Site icon ଆଜିକାଲି

ଜିମ୍ବାୱେର କିମ୍ବଦନ୍ତୀ କ୍ରିକେଟର ହିଥ୍ ଷ୍ଟ୍ରିକଙ୍କ ପରଲୋକ

ହାରାରେ : ଜିମ୍ବାୱେର କିମ୍ବଦନ୍ତୀ କ୍ରିକେଟର ହିଥ୍ ଷ୍ଟ୍ରିକ ଆଉ ନାହାନ୍ତି । କ୍ୟାନ୍ସର ସହ ଦୀର୍ଘ ଦିନର ସଂଗ୍ରାମ ପରେ ଆଖି ବୁଜିଛନ୍ତି ହିଥ୍ ଷ୍ଟ୍ରିକ। ଦକ୍ଷିଣ ଆଫ୍ରିକାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୪୯ ବର୍ଷ ବୟସ ହୋଇଥିଲା।

ହିଥ୍ ଷ୍ଟ୍ରିକ ଜିମ୍ବାୱେ ପାଇଁ ୬୫ଟି ଟେଷ୍ଟ ଓ ୧୮୯ଟି ଏକଦିବସୀୟ ମ୍ୟାଚ ଖେଳିଥିଲେ। ଜିମ୍ବାୱେ କ୍ରିକେଟ ଦଳର ନେତୃତ୍ବ ମଧ୍ୟ ନେଇଥିଲେ ଷ୍ଟ୍ରିକ୍ । ଜିମ୍ବାୱେ ପକ୍ଷରୁ ଉଭୟ ଟେଷ୍ଟ ଓ ଦିନିକିଆରେ ସର୍ବାଧିକ ୱିକେଟର ରେକର୍ଡ ଏବେ ବି ତାଙ୍କ ନାଁରେ ରହିଛି। ପୂର୍ବତନ ଡାହାଣହାତୀ ପେସର ଟେଷ୍ଟରେ ୨୧୬ ଓ ଦିନିକିଆ ଆନ୍ତର୍ଜାତିକୀରେ ୨୩୯ଟି ୱିକେଟ ଅକ୍ତିଆର କରିଛନ୍ତି। ୨୦୦୫ରେ ସେ ଭାରତ ବିପକ୍ଷରେ ନିଜର ଶେଷ ଟେଷ୍ଟ ଖେଳିଥିଲେ। ଏହାପରେ ସେ ଇଂଲଣ୍ଡରେ କାଉଣ୍ଟି କ୍ରିକେଟ ଖେଳିଥିଲେ। ୨୦୦୯ ମସିହାରେ ଷ୍ଟ୍ରିକ୍ ଜିମ୍ବାୱେ ଟିମର ବୋଲିଂ କୋଚ୍ ନିଯୁକ୍ତ ହୋଇଥିଲେ । ୨୦୧୩ ଯାଏଁ ସେ ଏହି ପଦରେ ରହିଥିଲେ । ୨୦୧୬ରୁ ୨୦୧୮ ଯାଏଁ ଷ୍ଟ୍ରିକ ପୁଣି ଥରେ ଜାତୀୟ ଦଳର ସପୋର୍ଟ ଷ୍ଟାଫ୍ ରେ ଥିଲେ । ଆଇପିଏଲ ସହ ମଧ୍ୟ ଜଡିତ ଥିଲେ ଷ୍ଟ୍ରିକ୍ । ସେ ୨୦୧୮ ସିଜନରେ କୋଲକାତା ନାଇଟ୍ ରାଇଡର୍ସର ବୋଲିଂ କୋଚ୍ ଥିଲେ ।

Exit mobile version