ନୂଆଦିଲ୍ଲୀ: ଭାରତୀୟ ଫାର୍ମା କମ୍ପାନୀ ‘ଭାରତ ବାୟୋଟେକ୍’ ଏହାର କରୋନା ଟିକା କୋଭାକ୍ସିନ୍ ନିରାପଦ ବୋଲି ଦାବି କରିଛି। ଏହାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନାହିଁ | କୋଭିସିଲ୍ଡ ଟିକାର ପାର୍ଶ୍ୱ ପ୍ରତିକ୍ରିୟା ଥାଇପାରେ ବୋଲି ଆଷ୍ଟ୍ରାଜେନେକାର ସ୍ୱୀକାରୋକ୍ତି ପରେ ଭାରତ ବାୟୋଟେକ୍ ଏଭଳି ଦାବି କରିଛି। ଭାରତରେ କୋଭିଡ୍-୧୯ ବିରୋଧରେ ଟିକାକରଣ ଅଭିଯାନରେ ଲୋକଙ୍କୁ କୋଭୋକ୍ସିନ ଏବଂ କୋଭିସିଲ୍ଡ ଟିକା ଦିଆଯାଇଥିଲା।
ଭାରତ ବାୟୋଟେକ୍ ଏକ ବିବୃତ୍ତିରେ କହିଛି, କୋଭାକ୍ସିନ୍ ତିଆରି କଲାବେଳେ ଆମର ପ୍ରଥମ ପ୍ରାଥମିକତା ଥିଲା ଲୋକଙ୍କ ସୁରକ୍ଷା ଏବଂ ଦ୍ୱିତୀୟ ପ୍ରାଥମିକତା ଟିକାର ଗୁଣାତ୍ମକ ମାନ । ଲାଇସେନ୍ସ ପ୍ରକ୍ରିୟା ଅଧୀନରେ ୨୭,୦୦୦ରୁ ଅଧିକ ଲୋକଙ୍କ ଉପରେ କୋଭାକ୍ସିନ୍ ଭ୍ୟାକ୍ସିନର ପରୀକ୍ଷଣ କରାଯାଇଥିଲା। ଭାରତ ସରକାରଙ୍କ କୋଭିଡ୍-୧୯ ଟୀକାକରଣ କାର୍ଯ୍ୟକ୍ରମରେ କୋଭାକ୍ସିନ ଏକମାତ୍ର ଏପରି ଟିକା ଥିଲା, ଯାହାର ପ୍ରଭାବ ଆକଳନ ପାଇଁ ଭାରତରେ ପରୀକ୍ଷଣ କରାଯାଇଥିଲା।
ସୂଚନାଯୋଗ୍ୟ, ବ୍ରିଟିଶ ହାଇକୋର୍ଟରେ ଦାଖଲ ଦସ୍ତାବିଜ୍ ରେ ଆଷ୍ଟ୍ରାଜେନେକା ମାନିଛି ଯେ କୋଭିସିଲ୍ଡ ବ୍ରାଣ୍ଡ ନାମରେ ବିକ୍ରି ହୋଇଥିବା ଏହାର କରୋନା ଟିକାର ପାର୍ଶ୍ୱ ପ୍ରତିକ୍ରିୟା ଥାଇପାରେ। ଟିକା ନେବା ପରେ ଥ୍ରୋମ୍ବୋସିସ୍ ଥ୍ରୋମ୍ବୋସାଇଟୋପେନିଆ ସିଣ୍ଡ୍ରୋମ (ଟିଟିଏସ୍) ହେବା ଆଶଙ୍କା ରହିଛି | ଅବଶ୍ୟ ଏଭଳି ପାର୍ଶ୍ବ ପ୍ରତିକ୍ରିୟା ଅତି ବିରଳ ।
ଟିଟିଏସ୍ ଦ୍ବାରା ମସ୍ତିଷ୍କ କିମ୍ବା ଶରୀରର ଅନ୍ୟ ସ୍ଥାନରେ ରକ୍ତ ଜମାଟ ବାନ୍ଧି ଯାଇପାରେ | ରକ୍ତରେ ଥିବା ପ୍ଲେଟଲେଟ୍ ସଂଖ୍ୟା କମିଯାଏ | ଏହାଦ୍ବାରା ବ୍ରେନ୍ ଷ୍ଟ୍ରୋକ୍ ଓ ହୃଦଘାତ ହୋଇପାରେ। ପ୍ଲେଟଲେଟ୍ ହେଉଛି ଛୋଟ କୋଷିକା ଯାହା ରକ୍ତ ଜମାଟ ବାନ୍ଧିବାରେ ସହାୟକ ହୋଇଥାଏ । ପ୍ଲେଟଲେଟ୍ ସଂଖ୍ୟା କମ୍ ହେଲେ ବିପଦ । ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଭାରତରେ ଆଷ୍ଟ୍ରାଜେନେକା ଓ ଅକ୍ସଫୋର୍ଡ ୟୁନିଭରସିଟି ଦ୍ବାରା ବିକଶିତ କୋଭିସିଲ୍ଡ ଟିକାର ଉତ୍ପାଦନ କରିଥିଲା । ଦେଶରେ କୋଭିଡ୍-୧୯ ବିରୋଧରେ ଟିକାକରଣ ଅଭିଯାନରେ ପ୍ରାୟ ୯୦ ପ୍ରତିଶତ ଲୋକଙ୍କୁ ଏହି ଟିକା ଦିଆଯାଇଥିଲା । ଏହି ଅକ୍ସଫୋର୍ଡ – ଆଷ୍ଟ୍ରାଜେନେକା କୋଭିଡ ଭ୍ୟାକ୍ସିନ ବିଶ୍ବର ବିଭିନ୍ନ ଦେଶରେ ‘କୋଭିସିଲ୍ଡ’ ଓ ‘ଭାକ୍ସଜେଭ୍ରିଆ’ ବ୍ରାଣ୍ଡ୍ ନାଁରେ ବିକ୍ରି ହୋଇଥିଲା ।