Site icon ଆଜିକାଲି

ସରକାରଙ୍କୁ ସମାଲୋଚନା ଦେଶ ବିରୋଧୀ ନୁହେଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଗଣମାଧ୍ୟମର ସ୍ବାଧୀନତା ନେଇ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି ସୁପ୍ରିମକୋର୍ଟ। ଏକ ମଜଭୁତ ଗଣତନ୍ତ୍ର ପାଇଁ ସ୍ବାଧୀନ ଗଣମାଧ୍ୟମ ଅପରିହାର୍ଯ୍ୟ ବୋଲି କହିବା ସହ ସୁପ୍ରିମକୋର୍ଟ ମାଲାୟାଲମ୍ ନ୍ୟୁଜ୍ ଚ୍ୟାନେଲ ମିଡିଆଓ୍ବାନ ଉପରେ କେନ୍ଦ୍ର ସରକାର ଜାରି କରିଥିବା ପ୍ରସାରଣ କଟକଣାକୁ ହଟାଇଦେଇଛନ୍ତି।

ନ୍ୟୁଜ୍ ଚ୍ୟାନେଲ ଯୋଗୁ ଜାତୀୟ ନିରାପତ୍ତା ପ୍ରତି ବିପଦ ସୃଷ୍ଟି ହେଉଛି ବୋଲି ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଯୁକ୍ତିକୁ ସର୍ବୋଚ୍ଚ ନ୍ୟାୟାଳୟ ନିନ୍ଦା କରିଛନ୍ତି। ସରକାରଙ୍କ ନୀତିକୁ ସମାଲୋଚନା ସରକାର କିମ୍ବା ଦେଶ ବିରୋଧୀ ବୋଲି କୁହାଯାଇପାରିବ ନାହିଁ ବୋଲି ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡି.ୱାଇ. ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ଦୁଇଜଣ ଖଣ୍ଡପୀଠ କହିଛନ୍ତି । ଏଥିସହ ଉକ୍ତ ଚ୍ୟାନେଲର ଲାଇସେନ୍ସକୁ ୪ ସପ୍ତାହ ମଧ୍ୟରେ ନବୀକରଣ କରିବାକୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି ।

ମିଡିଆଓ୍ବାନ ନ୍ୟୁଜ୍ ଚ୍ୟାନେଲ ପ୍ରସାରଣ ଉପରେ କଟକଣା ବିରୋଧରେ ଦାଖଲ ଆବେଦନର ଶୁଣାଣି କରି ଏହି ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି ସୁପ୍ରିମକୋର୍ଟ । ଏହି ଅବସରରେ କେନ୍ଦ୍ରର ନିଷ୍ପତ୍ତିକୁ ବଳବତ୍ତର ରଖୁଥିବା କେରଳ ହାଇକୋର୍ଟଙ୍କ ରାୟକୁ ଖଣ୍ଡପୀଠ ଖାରଜ କରିଦେଇଥିଲେ ।

୨୦୨୨ ଜାନୁୟାରୀ ୩୧ରେ ମିଡିଆୱାନ୍ ଟିଭିର ପ୍ରସାରଣ ଉପରେ କେନ୍ଦ୍ର ସରକାର କଟକଣା ଜାରି କରିଥିଲେ । ଏହି ଚ୍ୟାନେଲରେ ପ୍ରସାରିତ କାର୍ଯ୍ୟକ୍ରମ ଭାରତର ଜାତୀୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଥିବାରୁ ଏଭଳି ପଦକ୍ଷେପ ନିଆଯାଇଥିବା ସରକାରଙ୍କ ପକ୍ଷରୁ ଯୁକ୍ତି ବଢ଼ାଯାଇଥିଲା। ୨୦୧୯ରେ କେନ୍ଦ୍ର ପକ୍ଷରୁ ୫ ବର୍ଷ ପାଇଁ ବେଆଇନ ଘୋଷିତ ସାମାଜିକ-ଧର୍ମୀୟ ରାଜନୈତିକ ସଙ୍ଗଠନ ଜମାତ୍‌-ଇ-ଇସ୍‌ଲାମିର କେରଳ ୟୁନିଟ୍ ଉକ୍ତ ଚ୍ୟାନେଲର ପୃଷ୍ଠପୋଷକତା କରୁଥିବାରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ୨୦୨୨ ଜୁନ୍ ୧ରେ ସୁପ୍ରିମକୋର୍ଟଙ୍କୁ କେନ୍ଦ୍ର ଅବଗତ କରାଇଥିଲା। ୨୦୨୨ ମାର୍ଚ୍ଚ ୨ରେ କେରଳ ହାଇକୋର୍ଟ ମଧ୍ୟ ଜାତୀୟ ସୁରକ୍ଷା ଆଳରେ ମିଡିଆୱାନ୍ ଉପରେ କେନ୍ଦ୍ରର କଟକଣାକୁ ବଳବତ୍ତର ରଖିଥଲେ । ଏହି ଚ୍ୟାନେଲ ଯୋଗୁ ଜାତୀୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହୋଇଥିବା ବିଷୟ କେନ୍ଦ୍ର ପକ୍ଷରୁ ଦାଖଲ କେତେକ ନିର୍ଦ୍ଦିଷ୍ଟ ଗୋପନୀୟ ଫାଇଲରୁ ଜଣାପଡ଼ିଛି ବୋଲି ସେତେବେଳେ ହାଇକୋର୍ଟ କହିଥିଲେ । ମିଡିଆଓ୍ବାନ ଚ୍ୟାନେଲ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା।

Exit mobile version