Site icon ଆଜିକାଲି

ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଜୀବଙ୍କ ପ୍ରତି କ୍ରୁରତା: ଛାତ୍ରୀନିବାସରୁ ପାଟି, ଗୋଡ଼ ବନ୍ଧା ୧୨ କୁକୁର ଉଦ୍ଧାର

ବ୍ରହ୍ମପୁର : ଚର୍ଚ୍ଚାରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ। କ୍ୟାମ୍ପସ୍‌ର ଏକ ଛାତ୍ରୀ ହଷ୍ଟେଲରୁ ଗୋଡ଼କୁ ଲୁହା ଓ ପ୍ଲାଷ୍ଟିକ୍ ତାରରେ ବନ୍ଧା ଯାଇଥିବା, ପାଟିକୁ ମଧ୍ୟ ବାନ୍ଧି ରଖା ଯାଇଥିବା ଅବସ୍ଥାରେ ୧୨ଟି କୁକୁରକୁ ଉଦ୍ଧାର କରିଛନ୍ତି ଜୀବପ୍ରେମୀ। ଏ ନେଇ ବିବାଦ ଦେଖାଦେଇଥିବା ବେଳେ ଏହି ଘଟଣାରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ତତ୍ପରତା ପ୍ରକାଶ କରିଛନ୍ତି। ସେପଟେ ଏହି ଘଟଣାରେ ବିଶିଷ୍ଟ ଜୀବଜନ୍ତୁ ସଂରକ୍ଷକ ନେତ୍ରୀ ତଥା ଲୋକସଭା ସାଂସଦ ମେନକା ଗାନ୍ଧୀଙ୍କ ସମେତ ବ୍ରହ୍ମପୁର ଏସ୍‌ପିଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି କୁକୁରମାନଙ୍କୁ ଉଦ୍ଧାର କରିଥିବା ଜୀବପ୍ରେମୀ ସଙ୍ଗଠନର ସ୍ୱେଚ୍ଛାସେବୀ।

ଗତ କିଛି ସମୟ ମଧ୍ୟରେ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ କୁକୁରମାନଙ୍କ ସଂଖ୍ୟା ବେଶ୍ ବୃଦ୍ଧି ଘଟିଥିଲା। ତେବେ ଏହାକୁ ନେଇ କୁକୁରମାନଙ୍କ ପଟୁ ବିପଦ ଆଶଙ୍କା କରିଥିଲେ ଅନେକ ଛାତ୍ର ଛାତ୍ରୀ, କର୍ମଚାରୀ ପ୍ରମୁଖ। କାଳେ କୁକୁରମାନେ କାହାକୁ କାମୁଡ଼ିଦେବେ ସେହି ଆଶଙ୍କାରେ ବିଶ୍ବବିଦ୍ୟାଳୟର କିଛି ଅଧିକାରୀ ଓ କର୍ମଚାରୀ ବିଏମ୍‌ସିକୁ ଅବଗତ କରାଇଥିଲେ । ତେବେ ବିଏମ୍‌ସି କର୍ମଚାରୀଙ୍କ କହିବା ପ୍ରକାରେ ଏକ ଛାତ୍ରୀନିବାସର ଗୋଟିଏ ଅବ୍ୟବହୃତ କୋଠରୀରେ ଡଜନେ ଭରି କୁକୁରଙ୍କୁ ଏଭଳି ବାନ୍ଧି ରଖାଯାଇ ଥିଲା। ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତରଣ ଯୋଜନା ରହିଥିଲା। ଯଦିଓ ଉଦ୍ଦେଶ୍ୟ ମହତ ଥିଲା, କିନ୍ତୁ ପନ୍ଥା ଭୁଲ ଥିଲା। କୁକୁରଗୁଡ଼ିକୁ ଏଭଳି ନିର୍ଦ୍ଦୟ ଭାବେ ବାନ୍ଧି ରଖିବା କିଛି ଛାତ୍ରୀଙ୍କ ଗ୍ରହଣଯୋଗ୍ୟ ହେଲାନି। ସେମାନେ ବ୍ରହ୍ମପୁରର ଜୀବ ସୁରକ୍ଷା ସଙ୍ଗଠନ ସହ ଯୋଗାଯୋଗ କରିଥିଲେ। ସଙ୍ଗଠନର କର୍ମକର୍ତ୍ତା ଭଞ୍ଜବିହାର ଫାଣ୍ଡି ପୋଲିସ ସହାୟତାରେ ହଷ୍ଟେଲ୍‌ରେ ପଶି କୁକୁରଗୁଡ଼ିକୁ ମୁକୁଳାଇ ଖୋଲାରେ ଛାଡ଼ିଥିଲେ। ତେବେ ଏହି ଘଟଣାକୁ ନେଇ ଅନ୍ୟ କିଛି ଛାତ୍ରୀ ଓ ହଷ୍ଟେଲ୍‌ କର୍ତ୍ତୃପକ୍ଷଙ୍କ ସହ ଜୀବ ଉଦ୍ଧାରକାରୀଙ୍କ ମଧ୍ୟରେ ବଚସା ଘଟି ବିବାଦ ଦେଖାଦେଇ ଥିଲା। ଏପରିକି ଘଟଣା ଗୋପାଳପୁର ଥାନା ପର୍ଯ୍ୟନ୍ତ ଯାଇଥିଲେ ହେଁ ସମାଧାନ ହୋଇ ପାରି ନଥିଲା। କୁକୁରମାନଙ୍କ ମଧ୍ୟରୁ ୨୩ଟିର ଅବସ୍ଥା ଅଧିକ ଗୁରୁତର ହୋଇ ଯାଇଥିଲା। ଛାତ୍ରୀନିବାସରେ ବଳପୂର୍ବକ ପ୍ରବେଶକୁ ନେଇ ବିରୋଧ, ବିପଦ ଆଶଙ୍କା ଥିବା କୁକୁରମାନଙ୍କୁ ଏଭଳି ମୁକୁଳାଇବାକୁ କିଛି ଜଣ ବିରୋଧ କରୁଥିଲା ବେଳେ ପଶୁପ୍ରେମୀମାନେ ଏଭଳି କୁକୁରମାନଙ୍କୁ ବାନ୍ଧି ରଖିବା ବିପକ୍ଷରେ ଥିଲେ।

