Site icon ଆଜିକାଲି

କରୋନା ଭୟ: ବିଭିନ୍ନ ରାଜ୍ୟରେ ଫେରିଲା ମାସ୍କ, ବୁଷ୍ଟର ଡୋଜ୍ ଉପରେ ଫୋକସ୍

ନୂଆଦିଲ୍ଲୀ: ଚୀନ୍ ସହ ବହୁ ଦେଶରେ କରୋନା ମାମଲା ବୃଦ୍ଧି ଦୃଷ୍ଟିରୁ ଭାରତରେ କେନ୍ଦ୍ର ସହ ସବୁ ରାଜ୍ୟ ସତର୍କତା ଅବଲମ୍ବନ କରିଛନ୍ତି । ଓମିକ୍ରନ୍ ର ସବ୍ ଭାରିଆଣ୍ଟ ବିଏଫ୍.୭ ଚୀନରେ ସମ୍ପ୍ରତି ଆତଙ୍କ ସୃଷ୍ଟି କରିଛି | ଭାରତରେ ମଧ୍ୟ ଏହି ଭାରିଆଣ୍ଟର ୩ଟି ମାମଲା ମିଳିଛି । ଏହି ଭାରିଆଣ୍ଟ ଜନିତ ସମ୍ଭାବ୍ୟ ନୂଆ ଲହରକୁ ଏଡ଼ାଇବା ପାଇଁ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଉଚ୍ଚ ସ୍ତରୀୟ ବୈଠକ କରି ସ୍ଥିତିର ସମୀକ୍ଷା କରିଥିଲେ । ଏହାସହ ସେ ଲୋକଙ୍କୁ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ପାଳନ କରିବାକୁ ପରାମର୍ଶ ଦେଇଥିଲେ ।

ଏହାଛଡ଼ା ଉତ୍ତର ପ୍ରଦେଶ, ଝାଡଖଣ୍ଡ, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, କର୍ଣ୍ଣାଟକ, ତାମିଲନାଡୁ, ଉତ୍ତରାଖଣ୍ଡ ଏବଂ ହିମାଚଳ ପ୍ରଦେଶର ସରକାର ମଧ୍ୟ କୋଭିଡ-୧୯ ପାଇଁ ପ୍ରସ୍ତୁତି ଏବଂ ପ୍ରୋଟୋକଲ ସମୀକ୍ଷା କରିଥିଲେ। ଜନଗହଳି ପୂର୍ଣ୍ଣ ସ୍ଥାନରେ ମାସ୍କ ପିନ୍ଧିବା, ଜିନୋମ ସିକ୍ବେନ୍ସିଂ ବଢ଼ାଇବା ଏବଂ ଲୋକଙ୍କୁ ତୃତୀୟ ତଥା ବୁଷ୍ଟର ଡୋଜ୍ ଦେବା ବାଧ୍ୟତାମୂଳକ କରାଯାଇଛି ।

କରୋନାର ଲେଉଟାଣି ଦୃଷ୍ଟିରୁ ଦିଲ୍ଲୀ ଏମ୍ସ ମଧ୍ୟ ଗାଇଡ ଲାଇନ ଜାରି କରିଛି। ବର୍ତ୍ତମାନ ଏମ୍ସର କର୍ମଚାରୀଙ୍କୁ ଡାକ୍ତରଖାନା ପରିସରରେ କୋଭିଡ ନିୟମ ପାଳନ କରିବାକୁ ପଡିବ | କ୍ୟାମ୍ପସରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଏହା ସହିତ ଏମ୍ସ କ୍ୟାମ୍ପସରେ ପାଞ୍ଚରୁ ଅଧିକ ଲୋକଙ୍କ ଭିଡ଼ ଉପରେ କଟକଣା ମଧ୍ୟ ଲଗାଯାଇଛି ।

Exit mobile version