Site icon ଆଜିକାଲି

କୋଭିଡ-୧୯ ସତର୍କତା: ଆଜି ଦେଶର ସବୁ ହସ୍ପିଟାଲରେ ‘ମକ୍ ଡ୍ରିଲ୍’

ନୂଆଦିଲ୍ଲୀ: କୋଭିଡ-୧୯ର‌ ସମ୍ଭାବ୍ୟ ନୂଆ ଲହରର ମୁକାବିଲା ପାଇଁ ମଙ୍ଗଳବାର ଦେଶର ସବୁ ହସ୍ପିଟାଲରେ ‘ମକ୍ ଡ୍ରିଲ୍’ କରାଯିବ । ଚୀନ୍ ଏବଂ ଅନ୍ୟ କିଛି ଦେଶରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବୀୟ ଗୁରୁତ୍ୱାରୋପ କରିଛନ୍ତି । ଏହି କ୍ରମରେ ଦେଶର କୋଭିଡ ହସ୍ପିଟାଲ ଗୁଡ଼ିକରେ ହେବାକୁ ଥିବା ‘ମକ୍ ଡ୍ରିଲ୍’ରେ ସବୁ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀମାନେ ନିଜ ସ୍ତରରେ ଅଂଶଗ୍ରହଣ କରିବେ। ସୋମବାର ଭାରତୀୟ ଡ଼ାକ୍ତରୀ ସଂଘ (ଆଇଏମ୍ଏ)ର ଡାକ୍ତରମାନଙ୍କ ସହ ଏକ ବୈଠକରେ ମାଣ୍ଡବୀୟ କହିଥିଲେ, “ଏପରି ମକ୍ ଡ୍ରିଲ୍ ଆମର ପରିଚାଳନାଗତ ପ୍ରସ୍ତୁତିରେ ସହାୟକ ହେବ। ଯଦି କୌଣସି ଅଭାବ ଥାଏ ତେବେ ଏହାଦ୍ବାରା ତାହା ପୂରଣ କରାଯାଇ ପାରିବ। ”

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ ବିଶ୍ବର ଅନେକ ଦେଶରେ କୋଭିଡ୍ ମାମଲା ବୃଦ୍ଧି ଦୃଷ୍ଟିରୁ ଦେଶର ବିମାନ ବନ୍ଦର ଗୁଡିକରେ ସ୍କ୍ରିନିଂ ଆରମ୍ଭ ହୋଇଛି। ଅନ୍ୟପକ୍ଷରେ ବିହାର ସରକାର ସୂଚନା ଦେଇଛନ୍ତି ଯେ ରାଜ୍ୟକୁ ଆସିଥିବା ପାଞ୍ଚ ବିଦେଶୀ ନାଗରିକ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଚାରିଜଣ ଥାଇଲ୍ୟାଣ୍ଡର ଏବଂ ଜଣେ ମିଆଁମାରର। ବିମାନବନ୍ଦର ଏବଂ ଗୟା ରେଳ ଷ୍ଟେସନରେ ଯାଞ୍ଚ ବୃଦ୍ଧି କରାଯାଇଛି ବୋଲି କୁହାଯାଇଛି ।

କୋଭିଡ୍ ବିପଦକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟ ସରକାର ସତର୍କତା ଅବଲମ୍ବନ କରିଛନ୍ତି । କର୍ଣ୍ଣାଟକ ସରକାର ସର୍ବସାଧାରଣ ସ୍ଥାନରେ ମାସ୍କ ବାଧ୍ୟତାମୂଳକ କରିବାକୁ ନିଷ୍ପତ୍ତି ନେଇଛନ୍ତି । ନୂଆବର୍ଷ ସେଲିବ୍ରେସନ ପାଇଁ ବାର୍, ପବ୍ ଓ ରେଷ୍ଟୁରାଣ୍ଟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ । ଏହାଛଡ଼ା ନୂଆ ବର୍ଷ ସେଲିବ୍ରେସନ ରାତି ଗୋଟାଏ ପୂର୍ବରୁ ଶେଷ ହେବ ବୋଲି ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି ।

Exit mobile version