Site icon ଆଜିକାଲି

କମିନ୍ସ ଫେରିବେନି, ଭାରତ ବିପକ୍ଷ ଦିନିକିଆ ସିରିଜରେ ବି ସ୍ମିଥ୍ ଅଷ୍ଟ୍ରେଲିଆ କ୍ୟାପଟେନ୍


ନୂଆଦିଲ୍ଲୀ: ଭାରତ ବିପକ୍ଷ ଦିନିକିଆ ସିରିଜରେ ବି ଷ୍ଟିଭ ସ୍ମିଥ୍ ଅଷ୍ଟ୍ରେଲିଆ ଅଧିନାୟକ ରହିବେ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଦିନିକିଆ ସିରିଜ୍ ପାଇଁ ପ୍ୟାଟ୍ କମିନ୍ସ ଭାରତ ଫେରିବେନି । ତେଣୁ ସ୍ମିଥ୍ ଅଧିନାୟକ ଦାୟିତ୍ବ ତୁଲାଇବେ।

ନିୟମିତ ଅଧିନାୟକ କମିନ୍ସଙ୍କ ଅନୁପସ୍ଥିତିରେ ସ୍ମିଥ୍ ଶେଷ ଦୁଇଟି ଟେଷ୍ଟରେ ଅଷ୍ଟ୍ରେଲିଆ ଅଧିନାୟକତ୍ୱ କରିଥିଲେ।

ଦିଲ୍ଲୀରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟ ପରେ କମିନ୍ସ ତାଙ୍କ ଅସୁସ୍ଥ ମା’ଙ୍କ ଯତ୍ନ ନେବା ପାଇଁ ଅଷ୍ଟ୍ରେଲିଆ ଫେରିଥିଲେ। ମାର୍ଚ୍ଚ ୧୦ରେ ତାଙ୍କ ମା’ଙ୍କ ସ୍ତନ କର୍କଟ ଯୋଗୁଁ ମୃତ୍ୟୁ ହୋଇଥିଲା ।

ଅଷ୍ଟ୍ରେଲୀୟ କୋଚ୍ ଆଣ୍ଡ୍ରିୟୁ ମ୍ୟାକଡୋନାଲ୍ଡ କହିଛନ୍ତି, ‘ ପ୍ୟାଟ୍ ଫେରୁନାହାଁନ୍ତି। ସେ ଏବେ ଘରେ ହିଁ ରହିବେ। ଏହି ଦୁଃଖଦ ସମୟରେ ପ୍ୟାଟ୍ ଏବଂ ତାଙ୍କ ପରିବାରଙ୍କ ସହ ଆମ ସମବେଦନା ରହିଛି।”

ସ୍ମିଥଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ଦଳ ଭାରତ ବିପକ୍ଷ ଶେଷ ଦୁଇଟି ଟେଷ୍ଟରେ ଭଲ ଖେଳିଥିଲା। ଅଷ୍ଟ୍ରେଲିଆ ଇନ୍ଦୋରରେ ଅନୁଷ୍ଠିତ ତୃତୀୟ ଟେଷ୍ଟକୁ ଜିତିଥିବା ବେଳେ ଅହମ୍ମଦାବାଦରେ ଖେଳାଯାଇଥିବା ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ ଡ୍ର ହୋଇଥିଲା | କମିନ୍ସଙ୍କ ଅଧିନାୟକତ୍ୱରେ ଅଷ୍ଟ୍ରେଲିଆ ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚରେ ଶୋଚନୀୟ ପରାଜୟ ବରଣ କରିଥିଲା ।

ଗତ ବର୍ଷ ଆରୋନ ଫିଞ୍ଚଙ୍କ ଅବସର ପରେ ପ୍ୟାଟ୍ କମିନ୍ସ ଅଷ୍ଟ୍ରେଲିଆ ଦିନିକିଆ ଦଳର ମଧ୍ୟ ଅଧିନାୟକ ନିଯୁକ୍ତ ହୋଇଥିଲେ।

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଶୁକ୍ରବାର ମୁମ୍ବାଇରେ ଖେଳାଯିବ ।

Exit mobile version