ତେବେ ବିବାଦ ଏହା ପରେ ଅଧିକ ବଢ଼ିଥିଲା। କିଛି ଛାତ୍ରୀ ତଥାକଥିତ ଉଦ୍ଧାରକାରୀଙ୍କ ବିରୋଧରେ କୁଳପତିଙ୍କ ନିକଟରେ ଅଭିଯୋଗ କରିଛନ୍ତି। ସେପଟେ ପଶୁଙ୍କ ପ୍ରତି ଏଭଳି କ୍ରୁରତା ବିରୋଧରେ ଜୀବ ସୁରକ୍ଷା ସଙ୍ଗଠନ କର୍ମକର୍ତ୍ତା ବିଶିଷ୍ଟ ପଶୁପ୍ରେମୀ ସାଂସଦ ମେନକା ଗାନ୍ଧୀଙ୍କୁ ଅବଗତ କରାଇଛନ୍ତି। ବ୍ରହ୍ମପୁର ଏସ୍‌ପି ଡା. ସରବଣା ବିବେକ ଏମ୍‌ଙ୍କୁ ଭେଟି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଜିଲ୍ଲାପାଳ, ବିଏମ୍‌ସି କମିଶନର ପ୍ରମୁଖଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଥା ରଖିଛନ୍ତି ଜୀବପ୍ରେମୀ। ସେପଟେ ମୁକ ପଶୁଙ୍କ ପ୍ରତି ଏଭଳି କ୍ରୁର ବ୍ୟବହାରର ତଦନ୍ତ ଆରମ୍ଭ କରିଛନ୍ତି ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର୍ ଗୀତାଞ୍ଜଳି ଦାଶ। କେଉଁ ପରିସ୍ଥିତିରେ କୁକୁରଙ୍କୁ କିଏ ଏଭଳି ବାନ୍ଧି ରଖିଥିଲା ସେ ନେଇ ଯାଞ୍ଚ କରିବାକୁ ଏକ ତଥ୍ୟ ଅନୁସନ୍ଧାନ କମିଟି ଗଠନ କରିଛନ୍ତି ସେ । ଯଦି ବିଶ୍ବବିଦ୍ୟାଳୟର କୌଣସି କର୍ମଚାରୀ ସମ୍ପୃକ୍ତ ରହିବା ପ୍ରମାଣ ମିଳେ ତେବେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି କୁଳପତି।

Exit mobile version