Site icon ଆଜିକାଲି

କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ଝଟକା

ନୂଆଦିଲ୍ଲୀ : କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ଝଟକା । ତାଙ୍କ ବିରୋଧରେ ବିଚାରାଧୀନ ବାରବାଟୀ-କଟକ ବିଧାନସଭା ଆସନ ନିର୍ବାଚନ ଅନିୟମିତତା ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସେ କରିଥିବା ଆବେଦନ ସୁପ୍ରିମକୋର୍ଟରେ ଖାରଜ ହୋଇଛି । ଏହି ନିବାର୍ଚନୀ ଅନିୟମିତତା ମାମଲା ରଦ୍ଦ ପାଇଁ ପ୍ରଥମେ ବିଧାୟକ ମୋକିମ ହାଇକୋର୍ଟରେ ଆବଦେନ କରିଥିଲେ । କିନ୍ତୁ ଜୁନ ୩୦ରେ ହାଇକୋର୍ଟ ଆବେଦନକୁ ଖାରଜ କରିବା ପରେ ଏହାକୁ ଚ୍ୟାଲେଞ୍ଜ କରି ସେ ସୁପ୍ରିମକୋର୍ଟକୁ ଯାଇଥିଲେ । ମାତ୍ର ସର୍ବୋଚ୍ଚ ନ୍ୟାୟାଳୟରେ ମଧ୍ୟ ବିଧାୟକଙ୍କ ଆବେଦନ ଖାରଜ ହୋଇଯାଇଛି । ଜଷ୍ଟିସ ସଞ୍ଜୟ କୁମାର କୌଲ, ଜଷ୍ଟିସ ଏମ ଏମ ସୁନ୍ଦରେଶଙ୍କ ଖଣ୍ଡପୀଠ ମୋକିମଙ୍କ ଆବେଦନ ଖାରଜ କରିଦେଇଛନ୍ତି ।

ସୂଚନା ଯେ, ବାରବାଟୀ-କଟକ ବିଧାନସଭା ଆସନରେ ନିର୍ବାଚନ ଅନିୟମିତତାକୁ ନେଇ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ପକ୍ଷରୁ ମାମଲା ରୁଜୁ ହୋଇଥିଲା । ଅର୍ଡର ୭, ରୁଲ୍ସ ୧୧ ସିପିସି ଅନୁସାରେ ମାମଲାକୁ ରଦ୍ଦ କରାଯାଉ ବୋଲି ପ୍ରାର୍ଥନା କରି ବିଧାୟକ ହାଇକୋର୍ଟରେ ପିଟିସନ ଦାଖଲ କରିଥିଲେ । କିନ୍ତୁ ହାଇକୋର୍ଟ ଏହି ପିଟିସନ ଖାରଜ କରିବା ସହ ବିଧାୟକ ମୋକିମଙ୍କୁ ୫ ହଜାର ଟଙ୍କା ଜୋରିମାନା ନିର୍ଦ୍ଦେଶ ଦେଇଥିଲେ । ହାଇକୋର୍ଟ ନିର୍ଦ୍ଦେଶ ବିରୋଧରେ ବିଧାୟକ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ ।

Exit mobile version