Site icon ଆଜିକାଲି

କରୋନା ଗ୍ରାଫ୍ ପୁଣି ଉପରମୁହାଁ, ୧୨୬ ଦିନ ପରେ ଦେଶରେ ୮୦୦ ରୁ ଅଧିକ ମାମଲା

ନୂଆଦିଲ୍ଲୀ : ଦେଶରେ କରୋନା ଗ୍ରାଫ୍ ପୁଣି ଉପରମୁହାଁ। ୧୨୬ ଦିନ ପରେ ଶନିବାର ୮୦୦ ରୁ ଅଧିକ ମାମଲା ରିପୋର୍ଟ ହୋଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ଜାରି ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟାରେ ଦେଶରେ କୋଭିଡ-୧୯ର ୮୪୩ଟି ନୂଆ ମାମଲା ଆସିଛି। ଏଥିସହ ମୋଟ ସଂକ୍ରମିତ ଲୋକଙ୍କ ସଂଖ୍ୟା ୪,୪୬,୯୪,୩୪୯କୁ ବୃଦ୍ଧି ପାଇଛି। କୋଭିଡ୍ ଯୋଗୁଁ ଗତ ୨୪ ଘଣ୍ଟା ମଧ୍ୟରେ ଝାଡଖଣ୍ଡ ଏବଂ ମହାରାଷ୍ଟ୍ରରୁ ଜଣେ ଲେଖାଏଁ ଲୋକ ପ୍ରାଣ ହରାଇଥିବା ବେଳେ କେରଳରୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଏଥି ସହିତ ଦେଶରେ ମୋଟ କୋଭିଡ୍ ମୃତ୍ୟୁ ସଂଖ୍ୟା ୫,୩୦,୭୯୯ କୁ ବୃଦ୍ଧି ପାଇଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ହେଉଛି ୫,୮୩୯, ଯାହା ମୋଟ ସଂକ୍ରମିତଙ୍କ ୦.୦୧ ପ୍ରତିଶତ। କରୋନାରୁ ସୁସ୍ଥତା ହାର ହେଉଛି ୯୮.୮୦ ପ୍ରତିଶତ। ମନ୍ତ୍ରଣାଳୟ ସୂଚନା ଅନୁଯାୟୀ, ଭାରତରେ କୋଭିଡ-୧୯ରୁ ଏଯାବତ୍ ମୋଟ ୪,୪୧,୫୮,୧୬୧ ଲୋକ ସୁସ୍ଥ ହୋଇଛନ୍ତି । ମୃତ୍ୟୁ ହାର ୧.୧୯ ପ୍ରତିଶତ ବୋଲି ଆକଳନ କରାଯାଇଛି। ମନ୍ତ୍ରଣାଳୟର ୱେବସାଇଟ୍ ଅନୁଯାୟୀ ଦେଶବ୍ୟାପୀ ଟୀକାକରଣ ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ ଦେଶରେ ୨୨୦.୬୪ କୋଟି କୋଭିଡ-୧୯ ଟିକା ଦିଆଯାଇଛି।

Exit mobile version