Site icon ଆଜିକାଲି

‘ଆରଆରଆର’କୁ ପୁଣି ବଡ଼ ସଫଳତା, ଶ୍ରେଷ୍ଠ ବିଦେଶୀ ଫିଲ୍ମ ଓ ‘ନାଟୁ ନାଟୁ’ ଗୀତ ପାଇଁ ମିଳିଲା କ୍ରିଟିକ୍ସ ଚଏସ୍ ଆଓ୍ବାର୍ଡ

ନୂଆଦିଲ୍ଲୀ: ଏସ୍ଏସ୍ ରାଜାମୌଲିଙ୍କ ଫିଲ୍ମ ‘ଆରଆରଆର’କୁ ଆଉ ଏକ ବଡ଼ ସଫଳତା । ‘ନାଟୁ ନାଟୁ’ ଗୀତ ପାଇଁ ଗୋଲଡେନ୍ ଗ୍ଲୋବ୍ସ ପୁରସ୍କାର ଜିତିବା ପରେ ଏବେ ‘ଆରଆରଆର’କୁ ଲସ୍ ଆଞ୍ଜେଲସରେ ଅନୁଷ୍ଠିତ କ୍ରିଟିକ୍ସ ଚଏସ୍ ଆଓ୍ବାର୍ଡରେ ମଧ୍ୟ ଦୁଇଟି ପୁରସ୍କାର ମିଳିଛି । କ୍ରିଟିକ୍ସ ଚଏସ୍ ଆଓ୍ବାର୍ଡରେ ‘ଆରଆରଆର’ ଶ୍ରେଷ୍ଠ ବିଦେଶୀ ଫିଲ୍ମ ଓ ‘ନାଟୁ ନାଟୁ’ ଟ୍ରାକ୍ ପାଇଁ ଶ୍ରେଷ୍ଠ ଗୀତ ବର୍ଗରେ ପୁରସ୍କାର ଜିତିଛି । କ୍ରିଟିକ୍ସ ଚଏସ୍ ଆଓ୍ବାର୍ଡ ଏହାର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଏହି ସୂଚନା ଦେଇଛି ଏବଂ ଟିମ୍ ‘ଆରଆରଆର’କୁ ଅଭିନନ୍ଦନ ମଧ୍ୟ ଜଣାଇଛି ।

ଏହି ଟ୍ୱିଟର ହ୍ୟାଣ୍ଡେଲରେ ରାଜାମୌଲିଙ୍କର ଏକ ଭିଡିଓ ମଧ୍ୟ ସେୟାର କରାଯାଇଛି । ଭିଡିଓରେ ରାଜାମୌଲି ଟ୍ରଫିକୁ ପ୍ରଦର୍ଶନ କରିବା ସହ ଖୁସିରେ ଚିତ୍କାର କରୁଥିବା ଦେଖିବାକୁ ମିଳୁଛି । ଶ୍ରେଷ୍ଠ ବିଦେଶୀ ଫିଲ୍ମ ପୁରସ୍କାର ଦୌଡ଼ରେ ‘ଆରଆରଆର’ ସହ ‘ଆର୍ଜେଣ୍ଟିନା ୧୯୮୫’, ‘ବାର୍ଡୋ, ଓ ‘ଅଲ୍ କ୍ବାଇଟ୍ ଅନ୍ ଓ୍ବେଷ୍ଟର୍ଣ୍ଣ ଫ୍ରଣ୍ଟ’ ଭଳି ଚଳଚ୍ଚିତ୍ର ରହିଥିଲେ । କିନ୍ତୁ ଏହି ସମସ୍ତ ଚଳଚ୍ଚିତ୍ରକୁ ପଛରେ ପକାଇ ‘ଆରଆରଆର’ ଏହି ପୁରସ୍କାର ହାତେଇଥିଲା । ଗୋଲଡେନ୍ ଗ୍ଲୋବ୍ସ ପରେ ‘ନାଟୁ ନାଟୁ’ ଶ୍ରେଷ୍ଠ ଗୀତ ଭାବେ କ୍ରିଟିକ୍ସ ଚଏସ୍ ଆଓ୍ବାର୍ଡ ମଧ୍ୟ ଜିତିଛି । ‘ନାଟୁ ନାଟୁ’ ଶ୍ରେଷ୍ଠ ମୌଳିକ ଗୀତ ବର୍ଗରେ ଓସ୍କାର ପୁରସ୍କାର ପାଇଁ ମଧ୍ୟ ସର୍ଟଲିଷ୍ଟ ହୋଇଛି । ଓସ୍କାର ପୁରସ୍କାର ଉତ୍ସବ ଆସନ୍ତା ମାର୍ଚ୍ଚ ୧୨ରେ ଲସ୍ ଆଞ୍ଜେଲ୍ସର ଡଲବି ଥିଏଟରରେ ଅନୁଷ୍ଠିତ ହେବ ।

Exit mobile version