Site icon ଆଜିକାଲି

ଦେଶରେ ବଢୁଛି କରୋନା ମାମଲା : ୨୪ ଘଣ୍ଟାରେ ୫ ମୃତ, ୩୩୫ ନୂଆ ରୋଗୀ ଚିହ୍ନଟ

ନୂଆଦିଲ୍ଲୀ : ଭାରତରେ ପୁଣି କରୋନା ମାମଲା ବଢ଼ିବାରେ ଲାଗିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ମୁତାବକ, ରବିବାର ୩୩୫ ନୂଆ କୋଭିଡ୍‌ ରୋଗୀ ଚିହ୍ନଟ ହୋଇଛନ୍ତି। ଏହା ସହିତ ଆକ୍ଟିଭ୍‌ ମାମଲା ବଢ଼ି ୧,୭୦୧ ହୋଇଛି। ଏ ପର୍ଯ୍ୟନ୍ତ କରୋନା ସଂକ୍ରମଣରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସେଥି ମଧ୍ୟରୁ ୪ ଜଣ କେରଳର ଏବଂ ଜଣେ ଉତ୍ତର ପ୍ରଦେଶର ବାସିନ୍ଦା ବୋଲି ଜଣାପଡ଼ିଛି।

କେରଳରୁ କରୋନାର ନୂଆ ସବ୍‌-ଭ୍ୟାରିଏଣ୍ଟ୍‌ ଜେଏନ୍‌.୧ର ମାମଲା ମଧ୍ୟ ସାମ୍ନାକୁ ଆସିଛି। ଦେଶରେ ବର୍ତ୍ତମାନ ସୁଦ୍ଧା କରୋନାର ୪ କୋଟି ୫୦ ଲକ୍ଷ ୪ ହଜାର ୮୧୬ ମାମଲା ସାମ୍ନାକୁ ଆସି ସାରିଛି। ଏପଟେ ଗତ ୨୪ ଘଣ୍ଟାରେ ୫ ଜଣଙ୍କ ମୃତ୍ୟୁ ପରେ ମୃତକଙ୍କ ସଂଖ୍ୟା ବଢ଼ି ୫ ଲକ୍ଷ ୩୩ ହଜାର ୩୧୬ ହୋଇଛି। ସେହିପରି ସଂକ୍ରମଣରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୪ କୋଟି ୪୪ ଲକ୍ଷ ୬୯ ହଜାର ୭୯୯ ରହିଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ୱେବସାଇଟ୍‌ ମୁତାବକ, ଦେଶରେ ସୁସ୍ଥହାର ୯୮.୮୧ ପ୍ରତିଶତ ଥିବାବେଳେ ମୃତ୍ୟୁହାର ରହିଛି ୧.୧୯ ପ୍ରତିଶତ। ଏ ପର୍ଯ୍ୟନ୍ତ କୋଭିଡ୍‌-୧୯ ଭ୍ୟାକ୍ସିନ୍‌ର ୨୨୦.୬୭ କୋଟି ଡୋଜ୍‌ ଦିଆଯାଇ ସାରିଛି। ତେବେ ବର୍ତ୍ତମାନ ପୁଣିଥରେ କରୋନା ମାମଲା ବୃଦ୍ଧି ପାଉଥିବାରୁ ଲୋକଙ୍କ ମନରେ ଭୟ ପଶିଛି।

Exit mobile version