Site icon ଆଜିକାଲି

ଆରବ ସାଗରରେ ଭୟଙ୍କର ରୂପ ନେଲା ‘ବିପୋରଯୟ’

ନୂଆଦିଲ୍ଲୀ : ପୂର୍ବ-କେନ୍ଦ୍ରୀୟ ଆରବ ସାଗରରେ ଘର୍ଣ୍ଣିଭୂତ ହେଉଛି ବାତ୍ୟା ‘ବିପୋରଯୟ’ । ଗୋଆଠୁ ପଶ୍ଚିମ ଦକ୍ଷିଣ-ପଶ୍ଚିମ ଦିଗରେ ୮୯୦ କିମି ଦୂରରେ ରହିଛି ବାତ୍ୟା । ସେହିପରି ପୋର୍ ବନ୍ଦର ଠାରୁ ୧୦୯୦ କିଲୋମିଟର ଓ ପାକିସ୍ତାନର କରାଚୀ ଠାରୁ ୧୩୮୦ କି.ମି ଦୂରରେ ରହିଛି । ଏହା ଆସନ୍ତା ୨୪ ଘଣ୍ଟାରେ ଉତ୍ତର ଆଡ଼କୁ ଗତି କରି ଅଧିକ ଘନୀଭୂତ ହୋଇ ଭୀଷଣ ବାତ୍ୟାର ରୂପ ନେବ।

ଭାରତୀୟ ପାଣିପାଗ ବିଭାଗ ତଥା ଆଇଏମଡିର ସୂଚନା ଅନୁଯାୟୀ, ବାତ୍ୟା ‘ବିପୋରଯୟ’ ୧୩ ଡିଗ୍ରୀ ଅକ୍ଷାଂଶ ଓ ୬୬ ଡିଗ୍ରୀ ପୂର୍ବ ଦ୍ରାଘିମା ମଧ୍ୟଆରବ ସଗରରେ ରହିଛି । ଏହା ଦକ୍ଷିଣ-ପଶ୍ଚିମ ଦିଗ କରିବା ସହିତ ଘଣ୍ଟାପ୍ରତି ୧୦୦ରୁ ୧୧୦ କିଲୋମିଟର ବେଗରେ ପବନ ବହିବ । ଆସନ୍ତା କାଲି ବା ଜୁନ୍ ୮ ତାରିଖ ବେଳକୁ ପବନ ବେଗ ବଢ଼ିବ । ଘଣ୍ଟା ପ୍ରତି ୧୧୫ରୁ ୧୨୫ କି.ମି ବେଗରେ ପବନ ବହିବା ସହିତ ସଂଧ୍ୟା ବେଳକୁ ୧୨୫ରୁ ୧୩୫ କିମି ବେଗରେ ପବନ ବହିବ ।

ମଙ୍ଗଳବାର ଆରବ ସାଗରରେ ସୃଷ୍ଟ ହୋଇଥିବା ଲଘୁଚାପ ବାତ୍ୟାରେ ପରିଣତ ହୋଇଛି । ଗତକାଲି ସକାଳେ ପ୍ରଥମେ ଅବପାତ ରୂପ ନେଇଥିଲା । ପରେ ୨୪ ଘଣ୍ଟା ମଧ୍ୟରେ ଘର୍ଣ୍ଣିଭୂତ ହୋଇ ଭୟଙ୍କର ରୂପ ଧାରଣ କରିଛି । ତେବେ ବାତ୍ୟା ‘ବିପୋରଯୟ’ କେଉଁଠି ସ୍ଥଳଭାଗ ଛୁଇଁବ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ବାତ୍ୟା ‘ବିପୋରଯୟ’ ନାମକରଣ ବାଂଲାଦେଶ କରିଛି। ଏହା ପଶ୍ଚିମ ଉପକୂଳ ଦେଇ ଗତି କରିବ ବୋଲି ଏନେକ ପାଣିପାଗ ମଡେଲ ଆକଳନ କରିଛନ୍ତି । ସ୍କାଏମେଟ୍ ମଡେଲ କହିଛି, ବାତ୍ୟା ପ୍ରଥମ ଉତ୍ତର ଓ କ୍ରମଶଃ ରିକର୍ଭ ହୋଇ ଉତ୍ତର-ଉତ୍ତରପୂର୍ବ ଆଡ଼କୁ ଗତିକରି ଓମାନ ଓ ୟେମେନକୁ ଯିବାର ସମ୍ଭାବନା ରହିଛି ।

Exit mobile version