Site icon ଆଜିକାଲି

କ୍ରେଗ ଫୁଲଟନ ଭାରତୀୟ ପୁରୁଷ ହକି ଦଳର ନୂଆ କୋଚ୍

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକାର କ୍ରେଗ ଫୁଲଟନ ଭାରତୀୟ ପୁରୁଷ ହକି ଦଳର ନୂଆ କୋଚ ହେବେ । ଗ୍ରାହାମ ରିଡଙ୍କ ସ୍ଥାନ ନେବେ ଫୁଲଟନ । ଭୁବନେଶ୍ୱର ଓ ରାଉରକେଲାରେ ଖେଳାଯାଇଥିବା ହକି ବିଶ୍ଵକପରେ ନିରାଶାଜନକ ପ୍ରଦର୍ଶନ ପରେ ରିଡ୍ ଭାରତୀୟ ହକି ଦଳର କୋଚ୍ ପଦରୁ ଇସ୍ତଫା ଦେଇଥିଲେ। ନୂଆ କୋଚ୍ କ୍ରେଗ ଫୁଲଟନ ଟୋକିଓ ଅଲିମ୍ପିକ୍ସ ହକିରେ ଚାମ୍ପିଅନ ହୋଇଥିବା ବେଲଜିୟମ ଦଳର ସହାୟକ କୋଚ ଥିଲେ।

ଏଫଆଇଏଚ ହକି ପ୍ରୋ ଲିଗ୍ ରେ ଘରୋଇ ମ୍ୟାଚ ପୂର୍ବରୁ ହକି ଇଣ୍ଡିଆ ପକ୍ଷରୁ କ୍ରେଗ ଫୁଲଟନଙ୍କୁ ଭାରତୀୟ ଦଳର କୋଚ୍ ଭାବେ ଘୋଷଣା କରାଯାଇଛି । ୪୮ ବର୍ଷିୟ ଫୁଲଟନଙ୍କ ହକି କୋଚିଂରେ ୨୫ ବର୍ଷର ଅଭିଜ୍ଞତା ରହିଛି। ୨୦୧୪ରୁ ୨୦୧୮ ଯାଏଁ ଫୁଲଟନ ଆୟର୍ଲାଣ୍ଡ ପୁରୁଷ ହକି ଟିମ୍ ର ମୁଖ୍ୟ କୋଚ ରହିଥିଲେ । ତାଙ୍କ ପ୍ରଶିକ୍ଷଣରେ ଆୟର୍ଲାଣ୍ଡ ୨୦୧୬ ରିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଥିଲା । ୨୦୧୫ରେ ତାଙ୍କୁ ଏଫଆଇଏଚ ସର୍ବଶ୍ରେଷ୍ଠ କୋଚ୍ ଭାବେ ଘୋଷଣା କରିଥିଲା । ଖେଳାଳି ଭାବେ ଫୁଲଟନ ଦକ୍ଷିଣ ଆଫ୍ରିକା ପକ୍ଷରୁ ୧୯୫ଟି ଆନ୍ତର୍ଜାତିକ ମ୍ୟାଚ ଖେଳିଛନ୍ତି। ୧୯୯୬ ଓ ୨୦୦୪ ଅଲିମ୍ପିକସ ଖେଳିଥିଲେ ଫୁଲଟନ୍ । ଏହାଛଡା ସେ ବିଶ୍ୱକପ ଓ ରାଜ୍ୟଗୋଷ୍ଠୀ କ୍ରୀଡାରେ ମଧ୍ୟ ଦକ୍ଷିଣ ଆଫ୍ରିକା ପାଇଁ ଖେଳିଛନ୍ତି। ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ ଭାରତୀୟ ପୁରୁଷ ହକି ଦଳର ନୂଆ କୋଚ ଭାବେ ଫୁଲଟନଙ୍କ ନିଯୁକ୍ତିକୁ ସ୍ୱାଗତ କରିଛନ୍ତି।

Exit mobile version