଇନ୍ଦା ବିଭାଗ ତରଫରୁ କୁହାଯାଇଛି । ଇନ୍ଦିରା ଗାନ୍ଧୀ ପ୍ରଧାନମନ୍ତ୍ରୀ ଥିବା ସମୟରେ ଖଲିସ୍ତାନ ଆତଙ୍କବାଦୀଙ୍କ ବିରୋଧରେ ଆରମ୍ଭ ହୋଇଥିଲା ‘ଅପରେସନ୍ ବ୍ଲୁଷ୍ଟାର’‌ । ଏହା ୧୯୮୪ ମସିହା ଜୁନ୍ ୧ରୁ ୮ ଯାଏଁ ଚାଲିଥିଲା । ଏହି ଅପରେସନରେ ଅନେକ ଖଲିସ୍ତାନ ଆତଙ୍କବାଦୀ ଓ ସେନା ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ଅମୃତସରର ପ୍ରସିଦ୍ଧ ସ୍ବର୍ଣ୍ଣ ମନ୍ଦିର ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା।

ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ନିର୍ଦ୍ଦେଶରେ ସ୍ବର୍ଣ୍ଣ ମନ୍ଦିର ଭିତରେ ଲୁଚି ରହିଥିବା ଖଲିସ୍ତାନୀ ଆତଙ୍କବାଦୀ ଜର୍ନେଲ ସିଂ ଭିନ୍ଦ୍ରନୱାଲେ ଓ ତା’ର ସହଯୋଗୀଙ୍କ ବିରୋଧରେ ଆରମ୍ଭ ହୋଇଥିଲା ଅପରେସନ୍ ବ୍ଲୁଷ୍ଟାର୍ । ଏହି ସେନା ଅପରେସନର ପ୍ରତିଶୋଧ ନେବାକୁ ଯାଇ ୧୯୮୪ ଅକ୍ଟୋବର ୩୧ରେ ଇନ୍ଦିରା ଗାନ୍ଧୀଙ୍କୁ ତାଙ୍କର ତିନି ଶିଖ୍ ଅଙ୍ଗରକ୍ଷୀ ଗୁଳିକରି ହତ୍ୟା କରିଥିଲେ।

Exit mobile version